ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ମିଶିବା ସମ୍ଭାବନା-ବିଜେଡି ମୁଖପାତ୍ର
ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ମିଶିବା ସମ୍ଭାବନା ରହିଛି। ପ୍ରଶାନ୍ତ ବିଜେପି ଯାଉଛନ୍ତି ବୋଲି ଆଜି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା ଅବସରରେ ପ୍ରଶାନ୍ତଙ୍କ କଥା ଉଠାଇ ସସ୍ମିତ ପାତ୍ର କହିଛନ୍ତି ଯେ ବିଜେପି ନେତାଙ୍କୁ ଆକ୍ରମଣ ଅଭିଯୋଗରେ ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଥିଲେ। ଏହାପରେ ପ୍ରଶାନ୍ତ ଜବଦେବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର ମଧ୍ୟ କରିଥିଲେ। ଏବେ ସେହି ପ୍ରଶାନ୍ତ ଜଗଦେବ ବିଜେପିର ଗେହ୍ଲାପୁଅ ସାଜିଛନ୍ତି, ସଭାସମିତି କରୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ଏବେ ସେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି।
୨୦୧୯ରେ ଚିଲିକା ବିଧାନସଭା ଆସନ ପାଇଁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡି ଟିକଟ ଦେଇଥିଲା। ଏଥିରେ ପ୍ରଶାନ୍ତ ଜଗଦେବ ବିଜେଡି ଟିକେଟରେ ଲଢ଼ି ଚିଲିକାରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହା ଆଗରୁ ପ୍ରଶାନ୍ତ ବେଗୁନିଆର ବିଧାୟକ ଥିଲେ । ୨୦୨୨ ଫେବ୍ରୁଆରୀ ୧୨ ତାରିଖରେ ପୁରୀ ଜିଲା ବାଣପୁର ବ୍ଲକ ଆଗରେ ବିଜେପି କର୍ମୀଙ୍କ ଉପରେ ଗାଢ଼ି ଚଢ଼ାଇ ଦେବାର ଅଭିଯୋଗ ତାଙ୍କ ନାମରେ ହୋଇଥିଲା। ଏଥିରେ କିଛି ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦେବ । ତାଙ୍କୁ ଦଳରୁ ମଧ୍ୟ ନିଲମ୍ବନ କରାଯାଇଥିଲା । ସେହି ଘଟଣାରେ ନିଜ ଦଳର ନେତା ପୂର୍ବତନ ବିଧାୟକ ରଘୁ ସାହୁଙ୍କୁ ଦାୟୀ କରିଥିଲେ ପ୍ରଶାନ୍ତ ଜଗଦେବ ।
Comments are closed.