ବୁର୍ଲାରୁ ନିଖୋଜ ନାବାଳକର ମୃତଦେହ ଚିପିଲିମା ପାୱାର କେନାଲରୁ ଉଦ୍ଧାର
ବୁର୍ଲା: ଗତକାଲି ବୁର୍ଲା କେନାଲ ବିଷ୍ଣୁ ମନ୍ଦିର ପଡ଼ା ଘାଟ ଠାରେ ଗାଧୋଉଥିବା ସମୟରେ ଜଣେ ୧୨ ବର୍ଷୀୟ ନାବାଳକ ପ୍ରକାଶ ରାୟ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହିତ ବୁର୍ଲା ଅଗ୍ନିଶମ ବିଭାଗ ବୋଟ ସହାୟତାରେ ଖୋଜାଖୋଜି କରାଯାଇଥିଲେ ସୁଦ୍ଧା ତାର କୌଣସି ଖୋଜ ଖବର ମିଳି ପାରି ନ ଥିଲା। ତେବେ ଆଜି ନିଖୋଜ ହେବାର ୪୨ ଘଣ୍ଟା ପରେ ମଧ୍ୟ ନିଖୋଜ ନାବାଳକର ଶବ ଚିପିଲିମା ସ୍ତିତ ପାୱାର କେନାଲରେ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଛି।
ନାବାଳକ ପ୍ରକାଶ ବୁର୍ଲା ଭକ୍ତି ମଣ୍ଡପ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର। ଗତକାଲି ସ୍କୁଲକୁ ନ ଯାଇ ଘରେ ରହିଥିବା ବେଳେ ତାର ଜଣେ ସାଙ୍ଗ ତାକୁ କେନାଲକୁ ଗାଧୋଇ ଯିବା ପାଇଁ ଘରୁ ଡାକି ନେଇଥିଲା। ଉଭୟେ ବିଷ୍ଣୁ ମନ୍ଦିର ପଡ଼ା ଘାଟକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା ପ୍ରକାଶ। ବୁର୍ଲା ଠିକାଦାର କଲୋନୀର ଗୁଆଳପଡ଼ା ନିବାସୀ ଦିନ ମଜୁରିଆ ପ୍ରକାଶର ବାପା ବ୍ରିଜ ମୋହନ ରାୟଙ୍କ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ସୂଚନା ମିଳିଛି। ଘଟଣାର ୪୨ ଘଣ୍ଟା ପରେ ଶବ ଉଦ୍ଧାର ହୋଇଥିବା ବେଳେ ବୁର୍ଲା ସହରରେ ଶୋକର ବାତାବରଣ ଖେଳିଯାଇଛି।
Comments are closed.