ଶଯ୍ୟାଶାୟୀ ବୃଦ୍ଧାଙ୍କୁ ତଣ୍ଟି କାଟି ହତ୍ୟା ମାମଲାରେ ବନ୍ଧା ହେଲା ବୋହୁ ବୈଶାଖୀ
ଖଣ୍ଡଗିରି: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଭରତପୁର ଥାନା ପୁଲିସ ଖଣ୍ଡଗିରିବାରିରେ ଶଯ୍ୟାଶାୟୀ ବୃଦ୍ଧାଙ୍କୁ ତଣ୍ଟି କାଟି ହତ୍ୟା କରିବାର ରହସ୍ୟ ଉନ୍ମୋଚନ କରିଛି। ବୋହୁ ବୈଶାଖୀ ହିଁ ଶାଶୁ ମଦା ପଲେଇଙ୍କୁ ହତ୍ୟା କରିଥିବାରୁ ଆଜି ଭରତପୁର ଥାନା ପୁଲିସ କୋର୍ଟ ଚାଲଣ କରିଛି। ଘଟଣା ଦିନ ଠାରୁ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଥିବା ବୈଶାଖୀଙ୍କୁ ଆଜି ଡିସଚାର୍ଜ କରାଯିବା ପରେ ପୁଲିସ ଥାନାକୁ ନେଇ ସେଠାରୁ ସିଧାସଳଖ କୋର୍ଟ ଚାଲଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ବୈଶାଖୀକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜୋନ ୩ ର ଏସିପି ପ୍ରଦିପ କୁମାର ରାଉତ ସୂଚନା ଦେଇ କହିଛନ୍ତି ଯେ ପ୍ରଥମରୁ ବୋହୁ ବୈଶାଖୀ ହିଁ ଶାଶୁ ମଦାଙ୍କ ତଣ୍ଟି କାଟି ହତ୍ୟା କରିଥିବା ଅନୁମାନ କରାଯାଉଥିଲା। ଏଥିପାଇଁ ସେ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ। ତେଣୁ ଅଗଷ୍ଟ ୧୫ ତାରିଖ ଦିନ ଟିୟୁସନ ଛୁଟି ଥିଲେବି ସେ ତାର ଛୁଆଙ୍କୁ ନେଇ ଟିୟୁସନ ଶିକ୍ଷକଙ୍କ ଘରେ ଯୋର ଜବରଦସ୍ତ ବସାଇ ଆସିଥିଲା। ପିଲାଙ୍କୁ ଟିୟୁସନ ଛାଡିବା ପରେ କିଛି ସମୟ ଦାଣ୍ଡରେ ବସିଥିବା ପାଖ ପଡୋଶୀଙ୍କ ସହ କଥା ହୋଇଥିଲା। ଏହା ସହ ସେ ଜାଣିଥିଲା ଦିଅର ମଣ୍ଟୁ ସଂଧ୍ୟା ହେଲେ ଔଷଧ ପାଇଁ ବଜାରକୁ ଯିବେ। ତେଣୁ ସଂଧ୍ୟା ୭ଟା ରୁ ୭.୩୦ ମିନିଟ ମଧ୍ୟରେ ଶଯ୍ୟାଶାୟୀ ଶାଶୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ଯୋଜନାକୁ ଫଳବତୀ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା। ସତକୁ ସତ ମଣ୍ଟୁ ସଂଧ୍ୟା ୭ଟା ବେଳେ ବଜାରକୁ ଔଷଧ ପାଇଁ ଯାଇଥିଲେ। ଯୋଜନା ଅନୁସାରେ ବୈଶାଖୀ ଶଯ୍ୟାଶାୟୀ ଶାଶୁଙ୍କ ତଣ୍ଟିକୁ ଏକ ଛୁରି ସାହାଯ୍ୟରେ କାଟିଦେଇ ପିନ୍ଧା ଲୁଗାକୁ ତଣ୍ଟିରେ ଗୁଡାଇ ଦେଇଥିଲେ। ଫଳରେ ରକ୍ତ ଯେପରି କୁଆଡେ ଛିଟିକି ନଥିଲା।
ପୁଲିସର ସନ୍ଦେହ ନହେବା ପାଇଁ ନିଜ ମୁଣ୍ଡକୁ କାନ୍ଥରେ ପିଟି ଦେଇ ନିଜ ଲୁଗା ପଣତକୁ ବେକରେ ଚାପିବାର ଅଭିନୟ କରି ତଳେ ଚେତାଶୂନ୍ୟ ହୋଇ ପଡିବାର ଅଭିନୟ କରିଥିଲେ। କେବଳ ଆକ୍ରମଣ ଜନିତ ହତ୍ୟାକାଣ୍ଡ ବୋଲି ପ୍ରମାଣ କରିବା ପାଇଁ ସେ ପୂର୍ବରୁ ଏକ ସୁନ୍ଦର ଯୋଜନା କରିଥିଲେ। ସେ ଅନୁଯାୟୀ ସେ ପଡୋଶୀ ମହିଳା ମାନଙ୍କୁ କହିଥିଲେ ଯେ ତାଙ୍କୁ ଦୁଇ ଜଣ ଅପରିଚିତ ଯୁବକ ପିଛା କରୁଛନ୍ତି। ତେଣୁ ଘଟଣା ପରେ କେହି ଦୁର୍ବୃତ୍ତ ଶାଶୁ ବୋହୁଙ୍କୁ ଆକ୍ରମଣ କରିଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହି ନାଟକଟି ରଚନା କଲାବେଳେ ବୈଶାଖୀ ଅନ୍ୟ ଗୁଡ଼ିକ ତୃଟି ଛାଡିଯାଇଥିଲା। ପ୍ରଥମତଃ ବୈଶାଖୀ ଏହି ପିଛା କରିବା ଘଟଣା ସ୍ବାମୀ ରବିନ୍ଦ୍ର ଓ ଦିଅର ମଣ୍ଟୁ କାନକୁ ନେଇନଥିଲେ। ଆକ୍ରମଣକାରୀ ମନଙ୍କ ଉଦେଶ୍ୟ କଣ ଥିଲା ସେନେଇ କିଛି ସୁରାକ ନଥିଲା। ମଣ୍ଟୁ ବଜାରକୁ ଯିବା ବେଳେ କିଛି ପଡୋଶୀ ଦାଣ୍ଡରେ ବସିଥିଲେ। ମଦାଙ୍କ ମୃତ୍ୟୁ ଘଟିଥିବା ସମୟରେ କେହି ବାହାର ଲୋକ ତାଙ୍କ ଘରକୁ ଯାତାୟତ କରିନଥିବା କିଛି ଲୋକ ଦେଖିଥିଲେ। ଘଟଣା ଘଟିବା ପରେ ବୈଶାଖୀଙ୍କ ମୋବାଇଲରୁ ମଣ୍ଟୁ ମୋବାଇଲକୁ ଏକ ମିସକଲ ହୋଇଥିଲା। କିନ୍ତୁ ବୈଶାଖୀ ଜୁଲାଇ ଏକ ତାରିଖ ଘଟଣାକୁ ଯୋଡିବାକୁ ଚେଷ୍ଟା କରିଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ବୈଶାଖୀ ପୁଲିସକୁ ଦେଇଥିବା ବୟାନ ଅନୁସାରେ ଦୁଇ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଘରକୁ ଆସିଥିଲେ। ପ୍ରଥମେ ମୋତେ ଆକ୍ରମଣ କରିଥିଲେ। ମୁ ସଂଜ୍ଞାହୀନ ହୋଇ ପଡିଥିଲି। ତାପରେ ମୁଁ କିଛି ଜାଣିନାହିଁ ବୋଲି କହିଥିଲେ। କିନ୍ତୁ ମଣ୍ଟୁଙ୍କ ମୋବାଇଲକୁ ଯେଉଁ ମିସକଲ ଯାଇଥିଲା ତାହା ମଦାଙ୍କ ମୃତ୍ୟୁ ପରେ ହିଁ ଯାଇଥିଲା। ମଣ୍ଟୁ ଓ ପଡ଼ୋଶୀ ମାନଙ୍କ ବୟାନ ସହ ବୈଶାଖୀଙ୍କ ବୟାନରେ ତାଳମେଳ ରହି ନଥିଲା। ତେଣୁ ପୁଲିସର ସନ୍ଦେହ ପୂରା ଦୃଢ ହୋଇଯାଇଥିଲା।ଘଟଣା ଦିନ ପୁଲିସ ଯେଉଁ ଛୁରିଟି ଜବତ କରିଥିଲା ତାହା ଧୁଆ ଧୁଇ କରି ସେଥିରୁ ରକ୍ତ ପୋଛିଦେଇଥିଲା ବୋଲି ବୈଶାଖୀ ପୁଲିସ ଆଗରେ ମାନିଛି। ତେଣୁ ବୈଶାଖୀ ଶାଶୁ ମଦାଙ୍କ ପ୍ରକୃତ ହତ୍ୟାକାରୀ ବୋଲି ସ୍ପଷ୍ଟ ହୋଇଛି।
ବେଲଗୁଣ୍ଠାରୁ ଆରମ୍ଭ ଭୁବନେଶ୍ୱରରେ ଶେଷ
ବୈଶାଖୀର ପରକିୟା ପ୍ରୀତି ପାଇଁ ବୃଦ୍ଧା ଶାଶୁ ବଳୀ ପଡିଗଲେ ବୋଲି ଯେଉଁ ଚର୍ଚ୍ଚା ଯୋର ଧରିଥିଲା ତାହା ଆଜି ସତ ବୋଲି ପ୍ରମାଣିତ ହୋଇଛି। ଜୁଲାଇ ଏକ ତାରିଖ ହିଁ ଘଟଣାର ଅୟ ଆରମ୍ଭ ହୋଇଥିଲା। ବେଳଗୁଣ୍ଠା ଇନ୍ଦ୍ରଗଡରେ ଶାଶୁ ମଦା ଓ ବୋହୁ ବୈଶାଖୀ ରହୁଥିଲେ। ଅନେକ ସମୟରେ ବୈଶାଖୀ ଫୋନ ଯୋଗେ କାହା ସହ କଥାବାର୍ତ୍ତା ହୁଏ। ଏନେଇ ଶାଶୁ ବୋହୁ ଭିତରେ ଝଗଡା ଲାଗେ। ସେଦିନ ରାତିରେ ଯେଉଁ ଯୁବକ ମୃତ ମଦା ପଲେଇଙ୍କ ଘରକୁ ଆସିଥିଲେ ସେ ବୈଶାଖୀଙ୍କ ପ୍ରେମିକ ବୋଲି ପ୍ରମାଣିତ ହୋଇଛି। ସେଦିନ ରାତିରେ ଶାଶୁ ମଦା ସବୁ କଥା ଜାଣିଦେବାରୁ ବୈଶାଖୀଙ୍କ ପ୍ରେମିକ ରିଙ୍କୁ ଆକ୍ରମଣ କରିଥିଲା। ରିଙ୍କୁର ଆକ୍ରମଣରେ ମଦା ଗୁରୁତର ହୋଇ ପଡିଯାଇଥିଲେ। ମରିଯିବା ସନ୍ଦେହ କରି ରିଙ୍କୁ ମଦାଙ୍କୁ ଛାଡି ଚାଲିଯାଇଥିଲେ। ବେଲଗୁଣ୍ଠା ପୁଲିସକୁ ରିଙ୍କୁ ଏହି ସୂଚନା ଦେଇଥିଲେ ବି ତାକୁ ପୁଲିସ ଏକ ଚୋରି ମାମଲାରେ ଜେଲ ପଠାଇଥିଲା। ଦୁଇ ପୁଅ ମା ମଦାଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ରୁ ଭୁବନେଶ୍ୱର ଆଣିଥିଲେ। ଶାଶୁ ଦେଢ଼ ମାସ କୋମାରେ ରହିବା ପରେ ସୁସ୍ଥ ହୋଇ ଆସୁଥିବାରୁ ବୈଶାଖୀ ମୁଣ୍ଡ ବିଗିଡି ଯାଇଥିଲା। ତେଣୁ ସେ ମୁହଁ ଖୋଲିବା ପୂର୍ବରୁ ବୈଶାଖୀ ତାଙ୍କୁ ଜୀବନରେ ମାରିଦେବାକୁ ଯୋଜନା କରିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା। ପରକିୟା ପ୍ରୀତି ପାପ ଲୁଚାଇବା ପାଇଁ ଜଣେ ମହିଳାଙ୍କ ଏଭଳି ପଦକ୍ଷେପକୁ ଚାରିଆଡ଼େ ନିନ୍ଦା କରାଯାଇଛି।
Comments are closed.