ଏମ୍ସ ଭୁବନେଶ୍ୱରକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତଦେହ ପରିଚାଳନା କ୍ଷେତ୍ରରେ ଅନନ୍ୟ ପାରଦର୍ଶିତା
- ଦୁଇଟି ପର୍ୟ୍ୟାୟରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଆସିଥିଲା ମୋଟ ୧୬୨ ମୃତଶରୀର
- ପ୍ରଥମ ଥର ପାଇଁ କୌଣସି ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ୧୬୨ଟି ପାର୍ଥିବ ଶରୀରକୁ ସଂରକ୍ଷିତ କରାଯାଇଥିଲା
- ଦେଢ଼ଶହରୁ ଅଧିକ ଡାକ୍ତର, ପାରାମେଡିକ୍ ଷ୍ଟାଫ୍ ଏବଂ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମରେ ସମ୍ପନ୍ନ ହୋଇଛି ଏହି ପ୍ରକ୍ରିୟା
ଭୁବନେଶ୍ୱର: ବାଲେଶ୍ବର ଜିଲା ଅନ୍ତର୍ଗତ ବାହାନଗାରେ ହୋଇଥିବା ଦୁର୍ଭାଗ୍ୟଜନକ ଟ୍ରେନ୍ ଦୁର୍ଘଟଣାରେ ମୃତ ଶରୀର ପରିଚାଳନା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱରର ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ପ୍ରୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜାତୀୟ ଅନୁଷ୍ଠାନକୁ ସମ୍ମାନିତ କରିଛନ୍ତି। ଗତକାଲି ଲୋକ ସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟ ସରକାର ବାହାନଗା ଟ୍ରେନ୍ ଦୁର୍ଘଟଣାର ପୀଡ଼ିତଙ୍କ ଶବ ସଂରକ୍ଷଣ ତଥା ପରିଚାଳନାରେ ଏମ୍ସ ଭୁବନେଶ୍ୱରର ଅନନ୍ୟ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହାକୁ ମର୍ଯ୍ୟାଦା ପ୍ରଦାନ କରିଛନ୍ତି।
ଏଭଳି ସମ୍ମାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଏମ୍ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଏଭଳି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏମ୍ସ ଭୁବନେଶ୍ୱରକୁ ମୃତଦେହ ପରିଚାଳନା ଭଳି ଏକ ଗୁରୁଦାୟିତ୍ବ ପ୍ରଦାନ କରାଯାଇଥିଲା। ଦୁଇଟି ପର୍ୟ୍ୟାୟରେ ଏମ୍ସକୁ ଆସିଥିଲା ମୋଟ ୧୬୨ ମୃତଦେହ। ସମସ୍ତ ମୃତଶରୀରଗୁଡ଼ିକୁ ସଂରକ୍ଷିତ କରି ରଖିବା ଏବଂ ସଠିକ୍ ଭାବେ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବା ଏକ ଆହ୍ବାନ ଥିବା ପ୍ରକାଶ କରିଛନ୍ତି କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ। ମେଡିକାଲ୍ ଇତିହାସରେ ଏତେସଂଖ୍ୟକ ମୃତଦେହକୁ ସଂରକ୍ଷିତ କରି ରଖିବା ପ୍ରଥମ ଘଟଣା ଥିଲା। ତେବେ ଏହି ଅପ୍ରତ୍ୟାଶିତ ଆହ୍ବାନକୁ ଗ୍ରହଣ କରିବା ସହିତ ପ୍ରାୟ ଦେଢ଼ଶହ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟ୍ଙ୍କ ନିଷ୍ଠାପର ଉଦ୍ୟମ ଏବଂ ଦିନରାତି ପରିଶ୍ରମ ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସଫଳତାର ସହିତ ପୂରଣ କରିବାରେ ସହାୟକ ହୋଇଥିବା କହିଛନ୍ତି ଡ. ବିଶ୍ବାସ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିରନ୍ତର ସହଯୋଗ ଏବଂ ସହାୟତା ବଳରେ ଏମ୍ସ ଭୁବନେଶ୍ୱର ସମସ୍ତ ମରଶରୀରଗୁଡ଼ିକୁ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖିବା ସହିତ ଆଧାର କାର୍ଡ ଏବଂ ଡିଏନ୍ଏ ରିପୋର୍ଟ ବିଶ୍ଳେଷଣ ସହାୟତାରେ ସଠିକ୍ ଚିହ୍ନଟ କରିପାରିଛି।
Comments are closed.