ଭାରତର ଭିନ୍ନତା ଭିତରେ ଏକତା ଏକ ବଳିଷ୍ଠ ଶକ୍ତି

କଳିଙ୍ଗ ଏବଂ ଦକ୍ଷିଣପୂର୍ବ ଏସିଆ ସଂପର୍କୀତ ସମ୍ମୀଳନୀ ଉଦଯାପିତ

ଭୁବନେଶ୍ୱର: ‘କଳିଙ୍ଗ ଏବଂ ଦକ୍ଷିଣପୂର୍ବ ଏସୀଆ: ସଭ୍ୟତା ଭିତିକ ସଂପର୍କ’ ଶୀର୍ଷକ ଏକ ତିନି ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ପୁରୁଷୋତମ ରୁପାଲା ଭାରତର ସଭ୍ୟତା ଓ ଏହାର ଐତିହ୍ୟ ଉପରେ ଆଲୋକପାତ କରିବା ସହିତ ଏହାକୁ ନେଇ ସମସ୍ତ ଭାରତୀୟ ଗର୍ବ ଅନୁଭବ କରିବା ପାଇଁ ଆହ୍ୱାନ ଦେଇଥିଲେ।

prayash

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗର ମନ୍ତ୍ରୀ କହିଛନ୍ତି ଯେ ଭାରତର ଭିନ୍ନତା ଭିତରେ ଏକତା ଏକ ବଳିଷ୍ଠ ଶକ୍ତି । କଳିଙ୍ଗ ସମେତ ଭାରତର ବିଭିନ୍ନ ପ୍ରାନ୍ତରୁ ଭାରତୀୟମାନେ ଦକ୍ଷିଣ-ପୂର୍ବ ଏସିଆ ଦେଶ ମାନଙ୍କରେ ବ୍ୟବସାୟ ଓ ସାଂସ୍କୃତିକ ସମ୍ପର୍କ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲେ। ଭାରତ ଯେତେବେଳେ ଅମୃତକାଳ ପାଳୁଛି, ପ୍ରତ୍ୟେକ ନାଗରିକ ଆସନ୍ତା ୨୫ ବର୍ଷରେ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାପାଇଁ ନିଜ ନିଜ ସ୍ତରରେ ପଦକ୍ଷେପ ନେବା ଉଚିତ ବୋଲି ସେ ଉପଦେଶ ଦେଇଥିଲେ।
ସେହିପରି ଅନ୍ୟତମ ଅତିଥିଭାବେ ଯୋଗ ଦେଇ କାମ୍ବୋଡ଼ିଆର ଗବେଷକ ତଥା ସଂସ୍କୃତି ଓ ସୁକ୍ଷ୍ମକଳା ଅନୁଷ୍ଠାନର ଉପ-ମହାଅଧ୍ୟକ୍ଷକ ଡକ୍ଟର ଚାନ୍ଥ୍ରୋନ୍ ଥୁଏ ଭାରତର ନୌବାଣିଜ୍ୟ ପରମ୍ପାରା ଓ ଦରିଆପାରି ବ୍ୟବସାୟ ଭାରତୀୟ ସଭ୍ୟତାକୁ ଦକ୍ଷିଣପୂର୍ବ ଏସୀଆ ଦେଶମାନଙ୍କରେ ପ୍ରଚାର ଓ ପ୍ରସାର କରିବାରେ ସଫଳ ହୋଇଥିଲେ ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତର ପରିଷଦର ଅଧ୍ୟକ୍ଷା ପ୍ରଫେସର ନବନୀତା ରଥ, ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ଲେଖକ ଏସ୍.କେ. ନନ୍ଦ, ଗତି ଶକ୍ତି ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ୱାନ୍ ଏସିଆ ଫାଉଣ୍ଡେସରନର ଅଧ୍ୟକ୍ଷ ଡକ୍ଟର ଚଣ୍ଡୀପ୍ରସାଦ ନନ୍ଦ ପ୍ରମୁଖ ଏହି ବିଷୟବସ୍ତୁ ଉପରେ ଚର୍ଚ୍ଚା କରିଥିଲେ। ସମ୍ମିଳନୀର ଅଧ୍ୟକ୍ଷ ତଥା ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏହାର ଆବାହକ ପ୍ରଫେସର ପତିତ ପାବନ ମିଶ୍ର ସମ୍ମିଳନୀର ବିବରଣୀ ଉପସ୍ଥାପନ କରିଥିଲେ।

ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବିଭିନ୍ନ ବୈଷୟିକ ଅଧିବେଶନରେ ଉପସ୍ଥାପନ କରିଥିବା ଗବେଶଣାତ୍ମକ ସନ୍ଦର୍ଭର ଲେଖକ ଓ ଗବେଷକଙ୍କୁ ପ୍ରମାଣପତ୍ର ବଂଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଦ୍ୱିତୀୟ ଥର ପାଇଁ ୱାନ୍ ଏସିଆ ଫାଉଣ୍ଡେସରନ, ଆଇ.ସି.ସି.ଆର୍, ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।

Comments are closed.