ନବନିଯୁକ୍ତ ପିଜିଟିମାନଙ୍କ ପାଞ୍ଚଦିନିଆ ପ୍ରବେଶକାଳୀନ ପ୍ରଶିକ୍ଷଣ ଉଦଯାପିତ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆରଆଇଇ ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି। ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍‌ ପ୍ରଥମେ ପିଜିଟିମାନଙ୍କ ସହ ଆଲୋଚନା କରି ସେମାନଙ୍କ ଶିକ୍ଷଣ ଅନୁଭୂତି ପଚାରି ବୁଝିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗ ଦର୍ଶନ ପାଇଁ କର୍ମସ୍ଥଳରେ ଥିବା ବିଭିନ୍ନ ଆହ୍ୱାନକୁ କିପରି ସଫଳତାର ସହ ସାମନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବେ ସେଥିପାଇଁ ସେ ପ୍ରେରଣା ଦେଇଥିଲେ । ନିଜର ନିରନ୍ତର ଦକ୍ଷତା ବିକାଶ ସହ ଛାତ୍ରଛାତ୍ରୀଙ୍କୁ ବୁଝି ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଓ ସେମାନଙ୍କ ପ୍ରତିଭା ବିକଶିତ ହେବାରେ ସହାୟକ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ସମଗ୍ର ଶିକ୍ଷା ଓ ଷ୍ଟାରସରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗର ଉପଯୋଗ କରିବା ସଂଗେ ସଂଗେ, ପିଜିଟିମାନେ ନିଜେ କଠିନ ପରିଶ୍ରମ କରି ସମସ୍ତ ଆହ୍ୱାନକୁ ସାମନା କରି ସମାଜର ପରିବର୍ତ୍ତନର ସୂତ୍ରଧର ହେବା ପାଇଁ ଆହ୍ୱାନ ଦେଇଥିଲେ।

prayash

ଅନ୍ୟତମ ଅତିଥି ଆରଆଇଇର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ସମାଜ ଗଠନରେ ଶିକ୍ଷକର ଭୂମିକା ଉପରେ ଆଲୋକପାତ କରିବା ସଂଗେ ସଂଗେ ଶିକ୍ଷଦାନ ଏକ ମହତ କାର୍ଯ୍ୟ ଓ ଶିକ୍ଷକ ଉତ୍ତମ ନାଗରିକ ସମାଜକୁ ଦେଇପାରିବ ବୋଲି କହିଥିଲେ । ଏହିପରି ତାଲିମ କାର୍ଯ୍ୟକ୍ରମ ମିଳିତ ପ୍ରୟାସରେ ଅନୁଷ୍ଠାନରେ ଆୟାଜିତ ହୋଇଥିବାରୁ ସେ ବିଭାଗକୁ ସାଧୁବାଦ ଜଣାଇଥିଲେ । ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଅଂଶ ଗ୍ରହଣକାରୀ ପିଜିଟିମାନଙ୍କ ତାଲିମକାଳୀନ ଶିକ୍ଷଣ ଅନୁଭୂତି ଶୁଣି ବେଶ ଖୁସିବ୍ୟକ୍ତ କରିଥିଲେ। ଏହି ତାଲିମରେ ବ୍ୟବହାରିକ ଅନୁଭୂତି ଓ ବିଭିନ୍ନ ବିଷୟରେ ଜ୍ଞାନଲାଭ ଉଭୟ ପ୍ରତି ଗୁରୁତ୍ୱ ଦିଆଯାଇଥିବାରୁ ଶିକ୍ଷଣ ଅନୁଭୂତିକୁ କର୍ମକ୍ଷେତ୍ରରେ ପ୍ରୟୋଗ କରି ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ପାଇଁ ଆହ୍ୱାନ ଦେଇଥିଲେ।

ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍‌ ଆୟାର ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ପାଞ୍ଚଦିନିଆ ତାଲିମ ଶିବିରରେ ହୋଇଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଯଥା, ପ୍ରତ୍ୟହ ପ୍ରାତଃରୁ ଯୋଗାଭ୍ୟାସ, ଶ୍ରେଣୀଗୃହ ପରିଚାଳନା କୌଶଳ, ବିବିଧ ସମସ୍ୟା ସମାଧାନରେ ଶିକ୍ଷକର ସକାରାତ୍ମକ ଦୃଷ୍ଟିଭଙ୍ଗୀ, ସାମସ ପୋର୍ଟାଲର ବ୍ୟବହାର, ସ୍କଲାରସିପ ଯୋଜନା, ଆର୍ଥିକ ପରିଚାଳନା, ଚାକିରି ନିୟମାବଳୀ, ଧନ୍ଦାମୂଳକ ଶିକ୍ଷାର ପ୍ରସାର, ବିଦ୍ୟାଳୟ ଓ ଛାତ୍ରାବାସକୁ ରାଗିଙ୍ଗ ମୁକ୍ତ ଓ କର୍ମକ୍ଷେତ୍ରକୁ ଯୌନ ଶୋଷଣ ମୁକ୍ତ କରିବା ପାଇଁ ଦାୟିତ୍ୱ ଓ ଆଇନର ବିଧି ବ୍ୟବସ୍ଥା, ଧରଣୀୟ ବିକାଶ (ଗଉଐ ), ମୋ ସ୍କୁଲ ଅଭିଯାନ, ସମଗ୍ର ଶିକ୍ଷା, ଷ୍ଟାରସ ଆଦି ବିଭିନ୍ନ ପସଙ୍ଗରେ ତାଲିମ ସହ ପ୍ରଶିକ୍ଷାର୍ଥୀମାନେ ଆଇ.ସି.ଟି. ସଫୁଡିଓରେ କ୍ୟାମେରା ଆଗରେ ଡେମୋ ଶିକ୍ଷାଦାନ କରିଥିଲେ ଯାହା ରେକର୍ଡ କରାଯାଇଥିଲା। ଏତଦ୍‌ବ୍ୟତୀତ ସେମାନେ ୱାର୍ଲ ସ୍କିଲ ସେଣ୍ଟର ପରିଦର୍ଶନ କରି ଧନ୍ଦାମୂଳକ ଶିକ୍ଷା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିଥିଲେ। ପରିଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମୁଖ୍ୟ ଅତିଥି ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମକୁ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ପରିଚାଳନା କରିବା ସଂଗେ ନିର୍ଦ୍ଦେଶାଳୟ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ। ସନ୍ଧ୍ୟାରେ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ପ୍ରଶିକ୍ଷଣରେ ଓଡ଼ିଆ, ହିନ୍ଦୀ, ପ୍ରାଣୀବିଜ୍ଞାନ, ଉଦ୍ଭିଦବିଜ୍ଞାନ, ରସାୟନବିଜ୍ଞାନ, ପଦାର୍ଥ ବିଜ୍ଞାନ, ଭୂଗୋଳ ଓ ଭୂତତ୍ୱ ବିଜ୍ଞାନ ବିଷୟରେ ମୋଟ ୧୦୧ ଜଣ ପଜିଟି ତାଲିମ ନେଇଥିଲେ।

Comments are closed.