ବାଘ ସୁରକ୍ଷା ଓ ଆଦିବାସୀଙ୍କ ଜୀବନଜୀବିକା ପରସ୍ପର ପରିପୂରକ

ଆନ୍ତର୍ଜାତୀୟ ବାଘ ଦିବସ ପାଳିତ

ଅନୁଗୋଳ : ଆନ୍ତର୍ଜାତୀୟ ବାଘ ଦିବସ ପାଳନ ଅବସରରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଂଚଳର ପରିସୀମା ଗ୍ରାମ ପବଲା ଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତି ପକ୍ଷରୁ ଆୟୋଜିତ ସଭାରେ ଗ୍ରାମର ସଭାପତି ରଂଜନ ପଧାନ ସଭାପତିତ୍ବ କରିଥିଲେ। ସମଗ୍ର ପୃଥିବୀ ପୃଷ୍ଠରୁ ବାଘ ସଂଖ୍ଯା ଦୃତ ବେଗରେ ହ୍ରାସ ପାଉଥିବା ବେଳେ ଭାରତ ଦେଶରେ ପୃଥିବୀର ୭୦ ପ୍ରତିଶତ ବାଘ ଥିବାର ଆଲୋଚନା ହୋଇଥିଲା। ଆମ ଦେଶରେ ପ୍ରାୟଃ ୩ ହଜାର ବାଘ ଥିବା ବେଳେ ୨ ଦଶନ୍ଧୀ ହେଲା ବାଘ ସଂଖ୍ଯା ବୃଦ୍ଧି ପାଉଥିବା ଆଲୋଚନା କରାଯାଇଥିଲା। ଆଦିବାସୀ ଓ ବନବାସୀ ଯେଉଁ ସବୁ ଜଙ୍ଗଲରେ ବସବାସ କରୁଛନ୍ତି ସେହି ସବୁ ଜଂଗଲରେ ବାଘ ଦେଖାଯାଉଛନ୍ତି।

prayash

ଅଧିକାଂଶ ଜଂଗଲ ଅଂଚଳ ବିକାଶ କାର୍ଯ୍ଯଧାରାରେ ଧ୍ବଂସ ପାଉଥିବା କାରଣରୁ ଆଦିବାସୀ ଓ ବନବାସୀଂକର ଜୀବନଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି । ଆଦିବାସୀ ମାନଂକ ଅଧିକାର ଏବଂ ବାଘ ସମେତ ଅନ୍ଯାନ୍ଯ ବନ୍ଯଜୀବଂକର ସୁରକ୍ଷା ଗୋଟିଏ ମୂଦ୍ରାର ଦୁଇଟି ପାର୍ଶ୍ବ ଭଳି ପରଷ୍ପର ପରିପୂରକ। ଆଦିବାସୀ ଓ ବନବାସୀମାନଙ୍କର ସହଯୋଗ ବିନା ବାଘ ଓ ବନ୍ୟଜନ୍ତୁ ସୁରକ୍ଷା ସମ୍ଭବ ନୁହେଁ। ଆଦିବାସୀ ଓ ବନବାସୀମାନଙ୍କୁ ସାଙ୍ଗରେ ନେଇ ବାଘ ସୁରକ୍ଷା ପରିଚାଳନା କରାଯାଇଥିବାର ଆଇନଗତ ବ୍ୟବସ୍ଥା ରହିଛି। ସରକାରୀ ସ୍ତରରେ ଆନ୍ତର୍ଜାତୀୟ ନିର୍ଦ୍ଦେଶନାମା , ଚୁକ୍ତିନାମା ଏବଂ ପ୍ରଣୀତ ଆଇନ୍ ଓ ନିୟମାବଳୀ ଆଧାରରେ ବାଘ ସମେତ ବନ୍ୟଜୀବ ସୁରକ୍ଷା ସମ୍ଭବ ବୋଲି ପରିବେଶବିତ୍ ପ୍ରସନ୍ନ କୁମାର ବେହେରା ପ୍ରକାଶ କରିଥିଲେ। ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ମାନଂକର ପୂର୍ଣ୍ଣ ସହଯୋଗ ରେ ବାଘ ସଂରକ୍ଷଣ ସମ୍ଭବ ବୋଲି ଆଲୋଚନା କରାଯାଇଥିଲା । ଅନୁଗୋଳ ଟାଉନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ପ୍ରଧାନ ବାଘ ସହିତ ଆମର ରହିଥିବା ସାଂସ୍କୃତିକ ସଂପର୍କ , ଦେବଦେବୀଙ୍କକର ବାହାନ ପୂର୍ବକ ଧାର୍ମିକ ଚେତନା, ଜଂଗଲର ରାଜା ଏବଂ ସମସ୍ତଙ୍କର ମାମୁଁ ସହିତ ଜାତୀୟ ପ୍ରାଣୀର ଗୁରୁତ୍ବକୁ ଦୃଷ୍ଟାନ୍ତମୂଳକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ବାଘ-ମଣିଷ ବିଭେଦ ଓ ସଂଘର୍ଷ ମନୁଷ୍ୟକୃତ ଏବଂ ଏହାର ନିରାକରଣ ଓ ନିୟତ୍ରଣ ମଣିଷ ଦ୍ବାରା ହୋଇପାରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

ସ୍ଥାନୀୟ ବନପାଳ କୁଶଧ୍ବଜ ନାୟକ ଗ୍ରାମବାସୀଂକର ସହଯୋଗ ଓ ସହଭାଗିତାରେ ଜଂଗଲ, ଜୈବବିବିଧତା ଏବଂ ବନ୍ଯଜୀବ ସଂରକ୍ଷଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମିତି ସଂଯୋଜକ ସୁବ୍ରତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଗ୍ରାମବାସୀ ମାନେ ବନ୍ୟଜନ୍ତୁ ଶିକାରୀ ମାନଙ୍କୁ ଧରାଇବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ବାଘ ମାନଂକର ବାସସ୍ଥାନ, ବ୍ଯବହାରିକ ଚଳଣି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସମିତି ର ଅନ୍ଯତ୍ତମ ସଂଯୋଜକ ପ୍ରିୟବ୍ରତ ବେହେରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

Comments are closed.