ଯୁବକଙ୍କ ମୃତ ଦେହ ଠାବ ଘଟଣା, ହତ୍ୟା ଅଭିଯୋଗରେ ୨ ଗିରଫ
ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡା ପଂଚାୟତ ମୂର୍ଜା ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଠାବ ଘଟଣା ଭିନ୍ନ ମୋଡ଼ ନେଇଛି। ପ୍ରାଥମିକ ତଦନ୍ତରୁ ଯାହା ଅନୁମାନ କରା ଯାଉଥିଲା ତାହା ସତରେ ପରିଣତ ହୋଇଛି। ନିଶାଶକ୍ତ ଅବସ୍ଥାରେ ୨ଜଣ ଯୁବକ ସମ୍ପୃକ୍ତ ଯୁବକଙ୍କ ମୁଣ୍ଡକୁ ବୋତଲରେ ପିଟି ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। ହତ୍ୟାକାରୀ ହେଲେ ସାଲାଗୁଡା ପଂଚାୟତ ମୁର୍ଜା ଗ୍ରାମର ମମିତ ମଲିକ ଏବଂ ଜାମୁଝରି ପଂଚାୟତ ପଦର ସାହିର ଲାଲୁ ପ୍ରସାଦ କହଁର। ସୂଚନାଯୋଗ୍ୟ ଗତ 25 ତାରିଖରେ ଭରତ ମଲିକ କଟ୍ରିଙ୍ଗିଆ ପଂଚାୟତ କୁନ୍ଦାଲି ଗ୍ରାମକୁ ଭୋଜି ଖାଇବା ପାଇଁ ଯାଇ ଆଉ ଘରକୁ ଫେରି ନ ଥିଲେ। ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନ ଥିଲେ।
ବୁଧବାର ସକାଳେ ଏଠାରୁ ପ୍ରାୟ ୩ କିମି ଦୂର ମାଣିଜିରି ଗ୍ରାମର ସୁଦ୍ର କହଁରଙ୍କ ଘର ଅଗଣାରେ ତାଙ୍କ ମୃତ ଦେହ ପଡିଥିବା ନେଇ ପରିବାର ଲୋକେ ଖବର ପାଇଥିଲେ । ପରିବାର ଲୋକେ ଆସି ଦେଖିବା ବେଳକୁ ଭରତଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡିଥିଲା । ଏ ନେଇ ଗୋଚ୍ଛାପଡା ଥାନାକୁ ସୁଚନା ଦିଆଯିବା ପରେ ଥାନାଧିକାରୀ ରଂଜିତ ମୁନି, ସଦର ଏସଡିପିଓ ସୁପ୍ରସନ୍ନ ମଲିକ ସାଇଂଟିଫିକ ଟିମ ସହ ଯାଇ ଘଟଣାର ଛାନବିନ କରିଥିଲେ। ମୃତକଙ୍କ ସ୍ତ୍ରୀ ବିଶିମତି ମଲିକ ଏ ନେଇ ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ। ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଛି. ପୋଲିସ ଏ ନେଇ ୧୦୮/୨୩ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା।
Comments are closed.