ଉଦାସୀନତା ପଙ୍କରେ ହୀରାକୁଦ ବନ୍ଧ

0

ହେମନ୍ତ କୁମାର ପଣ୍ଡା

prayash

ସ୍ୱାଧୀନ ଭାରତର ପ୍ରଥମ ନଦୀବନ୍ଧ ହୀରାକୁଦର କଂକ୍ରିଟ ଢଳାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କିଛିକ୍ଷଣ ପାଇଁ ଭାବୁକ ହୋଇଯାଇଥିଲେ। ବର୍ତ୍ତମାନ ସେହି ହୀରାକୁଦ ଜଳଭଣ୍ଡାର ଓ ମହାନଦୀକୁ ନେଇ ରାଜ୍ୟବାସୀ ଚିନ୍ତିତ। ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ କମିବାରେ ଲାଗିଛି। ହୀରାକୁଦ ଉପର ମୁଣ୍ଡରେ ତଥା ଛତିଶଗଡରେ ସରକାର ଗୋଟିଏ ପରେ ଗୋଟିଏ ବ୍ୟାରେଜ ଓ ବନ୍ଧ ମହାନଦୀ ପ୍ରଣାଳୀରେ ନିର୍ମାଣ କରିବା ଦ୍ୱାରା ହୀରାକୁଦ ତଳମୁଣ୍ଡରେ କୃତ୍ରିମ ବନ୍ୟା ଓ ଜଳାଭାବ ପରିସ୍ଥିତି ଉତ୍ପନ୍ନ ହୋଇଛି। ସେପ୍ଟେମ୍ବର ୩୦ ତାରିଖ ଦିନ ଜଳଭଣ୍ଡାରରେ ଜଳସ୍ତର ୬୩୦ ଫୁଟକୁ ଛୁଇଁପାରି ନାହିଁ। ଗତ ବର୍ଷାଋତୁରେ ବର୍ଷାର ପରିମାଣ ଯେ କମ୍ ଥିଲା ଏହା ନୁହେଁ, ମହାନଦୀ ପ୍ରଣାଳୀରେ ଛତିଶଗଡ ସରକାର ଶତାଧିକ ବ୍ୟାରେଜ ନିର୍ମାଣ କରିଥିବା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳାଭାବ ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ କଲମା ବ୍ୟାରେଜର ୬୬ଟି ଜଳନିଷ୍କାସନ ଦ୍ୱାର ମଧ୍ୟରୁ ମାତ୍ର ୨ଟି ଦ୍ୱାର ଖୋଲାଥିବା ନିକଟରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏବଂ ଏହି ଦୁଇଟି ମାତ୍ର ଦ୍ୱାରକୁ ବନ୍ଦ କରାଗଲେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବା ଆଶଙ୍କା ରହିଛି। ଏହାଦ୍ୱାରା ବିଜୁଳି ଉତ୍ପାଦନ ଓ ହୀରାକୁଦ କମାଣ୍ଡ ଏରିଆରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଦୁଇ ରାଜ୍ୟ ତଥା ଓଡିଶା ଓ ଛତିଶଗଡର ବିବାଦ ମଧ୍ୟରେ ପୃଥିବୀର ଦୀର୍ଘତମ ମାଟିବନ୍ଧ ତଥା ନେହେରୁଙ୍କ ସ୍ୱପ୍ନର ହୀରାକୁଦ ବନ୍ଧର ଜଳବଣ୍ଟନ ପାଇଁ କେନ୍ଦ୍ର ସରକାର ଟ୍ରାଇବୁନାଲ ଗଠନ କରିଥିଲେ ମଧ୍ୟ ଏହା ଏକ ବିଳମ୍ବିତ ପ୍ରକ୍ରିୟା। ମହାନଦୀକୁ ଏହି ଦୁଇ ରାଜ୍ୟ ନିଜର ଜୀବନରେଖା ଭାବେ ଅଭିହିତ କରି ଆସୁଛନ୍ତି, କିନ୍ତୁ ଏହା ସ୍ପଷ୍ଟ ଯେ ଓଡିଶାର ରାଜନୈତିକ ନେତା ଏବଂ ଦଳମାନଙ୍କ ଦୀର୍ଘକାଳୀନ ଉଦାସୀନତା ଯୋଗୁଁ ଆଜି ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ସ୍ଥାୟୀ ଭାବରେ କମିଯିବା ଆଶଂକା ଦେଖାଦେଇଛି।
ମହାନଦୀ ପ୍ରଣାଳୀରେ ସବୁଠାରୁ ଅଧିକ ବ୍ୟାରେଜ ୧୯୮୦ ରୁ ୯୦ ମସିହା ମଧ୍ୟରେ ନର୍ମାଣ କରାଯାଇଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି। ତତ୍କାଳୀନ ମଧ୍ୟପ୍ରଦେଶ ହେଉକି ବର୍ତ୍ତମାନର ଛତିଶଗଡ ସରକାର ହେଉ, ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କଲାପରେ ମଧ୍ୟ ଓଡିଶା ସରକାର ସ୍ୱର ଉତ୍ତୋଳନ ନକରି ଉଦାସୀନ ମନୋଭାବ ପୋଷଣ କଲେ। ନେଡିଗୁଡ କହୁଣିକୁ ବୋହିଗଲା ପରେ ତଥା ୨୦୦୦ ମସିହା ୭ଜୁଲାଇ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କୁ ଲେଖିଥିବା ପତ୍ରରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମହାନଦୀରେ ୮ଟି ବଡ ପ୍ରକଳ୍ପ, ୨୨ଟି ମଧ୍ୟମ ଓ ୧୦ଟି ବ୍ୟାରେଜର ନିର୍ମାଣ ସରିଯାଇଥିବା ଏବଂ ଆଉ ୫ଟି ଡ୍ୟାମ ନିର୍ମାଣାଧୀନ ଥିବା ଉଲ୍ଲେଖ କରିଥିଲେ। ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହୀରାକୁଦ ଜଳଭଣ୍ଡାର ପ୍ରଭାବିତ ହେବ ଓ ବିଜୁଳିଶକ୍ତି କମ୍ ଉତ୍ପାଦନ ହେବା ସହିତ ସିଣ୍ଢୋଲଠାରେ ପ୍ରସ୍ତାବିତ ଜଳ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ ବୋଲି ଉଲ୍ଲେଖ କରିଥିଲେ। ​‌େ‌କୗଣସି ଠୋସ ପଦକ୍ଷେପ ନିଆଗଲା ନାହିଁ। ପରିସ୍ଥିତି ଅଣାୟତ୍ତ ହେବାପରେ କେବଳ ଅନ୍ୟକୁ ଦୋଷ ଲଦିଦେଇ ନିଜେ ଖସିଯିବା ପାଇଁ ରାଜନୀତିକୁ ଜୋରଦାର କରାଗଲା କିନ୍ତୁ ଏହା ସ୍ପଷ୍ଟ ଯେ ସମ‌େ‌ୟାପଯୋଗୀ ପଦକ୍ଷେପ କେହି ନେଲେ ନାହିଁ।
ହୀରାକୁଦ ବନ୍ଧ ନିର୍ମାଣ ସମୟରେ ବନ୍ଧ ନିର୍ମାଣକୁ ବିରୋଧ କରି ତତ୍କାଳୀନ ଗଡଜାତ ଅଞ୍ଚଳର କେତେକ ରାଜା ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଷଡଯନ୍ତ୍ର ରଚିଥିବା ଓଡିଶା ସରକାର ଗୁରୁତର ଅଭିଯୋଗ କଲା ପରେ ମହାତ୍ମା ଗାନ୍ଧୀ ଦେଶର ବିକାଶକୁ ବିରୋଧ କରି ଏଭଳି ଷଡଯନ୍ତ୍ର ନକରିବାକୁ ଆହ୍ୱାନ ଦେଇଥିବା କଥା ଭିପି ମେନନ୍ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ହୀରାକୁଦ ନଦୀବନ୍ଧ ସପକ୍ଷରେ ଅହ୍ୱାନ ଦେବା ପାଇଁ ଗାନ୍ଧୀ ଆଉ ଆଜି ଆମ ଗହଣରେ ନାହାନ୍ତି। ବ୍ୟକ୍ତିସ୍ୱାର୍ଥକୈନ୍ଦ୍ରିକ ରାଜନୀତିର ପଙ୍କରେ ହୀରାକୁଦ ବନ୍ଧ ପ୍ରତି ଉଦାସୀନ ମନୋଭାବ ପୋଷଣ କରାଯାଇଛି। ଲକ୍ଷାଧିକ ବିସ୍ଥାପିତଙ୍କ ତ୍ୟାଗରେ ନିର୍ମିତ ପଣ୍ଡିତ ନେହେରୁଙ୍କ ବିକାଶର ମନ୍ଦିରକୁ ଓଡିଶାର ସାମଗ୍ରିକ ଲାଭ ପାଇଁ ରକ୍ଷା କରିବାକୁ ସମୟ ଉପନୀତ ହୋଇଛି।
ଟିକ୍ରାପଡା, ବଲାଙ୍ଗିର

kalyan agarbati
Leave A Reply