କେନ୍ଦୁଝରରେ ଭର୍ଚୁଆଲ ଷ୍ଟୁଡିଓ ଆରମ୍ଭ, ଯୋଡ଼ିହେବ ଜିଲାର ୫-ଟି ଉପକ୍ରମରେ ରୂପାନ୍ତରିତ ବିଦ୍ୟାଳୟ
କେନ୍ଦୁଝରଗଡ: କେନ୍ଦୁଝର ସହରସ୍ଥିତ ଜନଜାତି ସାଧନ କେନ୍ଦ୍ର ପରିସରରେ ଭର୍ଚୁଆଲ ଷ୍ଟୁଡିଓ ଆରମ୍ଭ ହୋଇଛି। ଜିଲାପାଳ ଆଶିଷ ଆଜି ଏହାକୁ ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ଅଧିନରେ ନିର୍ମିତ ଏହି ଅତ୍ୟାଧୁନିକ ଭର୍ଚୁଆଲ ଷ୍ଟୁଡିଓଟି ଜିଲାରେ ୫-ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା ଉଚ୍ଚବିଦ୍ୟାଳୟ ସହ ସିଧା ସମ୍ପର୍କ ଯୋଡିବାରେ ସହାୟକ ହେବବୋଲି ଜିଲାପାଳ ଉଦ୍ଘାଟନ ଅବସରରେ ସୂଚନା ଦେଇଥିଲେ। ମୁମ୍ବାଇସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କନିଷ୍ଠ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିବା ହରିଚନ୍ଦନପୁର ବ୍ଲକ କଣ୍ଟାପଦା ଗ୍ରାମର କୈବଲ୍ୟ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲାର ୪୩୦ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଭର୍ଚୁଆଲ ଯୋଗେ ନିଜର ପ୍ରେରଣାଦାୟୀ ଯାତ୍ରା ଏବଂ ସଫଳତାର କାହାଣୀ ସମ୍ପର୍କରେ ବଖାଣିଥିଲେ।
ଛାତ୍ରଛାତ୍ରୀଙ୍କ ସହ କୈବଲ୍ୟଙ୍କୁ ଜିଲାପାଳ ଶ୍ରୀ ଠାକରେ ପରିଚିତ କରିବା ସହ କୈବଲ୍ୟଙ୍କ ସଫଳତା ସମଗ୍ର ଜିଲା ପାଇଁ ଗୌରବର ବିଷୟ ବୋଲି କହିଥିଲେ। ଦୀର୍ଘ ୪୫ମିନିଟ୍ ଧରି ଚାଲିଥିବା ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କୈବଲ୍ୟ ତାଙ୍କର ସଂଘର୍ଷରୁ ଆରମ୍ଭ କରି ସଫଳତା ଯାଏଁ ଜୀବନର ବିଭିନ୍ନ ବିନ୍ଦୁ ଉପସ୍ଥାପିତ କରିବା ସହ ସମସ୍ତ ଛାତ୍ରଛାତ୍ରୀ କିଭଳି ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ଦିଗରେ ଅଗ୍ରସର ହୋଇପାରିବେ ସେ ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ କୈବଲ୍ୟଙ୍କୁ ପାଠପଢ଼ା ଓ କ୍ୟାରିୟର ସମ୍ପର୍କିିତ ପ୍ରଶ୍ନର ଉତ୍ତର ଦେଇଥିଲେ କୈବଲ୍ୟ। ଏଥିସହ ଜରୁରୀ ସମୟରେ ଜିଲା ପ୍ରଶାସନ ପକ୍ଷରୁ ଏକ ଲ୍ୟାପଟପ୍ ପ୍ରଦାନ କରାଯାଇଥିବା ହେତୁ ଜିଲା ପ୍ରଶାସନ, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ କୈବଲ୍ୟ। ଜିଲାର ବିଭିନ୍ନ ସ୍ଥାନରୁ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଇ ‘ଆମ ପ୍ରେରଣା’ କାର୍ଯ୍ୟକ୍ରମ ନିୟମିତ ଭାବେ ଜାରି ରହିବ ବୋଲି ଜିଲାପାଳ ଶ୍ରୀ ଠାକରେ କହିଥିଲେ। ଏହି ଅବସରରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ।
Comments are closed.