ମହାନଦୀର ଅଭିଶପ୍ତ ଉତ୍ତରକୂଳ ଏବେବି ଜଳଶୂନ୍ୟ: ହଜେଇ ଦେଲେ ବୁରୁଜ, ଉଜାଡି ଦେଲେ ଝାଉଁବଣ

ତିଗିରିଆ: ବର୍ଷାର ଅନିୟମିତତା କାରଣରୁ ଧାରା ଶ୍ରାବଣ ମାସ ଅଧା ସରିବାକୁ ବସିଥିଲେ ମଧ୍ୟ ମହାନଦୀ ଉତ୍ତରକୂଳରେ ଲୋକେ ଜଳ ଦେଖିବାକୁ ପାଉନାହାନ୍ତି। ମହାନଦୀରେ ବଢ଼ି ପାଣି ନ ଆସିବା ପର୍ୟ୍ୟନ୍ତ ଏଭଳି ସ୍ଥିତି ପ୍ରତିବର୍ଷ ଲାଗି ରହୁଛି। ଚଳିତ ବର୍ଷ ମଧ୍ୟ ଏଯାବତ୍ ଅନୁରୂପ ସ୍ଥିତି ରହିଛି। ମହାନଦୀ କୂଳରେ ଥାଇ ଟୋପେଜଳ ମିଳୁନି । ବନ୍ଧବାଡ଼କୁ ଲାଗି ରହିଥିବା ଶହଶହ ଏକର ପରିମିତ କୃଷି କ୍ଷେତ୍ରକୁ ଆବଶ୍ୟକତା ବେଳେ ଜଳ ସେଚନ କିମ୍ବା ପ୍ରଚଣ୍ଡ ତାତି ଜନିତ ଜଳ ସଂକଟ ସମୟରେ ମଣିଷ ଓ ଗୃହପାଳିତଙ୍କ ଶୋଷ ମେଣ୍ଟାଇବା ଆଉ ସମ୍ଭବ ହେଉନି । ବଡ଼ମା ବ୍ଳକର କୁମାରିଙ୍ଗା ପାହାଡ ଠାରୁ ତିଗିରିଆ ବ୍ଲକ ଖଣ୍ଡହତା ପର୍ୟ୍ୟନ୍ତ ପ୍ରାୟ ୧୩ କି.ମି ମଧ୍ୟରେ ବଡ଼ମ୍ୱା, ତିଗିରିଆ ଓ ବାଙ୍କୀ ଉତ୍ତର କୁଳାଟ ଅଞ୍ଚଳର ୬ଗୋଟି ପଞ୍ଚାୟତର ଜନସାଧାରଣଙ୍କ ପାଇଁ ମହାନଦୀର ମଧୁର ଜଳ ଏବେ ମିଛ ମରିଚିକା ପାଲଟି ଯାଇଛି । ଗତ ପ୍ରାୟ ୧୫ରୁ ୨୦ ବର୍ଷ ମଧ୍ୟରେ ମହାନଦୀ ବାଲିଶଯ୍ୟାରେ ପରିବର୍ତ୍ତନ ଅଞ୍ଚଳବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହୋଇପଡ଼ିଛି।

ରାଜ୍ୟରେ ଏହି ଅଞ୍ଚଳରେ ପ୍ରବାହିତ ମହାନଦୀ ସର୍ବାଧିକ ପ୍ରଶସ୍ଥ ହୋଇଥିବା ବେଳେ ଉତ୍ତର କୂଳରୁ ୩ରୁ ସାଢେ ୩କି.ମି ବାଲି ଶଯ୍ୟା ଅତିକ୍ରମ କଲେ ଯାଇ ଦକ୍ଷିଣକୂଳ ବାଙ୍କୀକଡ଼ରେ ମହାନଦୀର ଜଳ ପ୍ରବାହକୁ ଦେଖିବାକୁ ମିଳୁଛି। ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଦିନ ଥିଲା, ବର୍ଷା ଦିନକୁ ବାଦଦେଲେ ବର୍ଷର ଅବଶିଷ୍ଠ ଋତୁଗୁଡ଼ିକରେ ମହାନଦୀ ଶୁଖିଲା ରହିଥାଏ। କିନ୍ତୁ ମହାନଦୀର ଉତ୍ତର କୂଳରେ ଶୀତ ଦିନ ଏବଂ ପ୍ରଚଣ୍ଡ ଖରାତାତି ସମୟରେ ମଧ୍ୟ ଛୋଟଛୋଟ ଜଳଧାର ଉତ୍ସ ଦେଖିବାକୁ ମିଳୁଥିଲା।

prayash

ବଡ଼ମ୍ବା ବ୍ଲକର କୁମାରିଙ୍ଗା ପାହାଡ଼ ଯୋଗୁଁ ଗୋବିନ୍ଦପୁର ଏବଂ ହରିଠା ଠାରେ ରହିଥିବା ଝାଉଁବଣି ନିକଟରେ ଏକ ବିଶାଳ ଗଭୀର ଜଳ ଉତ୍ସ ସୃଷ୍ଟି ହୋଇଥିଲା ବେଳେ ତିଗିରିଆ ବ୍ଳକ ଅନ୍ତର୍ଗତ ସାନନାଉପୁଟ ନିକଟ ବନ୍ଧ ଭୁଆସୁଣୀପୀଠ, ଐଶାନେଶ୍ବର ପୀଠ, ହାଟମାଳ ଓ ଶୁଣ୍ଡିପାଳ ଗ୍ରାମର ଝାଉଁବଣି ପଠାତଳ, ବୃଦ୍ଧେଶ୍ବର ପୀଠ, ବଉଳାଙ୍ଗ, ଖଣ୍ଡହତାଆଦି ଗ୍ରାମ ସମେତ ଉପରୋକ୍ତ ଅଞ୍ଚଳ ସହ ଯୋଡ଼ିହୋଇ ରହିଥିବା ବାଙ୍କୀ ଉତ୍ତର କୁଳାଟର ସହଗାଁଗୋପାଳପୁର, କେଉଟପାଟଣା ମଦନମୋହନ ମନ୍ଦିର ନିକଟ ଓ ବନ୍ଦାଳ ଆଦି ସ୍ଥାନରେ ଛୋଟ ବଡ଼ ଅନେକ ବୁରୁଜ ରହିଥିବା କାରଣରୁ ତାହା ନିକଟରେ ବୁରୁଜର ଆକାର ଅନୁଯାୟୀ ଜଳାଶୟ ରହିଥିଲା। ଏହାର ଅଳ୍ପ ଦୂରରେ ଜଳଧାର ମଧ୍ୟ ଦେଖିବାକୁ ମିଳୁଥିଲା। ବର୍ଷାନୁକ୍ରମେ ବୁରୁଜ ଭାଙ୍ଗିରୁଜି ବାଲିଶଯ୍ୟାରେ ମିଶିଯିବା ସାଙ୍ଗକୁ ଉତ୍ସ ଗୁଡିକ ମଧ୍ୟ ନିଶ୍ଚିହ୍ନ ହୋଇଯାଇଛି। ବର୍ଷାନୁକ୍ରମେ ବାଲିଶଯ୍ୟା ଉଚ୍ଚତା ବୃଦ୍ଧି ହୋଇଥିଲା। ପ୍ରଭାବରେ ରହିଥିବା ପୁରୁଣା ବୁରୁଜଗୁଡିକ ପୋତି ହୋଇଗଲା। ହେଲେ ଏହାର ତତ୍କାଳ ମରାମତି କରିବା ଏବଂ ଆବଶ୍ୟକତା ଅନୁଯାୟୀ ନବୀକରଣ କରାଗଲା ନାହିଁ। ପ୍ରଭାବରେ ଲୋକେ ଏବେ ମହାନଦୀର ଜଳ ବଦଳରେ ଶୁଖିଲା ବାଲିର ତତଲା ଦାଉକୁ ସହ୍ୟ କରୁଛନ୍ତି।
୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟାରେ ଏହିସବୁ ଅଞ୍ଚଳରେ ବନ୍ଧବାଡ଼ ଭାଙ୍ଗି ପ୍ରଭୂତ ଧନସମ୍ପଦ ନଷ୍ଟ କରିଥିଲା।

ରାଜ୍ୟରେ ତତ୍କାଳୀନ ସରକାରଙ୍କ ସ୍ବତନ୍ତ୍ର ଆଗ୍ରହ କ୍ରମେ ବନ୍ୟାପରବର୍ତ୍ତୀରେ ବନ୍ଧବାଡ଼ର ମରାମତି ସହ କୂଳ ସୁରକ୍ଷା ଏବଂ ଜନବସତିଗୁଡିକର ଆବଶ୍ୟକତାକୁ ଦୂରଦୃଷ୍ଟିର ସହ ବିଚାରକୁ ନିଆଯାଇଥିଲା। ଜଳ ସଂରକ୍ଷଣ ପାଇଁ ବହୁ ସଂଖ୍ୟାରେ ବୁରୁଜ ନିର୍ମାଣ କରାଯାଇଥିଲା। ଅନେକ ସ୍ଥାନରେ ସୁଦୀର୍ଘ ବରୁଜ ନିର୍ମାଣ ଯୋଗୁଁ ବର୍ଷାଦିନେ ମହାନଦୀ ବନ୍ୟାଜଳର ପ୍ରଖର ସ୍ରୋତକୁ ଧକ୍କା ଦେଇ ନଦୀ ମଧ୍ୟକୁ ମୁହାଁଇବା ସହିତ ବନ୍ଧବାଡ଼କୁ ସୁରକ୍ଷିତ ରଖିବାରେ ସହାୟକ ହେଉଥିଲା। ଫଳରେ ବୁରୁଜ ନିକଟରେ ବଡ଼ବଡ଼ ଜଳଭାଣ୍ଡ (ଉତ୍ସ) ସୃଷ୍ଟି ହେବା ସହ ବର୍ଷ ତମାମ ପର୍ୟ୍ୟାପ୍ତ ପରିମାଣର ଜଳ ରହୁଥିଲା। ନଦୀ କୂଳବର୍ତ୍ତୀ ଜନସାଧାରଣ ସେମାନଙ୍କର ବିଭିନ୍ନ ସାମାଜିକ କାର୍ୟ୍ୟ ସମ୍ପାଦନ କରିପାରୁଥିଲେ।

ଜଳସେଚନ ବିଭାଗ ପକ୍ଷରୁ ବନ୍ଧବାଡ଼ ସୁଦୃଢ଼ କରଣକରାଯାଇ ବିଭିନ୍ନ ସ୍ଥାନରେ ବନ୍ଧବାଡ଼କ ପଥର ଛାଉଣି କରାଯାଇଛି। ସେତେବେଳେ ମହାନଦୀ ଭିତରକୁ ବୁରୁଜ ନିର୍ମାଣପାଇଁ ଲୋକଙ୍କ ଦାବିକୁ ଉପେକ୍ଷା କରାଯାଇଛି। ସେହିଭଳି ବନ୍ଧବାଡ କଡ଼ରେ ବ୍ୟାପକ ଝାଉଁ ବଣ ସୃଷ୍ଟି କରାଯାଇଥିଲା। ଝାଉଁ ଗଛ ମୃତ୍ତିକା ସଂରକ୍ଷଣ କରିବା ସହ ଖରାଦିନେ ମହାନଦୀର ତତଲା ବାଲି ଝଡ଼ରୁ କୁଳବର୍ତ୍ତୀ ଜନବସତିକୁ ସୁରକ୍ଷା ଦେଉଥିଲା। ସୁରକ୍ଷା ଅଭାବରୁ ବର୍ଷାନୁକ୍ରମେ ଝାଉଁ ବଣ ଲୋପ ପାଇଯାଇଛି ଜ୍ଝ ଅର୍ଥ ଲୋଭରେ ବିଭିନ୍ନ ପଞ୍ଚାୟତ ପକ୍ଷରୁ ଆକାଶିଆ, କାଜୁ ଆଦି ଗଛକୁ ଗୁରୁତ୍ବ ଦିଆଯାଇଛି। ଏବେ ଯଦିଓ ବନ୍ଧବାଡ ଏବଂ ଏହାର ତଳି ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯାଇଛି ତାହା କିନ୍ତୁ ଝାଉଁ ବଦଳରେ ଅନ୍ୟାନ୍ୟ ବୃକ୍ଷ ସ୍ଥାନ ପାଇଛି। ଯାହାକି ବାଲି ଝଡ଼କୁ ପ୍ରତିରୋଧ କରିବାରେ ସହାୟ ହେଉ ନଥିବା ଜଣାପଡ଼ିଛି।

kalyan agarbati

Comments are closed.