ବିଭାଗୀୟ ଅଧିକାରୀମାନେ ନିଜ ମଧ୍ୟରେ ଉଚିତ ସମନ୍ୱୟ ରଖି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦେଶ
ଜୁଲାଇ ୨୫ରୁ ୨୭ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ତିନିଦିନିଆ ଓଡ଼ିଶା ଗସ୍ତ ସମୟରେ ସ୍ଥିରୀକୃତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଜୁଲାଇ ୨୫ ତାରିଖ ଦିନ ରାଜ ଭବନ ଠାରେ ରାଷ୍ଟ୍ରପତି ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ଥିବାବେଳେ ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥା ଓ ଖୋର୍ଦ୍ଧା ଜିଲା ପ୍ରଶାସନର ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା, ରାଜଭବନ ଓ ତମାଣ୍ଡୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ଜୁଲାଇ ୨୭ ତାରିଖରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଯେଭଳି ତ୍ରୁଟିଶୂନ୍ୟ ଓ ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ସେଥିପାଇଁ ଯତ୍ନବାନ ହେବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମ ସମୟରେ ସଭାସ୍ଥଳୀକୁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ, ଟିପିସିଓଡିଏଲ ଏବଂ ଓପିଟିସିଏଲକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଜ୍ଞ ଯନ୍ତ୍ରୀମାନେ ଉପସ୍ଥିତ ରହି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଏବଂ ମହଜୁଦ୍ ଜେନେରେଟରଗୁଡ଼ିକର କାର୍ଯ୍ୟକ୍ଷମ ବ୍ୟବସ୍ଥାକୁ ଯାଞ୍ଚ କରିବେ। କାର୍ଯ୍ୟକ୍ରମ ସ୍ଥଳରେ ପାନୀୟ ଜଳ ଯୋଗାଣ, ଅନୁମୋଦିତ ଯୋଜନା ଅନୁସାରେ ସଭା ମଞ୍ଚ ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା, ଚିକିତ୍ସା ଓ ଆମ୍ବୁଲାନ୍ସ, ଡାକ୍ତରୀ ଟିମ ମୁତୟନ, ଉତ୍ସବସ୍ଥଳୀକୁ ଯାତାୟତ ରାସ୍ତାର ମରାମତି ଓ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟେଲିଫୋନ, ବ୍ରଡବ୍ୟାଣ୍ଡ ଓ ହଟଲାଇନ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।
ବୈଠକରେ ଉପସ୍ଥିତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏହି ସମୟରେ ଗସ୍ତସୂଚୀରେ ଥିବା ରୁଟରେ ସମସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଯାନବାହାନକୁ ହଟାଇନେବା ପାଇଁ କୁହାଯାଇଥିଲା। ପୁଲିସ ବିଭାଗ ତରଫରୁ କାରକେଡ୍, ଟ୍ରାଫିକ୍ ଏବଂ ଯାନବାହାନ ପାର୍କିଂକୁ ସୁବ୍ୟବସ୍ଥିତ କରାଯିବ। ସଭାମଞ୍ଚ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ, ବ୍ୟାରିକେଡିଂ ବ୍ୟବସ୍ଥା, ଅତିଥିମାନଙ୍କ ବସିବା ବ୍ୟବସ୍ଥା, ଆବଶ୍ୟକ ପାସ୍ ବ୍ୟବସ୍ଥା, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭନ୍ନ ଗଣମାଧ୍ୟମକୁ ସୂଚନା ପ୍ରଦାନ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକୀୟ ଯାନବାହନ ଯୋଗାଣ, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ମୁତୟନ ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ ଉପସ୍ଥିତ ଥିବା ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରତିନିଧିମାନଙ୍କ ସହ ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହିତ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୋଗାଯୋଗ ରକ୍ଷା କରି ସମସ୍ତ ଆୟୋଜନ କରିବାକୁ କୁହାଯାଇଥିଲା। ବିଭାଗୀୟ ଅଧିକାରୀମାନେ ନିଜ ନିଜ ମଧ୍ୟରେ ଉଚିତ ସମନ୍ୱୟ ରଖି କାର୍ଯ୍ୟ କରିବା ଏବଂ ଏଥି ନିମନ୍ତେ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଦଳାଇ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମସ୍ତେ ନିଜ ନିଜ ଦାୟିତ୍ୱକୁ ପ୍ରାଥମିକତା ଦେଇ ତାହାକୁ ସୁଚାରୁ ରୂପେ ସମ୍ପାଦନ କରିବେ। ଦାୟିତ୍ୱରେ ଅବହେଳା କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ସଫଳ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲାପାଳ ଦିଲ୍ଲୀପ ମହାପାତ୍ର, ଖୋର୍ଦ୍ଧା ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ସମେତ ଜିଲା ପ୍ରଶାସନ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବ୍ରହ୍ମାକୁମାରୀ କେନ୍ଦ୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
Comments are closed.