୪୦ହଜାର କାଉଡିଆ ପ୍ରଭୂ ଧବଳେଶ୍ୱରଙ୍କୁ କଲେ ଜଳଲାଗି
ଗୁରୁଡିଝାଟିଆ: ଶ୍ରାବଣର ଦ୍ୱିତୀୟ ସୋମବାରରେ ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ଅହେତୁକ ଭିଡ ପରିଲକ୍ଷିତ ହୋଇଥିଲା। ୪୦ ହଜାରରୁ ଅଧିକ କାଉଡିଆ ଓ ଶ୍ରଦ୍ଧାଳୁ ଜଳଲାଗି କରିଥିଲେ। ପ୍ରଶାସନ ପକ୍ଷରୁ ଶ୍ରଦ୍ଦାଳୁମାନେ ସୁରୁଖୁରୁରେ ଦର୍ଶନ କରି ଫେରିଯିବା ନିମନ୍ତେ ରାତି ୨ଟାରୁ ପ୍ରଭୁ ଧବଳେଶ୍ବରଙ୍କ ପହଡ ଖୋଲାଯାଇ ସମସ୍ତ ନୀତିକାନ୍ତି ସଂପନ୍ନ ପରେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଦର୍ଶନ ପାଇଁ ଛଡାଯାଇଥିଲା। ମଙ୍ଗଳଆଳତୀ, ସ୍ନାନ, ବାଳଭୋଗ ଓ ସିଙ୍କୁଡିଭୋଗ ଅର୍ପଣ କରାଯାଇଥିଲା।
ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଦିପ୍ତିମୟୀ ବେହେରା ଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା, ନୀତିପାଳିଆ ପ୍ରକାଶ ପତ୍ରୀ ପ୍ରଭୂଙ୍କ ନୀତିକାନ୍ତି ସମାପନ କରିଥିଲେ। ଲମ୍ବାଧାଡିରେ ଶ୍ରଦ୍ଧାଳୁ ଓ କାଉଡିଆମାନେ ଠିଆ ହୋଇ ଜଣକପରେ ଜଣେ ପ୍ରଭୂଙ୍କ ନିକଟରେ ଜଳଲାଗି କରିଥିଲେ। ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ ଓ ଜଳଲାଗି କରିବା ନିମନ୍ତେ ଜିଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଓ ଅତିରିକ୍ତ ଜିଲା ଆରକ୍ଷୀ ଅଧିକାରୀ କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.