ପ୍ରକାଶ ପାଉନି ଧରଣୀଧର ବିଶ୍ୱବିଦ୍ୟାଳୟ ଗେଜେଟ ବିଜ୍ଞପ୍ତି, ଦ୍ୱନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ
ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ
କେନ୍ଦୁଝରଗଡ଼: ୨୦୨୩-୨୪ ଶିକ୍ଷାବର୍ଷରୁ କେନ୍ଦୁଝରରେ ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃୟାରୀ ୧୩ ତାରିଖ କେନ୍ଦୁଝର ଗସ୍ତରେ ଆସି ଘୋଷଣା କରିଥିଲେ ହେଁ ଅଦ୍ୟାବଧି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ସରକାରୀସ୍ତରରେ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଯାଇପାରିଲା ନାହିଁ। ଫଳରେ ଚଳିତ ଶିକ୍ଷାବର୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ କି ନାହିଁ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ୱନ୍ଦରେ ଅଛନ୍ତି।
ଧରଣୀଧର ବିଶ୍ୱବିଦ୍ୟାଳୟ କିଭଳି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଭୁବନେଶ୍ୱର ଠାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ ସହଦେବ ସମାଧିଆ ଓ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି ଏବଂ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବିଶେଷକରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର ପରିସରରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ଏବଂ କେନ୍ଦୁଝର ପରିସରରେ ଶିକ୍ଷାଦାନ ଚାଲିଥିବା ୫ଟି ବିଷୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆଲୋଚନା ଅନୁଯାୟୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର ପରିସରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ପୂର୍ବଭଳି ସେଠାରେ ଅଧ୍ୟୟନ ଜାରି ରଖିବା ସହ କେନ୍ଦୁଝରରେ ଶିକ୍ଷାଦାନ ଚାଲିଥିବା ସମସ୍ତ ୫ଟି ବିଷୟ କେନ୍ଦୁଝରରେ ରହିବା ସହ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ବାରିପଦା ଠାରେ ମଧ୍ୟ ଏହି ସମସ୍ତ ବିଷୟ ନୂତନ ଭାବେ ଖୋଲାଯିବ ବୋଲି ଜଣାପଡିଛି। ଏଥିସହ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର ପରିସରରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକଙ୍କ ସମ୍ମତିପତ୍ର ମିଳିବା ପରେ କେନ୍ଦୁଝର ଠାରେ ଧରଣୀଧର ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ନେଇ ତୁରନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ସହ ବିଶ୍ୱବିଦ୍ୟାଳୟ ଦୈନଦିନ ପରିଚାଳନା ପାଇଁ ଆବଶ୍ୟକ ଅଧିକାରୀ ମଧ୍ୟ ନିଯୁକ୍ତ ହେବେ ବୋଲି ଜଣାପଡିଛି।
ଏଭଳିସ୍ଥିତିରେ ପୂର୍ବରୁ କେନ୍ଦୁଝର ଠାରେ କାର୍ଯ୍ୟକ୍ଷମ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ଭାବେ ଘୋଷିତ ହୋଇଥିବା ଧରଣୀଧର ବିଶ୍ୱବିଦ୍ୟାଳୟ ଅଧିନରେ ରହିବେ ନା ପୂର୍ବଭଳି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ କାର୍ଯ୍ୟ କରିବେ ସେ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ବୀରେନ୍ଦ୍ର କୋରକୋରା ଚିଠି ନଂ ୨୮୮୨୭ ତା ୧୦/୦୭/୨୦୨୩ରିଖ ଯୋଗେ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏ ସମ୍ପର୍କରେ ଜୁଲାଇ ୧୫ ତାରିଖ ସୁଦ୍ଧା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସମ୍ମତିପତ୍ର ସଂଗ୍ରହ କରି ଉଚ୍ଚଶିକ୍ଷା ବିଭାଗକୁ ପଠାଇବାକୁ ସ୍ୱତନ୍ତ୍ର ସଚିବ ଶ୍ରୀ କୋରକୋରା ନିର୍ଦ୍ଦେଶ ଦେବାପରେ କେନ୍ଦୁଝର ପରିସରରେ କାର୍ଯ୍ୟରତ ସମସ୍ତ ୧୦ଜଣ କର୍ମଚାରୀ ସେମାନଙ୍କ ସମ୍ମତିପତ୍ର ଦାଖଲ କରିଛନ୍ତି।
ସେମାନଙ୍କ ମଧ୍ୟରୁ କେନ୍ଦୁଝର ପରିସରର ନିର୍ଦ୍ଦେଶକ ଓଡିଆ ଭାଷା ବିଭାଗ ମୁଖ୍ୟ ଡ.ବବ୍ରୁବାହନ ମହାପାତ୍ର, ଓଡିଆ ବିଭାଗ ସହକାରୀ ପ୍ରଫେସର ଶିଶିର ବେହେରା ଓ ସଂସ୍କୃତ ବିଭାଗ ପ୍ରଫେସର ହୀରାଲାଲ ଦାଶ ପୂର୍ବଭଳି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ ରହିବାକୁ ନିଜର ସମ୍ମତିପତ୍ର ପ୍ରଦାନ କରିଛନ୍ତି। ତେବେ ଭୂତତ୍ତ୍ୱ ବିଭାଗ ପ୍ରଫେସର ପି.ପି. ଦାସ ଓ ସହକାରୀ ପ୍ରଫେସର ବି.ପି.ଦାସ, ସଂସ୍କୃତ ବିଭାଗ ସହକାରୀ ପ୍ରଫେସରନିଳିମା ପତି, ଇଂରାଜୀ ବିଭାଗ ସହକାରୀ ପ୍ରଫେସର ଏସ୍.ପଣ୍ଡା, ବସ୍ତୁବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ୱାଇ.ଏନ୍.ସିଂହବାବୁ, ସେକ୍ସନ ଅଫିସର ଏସ୍.ସି.ଗାଗରାଇ ଓ କନିଷ୍ଠ ସହାୟିକା ସୁପ୍ରିୟା ପରିଡା ନୂତନ ଭାବେ ଘୋଷିତ ଧରଣୀଧର ବିଶ୍ୱବିଦ୍ୟାଳୟ ଅଧିନରେ କାର୍ଯ୍ୟ ତୁଲାଇବାକୁ ନିଜର ସମ୍ମତିପତ୍ର ପ୍ରଦାନ କରିଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳସଚିବ ସହଦେବ ସମାଧିଆ(ଚିଠି ନଂ ୩୮୫୩ ତା ୧୫/୦୭/୨୦୨୩ ରିଖ) ଯୋଗେ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।
Comments are closed.