ସମ୍ବର ମାଂସ ସହ ବାଇକ୍ ଜବତ, ପୂର୍ବତନ ସମିତିସଭ୍ୟ ଗିରଫ
ହରଭଙ୍ଗା: ସରକାର ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏହାସତ୍ୱେ ଅଭୟାରଣ୍ୟ ମଧ୍ୟରେ ଅବାଧରେ ଚାଲିଥିବା ଜନ୍ତୁଶୀକାର ଯୋଗୁଁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ରେଞ୍ଜର ସେମିଗୁଡା ଅଂଚଳରୁ ଜଙ୍ଗଲୀ ସମ୍ବର ଭଳି ବନ୍ୟଜନ୍ତୁ ମାଂସ ଚୋରାଚାଲାଣ ବେଳେ ବନ୍ୟପ୍ରାଣୀ ବିଭାଗ ମାଂସ ସହ ଗୋଟିଏ ବାଇକକୁ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।
ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ସାତକୋଶିଆ ଅଭୟାରଣ୍ୟର ସେମିଗୁଡା ବ୍ୟାଘ୍ରପ୍ରକଳ୍ପ ଅଂଚଳର କୋର ଏରିଆରୁ ସେମିଗୁଡା ବନ୍ୟପ୍ରାଣୀ ଫାଟକଦେଇ ଏକ ବାଇକ ଯୋଗେ ସମ୍ବର ମାଂସ ଚୋରାଚାଲାଣ ହେଉଥିବା କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବର ମୁତାବକ ସେମିଗୁଡା ଚେକଗେଟ ନିକଟରେ କୁଶଙ୍ଗ ରେଞ୍ଜ ଅଫିସର ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ବନ୍ୟପ୍ରାଣୀ ଟିମ ଛକିରହି ଜଙ୍ଗଲୀ ସମ୍ବର ମାଂସ ଚାଲାଣକରୁଥିବା ବାଇକଟିକୁ ଅଟକ ରଖିଥିଲେ। ଯାଞ୍ଚବେଳେ ବାଇକରୁ ଦୁଇ କିଲୋଗ୍ରାମ ସମ୍ବର ମାଂସ ଜବତ ହୋଇଥିଲା। ଏଥିରେ ସମ୍ପୃକ୍ତଥିବା ହାତୀଗଡ ଅଂଚଳର ସଞ୍ଜୟ ସେନାପତି(୪୨)ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ସଞୟ ମହାଲ୍ଲିକପଡା ପଂଚାୟତର ପୂର୍ବତନ ସମିତିସଭ୍ୟ ଥିଲେ। ଶୀକାର ବିଷୟରେ ଗିରଫ ବ୍ୟକ୍ତିଙ୍କୁ ପଚାର ଉଚରା କରାଯାଇଥିଲେ ମଧ୍ୟ ସେ ଶୀକାରୀ ସର୍ମ୍ପକରେ କୌଣସି ସୂଚନା ପ୍ରଦାନ କରିନଥିବା ଜଣାପଡିଛି। ଅଭୟରାଣ୍ୟର ସରିପାଜୁ ତଇଳାସାହି ଅଂଚଳରୁ ସମ୍ବର ଶୀକାର କରାଯାଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି। ଏ ନେଇ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨/୨୩ରେ ଏକ ମାମଲା ରୁଜୁକରାଯାଇ ଅଭିଯୁକ୍ତ ସଞୟ ସେନାପତିଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା କୁଶଙ୍ଗ ରେଞ୍ଜ ଅଫିସର ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି।
ସୂଚନା ଥାଉ କି ଗତ ମାର୍ଚ୍ଚ ୧୮ତାରିଖରେ ହରଭଙ୍ଗାର ଏକ ଚିକେନପକଡା ଦୋକାନରୁ ଏସ.ଟି.ଏଫ ଚଢଉକରି ଏକାସାଙ୍ଗରେ ଗୋଟିଏ ବାଘ, ହରିଣ, କୁଟୁରା ଭଳି ତିନୋଟି ବନ୍ୟଜନ୍ତୁ ଛାଲ ଜବତ କରିଥିଲା। ଏହା ପୂର୍ବରୁ ଗତ ଜୁଲାଇ ୨୦୨୧ରେ ପୁରୁଣାକଟକ ଫରେଷ୍ଟ ରେଞ ଅର୍ନ୍ତଗତ ଝାରଖମଣ ଗ୍ରାମରେ ବନବିଭାଗ ଚଢଉକରି ସନ୍ତୋଷ କୁମାର ସାହୁଙ୍କଠାରୁ ୨୫କେ.ଜି ଓଜନର ଜଙ୍ଗଲୀ ସମ୍ବର ମାଂସ ଜବତ କରିଥିଲା। ନିୟମିତ ବ୍ୟବଧାନରେ ଅଭୟାରଣ୍ୟ ଅଂଚଳରୁ ଅବାଧ ବନ୍ୟଜନ୍ତୁ ଶୀକାର କରାଯାଇ ମାଂସ ଏବଂ ଚମଡା ଚୋରାଚାଲାଣ ହେଉଥିବାବେଳେ ବନ୍ୟପ୍ରାଣୀ ଏବଂ ବନ ବିଭାଗ ପାଖରେ ଏ ସର୍ମ୍ପକରେ ଖବରନଥିବା ବାଡ ଫସଲ ଖାଇବା ନ୍ୟାୟରେ ବନ୍ୟଜନ୍ତୁ ସୁରକ୍ଷା ଚାଲିଥିବା ପରିବେଶ ବିତ୍ ବନ୍ୟପ୍ରାଣୀପ୍ରେମୀଙ୍କଠାରୁ ମତପ୍ରକାଶ ପାଉଛି। ବନ୍ୟଜନ୍ତୁଙ୍କ କଡା ସୁରକ୍ଷା ଦିଗରେ ବନ୍ୟପ୍ରାଣୀ ବିଭାଗ ସମୀକ୍ଷା କରିବା ସହିତ ଅଭିଜ୍ଞ କାର୍ଯ୍ୟଦକ୍ଷତାଥିବା ଅଫିସରଙ୍କୁ ନିଯୁକ୍ତ କରିବା ପାଇଁ ସାଧାରଣରେବ ଦାବୀ ଉଠୁଛି। ଏ ଦିଗରେ ମୁଖ୍ୟ ବନସଂରକ୍ଷକ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ଅଭୟାରଣ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।
Comments are closed.