ବିଶ୍ବାସଘାତକତା ଆଇଏଏସ୍‌ ହେବାକୁ ବାଟ ଦେଖାଇଲା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନୀରିଶ ରାଜପୁତ। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଦରଜୀ(ଟେଲର) କାମ କରି ସଂସାର ଚଳାନ୍ତି। ତା’ ସହିତ ଦୁଇ ଭାଇଙ୍କର ପାଠପଢ଼ା ବାବଦ ଖର୍ଚ୍ଚ ବି ବହନ କରୁଥିଲେ। ନୀରିଶଙ୍କର ଛୋଟ ବେଳୁ ସ୍ବପ୍ନ ଥିଲା ଆଇଏଏସ୍ ହେବେ। ତାଙ୍କ ସ୍ବପ୍ନ ପଛରେ ବାଧକ ସାଜି ନ ଥିଲା ଦାରିଦ୍ର୍ୟ। ତାଙ୍କର ଦୃଢ଼ ଇଚ୍ଛାଶକ୍ତି ନିକଟରେ ଭାଗ୍ୟ ବି ହାର୍‌ ମାନିଥିଲା। ତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ନୀରିଶଙ୍କର ଅଜସ୍ର ପରିଶ୍ରମ କରି ଉଭୟ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ। କୁହାଯାଏ-ମଣିଷ ଠକିବା ପରେ ସବୁ କିଛି ବୁଝିଯାଏ। ନୀରିଶଙ୍କ କ୍ଷେତ୍ରରେ ବି ସେଇଆ ଘଟିଥିଲା। ତାଙ୍କର ପ୍ରତିଭାକୁ ଚିହ୍ନି ଜଣେ ବନ୍ଧୁ ତାଙ୍କୁ ଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି) ପରୀକ୍ଷା ଦେବାକୁ ପ୍ରବର୍ତ୍ତାଇ ଥିଲେ। ଏଥିପାଇଁ ତାଙ୍କୁ ଏକ ଉପାୟ ବି ବତାଇଥିଲେ। ସେ କହିଥିଲେ ଯେ- ତାଙ୍କର ଥିବା ଏକ କୋଚିଂ ଇନଷ୍ଟିଚ୍ୟୁସନ୍‌ରେ ଶିକ୍ଷାଦାନ କର ଏବଂ ଏହାର ପ୍ରତିବଦଳରେ ସେ ଅଧ୍ୟୟନ ସାମଗ୍ରୀ ଯୋଗାଇଦେବେ। ବନ୍ଧୁଜଣକ ବି ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ପ୍ରତିଶ୍ରୁତି ଅନୁସାରେ ନୀରିଶ ଦୁଇବର୍ଷ ସେଠାରେ ପାଠ ପଢ଼ାଇଲେ। କିନ୍ତୁ କଥାନୁସାରେ ସେମିତି କିଛି ହୋଇ ନ ଥିଲା। ବନ୍ଧୁଜଣକ ସଫଳତା ପାଇବା ପରେ ନିଜ ରାସ୍ତା ବାଛିନେଇଥିଲେ।
ଏହା ତାଙ୍କୁ ବିଶେଷ ଭାବେ କ୍ଷତାକ୍ତ କରିଥିଲା। ବନ୍ଧୁଙ୍କର ବିଶ୍ବାସଘାତକତା ପାଇଁ ସେ ଦୀର୍ଘଦିନ ଅବସାଦରେ ରହିଲେ। ପରେ ଧୀରେ ଧୀରେ ମନକୁ ଦୃଢ଼ କରିଥିଲେ। ଦିଲ୍ଲୀ ଯାଇ ପୁଣି ଥରେ ପ୍ରସ୍ତୁତି କରିବାକୁ ମନସ୍ଥ କରିଥିଲେ। ଅନ୍ୟ ଜଣେ ବନ୍ଧୁଙ୍କଠାରୁ ଅଧ୍ୟୟନ ସାମଗ୍ରୀ ଧାର ଆଣିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ସଞ୍ଜୟ କରି ରଖିଥିବା ସୀମିତ ପାଣ୍ଠି ସରିଯାଇଥିଲା। ତେଣୁ ସେ ଅଧ୍ୟୟନ ସହିତ ପାର୍ଟ ଟାଇମ୍ ଚାକିରି କଲେ। ଏହି ସମୟରେ ଫୁଟ୍‌ପାଥ (ଚଲାପଥ)ରେ ପେପର ବିକ୍ରି କରୁଥିଲେ। ଆଇଏଏସ୍‌ ପାଇବା ପାଇଁ ଦିନ ରାତି ଏକ କରିଦେଇଥିଲେ। ଦିନକୁ ୧୮ ଘଣ୍ଟା ପରିଶ୍ରମ କରୁଥିଲେ। ତାଙ୍କର ପ୍ରଥମ ତିନୋଟି ପ୍ରୟାସରେ ବିଫଳ ହେବା ସତ୍ତ୍ୱେ ବି ଭାଙ୍ଗି ପଡ଼ି ନ ଥିଲେ। ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଶେଷରେ ଫଳପ୍ରଦ ହେଲା। ଶେଷରେ ସେ ୟୁପିଏସ୍‌ସି ପରୀକ୍ଷାରେ ୩୭୦ ଅଲ୍ ଇଣ୍ଡିଆ ରାଙ୍କ୍ ହାସଲ କରି ସମସ୍ତଙ୍କୁ ପ୍ରମାଣ କରି ଦେଖାଇଦେଲେ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ବାରା କିଛି ବି ଅସମ୍ଭବ ସମ୍ଭବ ହୋଇପାରିବ। ତାଙ୍କ କାହାଣୀ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ ହେବ।

Comments are closed.