ନିର୍ବାଚନୀ ତାରିଖ ପ୍ରଘଟ ପ୍ରସଙ୍ଗରେ କଂଗ୍ରେସ ନେତାଙ୍କୁ ଜେରା

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ପ୍ରଘଟ ଘଟଣାର ତଦନ୍ତ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଇତିମଧ୍ୟରେ କଂଗ୍ରେସର ସାମାଜିକ ଗଣମାଧ୍ୟମ ମୁଖ୍ୟ ଶ୍ରୀବତ୍ସ ୱାଇ.ବି.ଙ୍କୁ ପଚରାଉଚୁରା କରିଛି। ଇସି ମଙ୍ଗଳବାର ନିର୍ବାଚନୀ ତାରିଖ ଘୋଷଣା କରିଥିଲେ। ଏହାର କିଛି କ୍ଷଣ ପୂର୍ବରୁ ଶ୍ରୀବତ୍ସ ଟ୍ୱିଟରରେ ଏହି ତାରିଖ ପ୍ରକାଶ କରିଥିଲେ। ଏଥିରେ ଭୋଟ ଗଣତି ସମ୍ବନ୍ଧୀୟ ସୂଚନାରେ ତ୍ରୁଟି ରହିଥିଲା। ଠିକ୍‌ ଏହି ସମୟରେ ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ମଧ୍ୟ ସମାନ ତ୍ରୁଟି ସହିତ ନିର୍ବାଚନୀ ତାରିଖ ସମ୍ବନ୍ଧୀୟ ସୂଚନା ଟ୍ୱିଟ୍‌ କରିଥିଲେ। ଏହି ସୂଚନା ନ୍ୟୁଜ୍‌ ଚ୍ୟାନେଲ୍‌ରୁ ଜାଣିବାକୁ ପାଇଥିବା ସେ ଇତିମଧ୍ୟରେ ଇସିଙ୍କୁ ଚିଠି ଲେଖି ଜଣାଇ ସାରିଛନ୍ତି। କିନ୍ତୁ ଶ୍ରୀବତ୍ସ କେଉଁ ସୂତ୍ରରୁ ସୂଚନା ପାଇଲେ ସେ ନେଇ ତଦନ୍ତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀବତ୍ସ କହିଛନ୍ତି, ତାରିଖ ପ୍ରଘଟ ମାମଲାରେ ଇସି ତାଙ୍କ ସହିତ ପୂର୍ବରୁ ଯୋଗାଯୋଗ କରିସାରିଛନ୍ତି। ସେ ମଧ୍ୟ ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡିକରୁ ଏହି ସୂଚନା ପାଇଥିବା ଇସିଙ୍କୁ ଜଣାଇସାରିଛନ୍ତି। ଅପରପକ୍ଷେ ବରିଷ୍ଠ ଉପନିର୍ବାଚନ କମିସନର ଉମେଶ ସିହ୍ନାଙ୍କ ନେତୃତ୍ୱରେ ଗଠିତ ୬ ଜଣିଆ କମିଟି ଏହି ପ୍ରସଙ୍ଗରେ କନ୍ନଡ ନ୍ୟୁଜ୍‌ ଚ୍ୟାନେଲ୍‌କୁ ପଚରାଉଚୁରା କରିବେବୋଲି ଜଣାପଡିଛି। ବିଜେପି ଏମ୍‌ପି ପୌଲୋମି ଶାହା ଏହି ଚ୍ୟାନେଲର ମାଲିକ ବୋଲି କୁହାଯାଉଛି। ଏଭଳି ତଥ୍ୟ ପ୍ରଘଟକୁ କିଭଳି ରୋକାଯାଇପାରିବ ସେ ବିଷୟରେ ମଧ୍ୟ କମିଟି ପରାମର୍ଶ ଦେବେ ବୋଲି ଇସି କହିଛନ୍ତି।
ଟାଇମ୍ସ ନାଓ ନ୍ୟୁଜ୍‌ ଏବଂ ସୁବର୍ଣ୍ଣ ନ୍ୟୁଜ୍‌ ଏହି ପ୍ରସଙ୍ଗରେ ବୁଧବାର ଇସିଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି। ଜାତୀୟ ନ୍ୟୁଜ୍‌ ଚ୍ୟାନେଲ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ସୁବର୍ଣ୍ଣ ନ୍ୟୁଜ୍‌ ‘ଟାଇମ୍ସ ନାଓ’ ସୂତ୍ରରୁ ସୂଚନା ପାଇଥିବା ଇସିଙ୍କୁ ଦର୍ଶାଇଛି। ସେହିଭଳି ନିର୍ବାଚନ ତାରିଖ ସମ୍ବନ୍ଧୀୟ ସୂଚନା ବିଷୟରେ ଅବଗତ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିବା ଟାଇମ୍ସ ନାଓ ନ୍ୟୁଜ୍‌ ପକ୍ଷରୁ କୁହାଯାଇଛି।

Leave A Reply