ହନୁମାନ ପଇସା ରାକେଟ: ୫ ଗିରଫ, କାର ଓ ମୋବଇଲ ଜବତ
ସାକ୍ଷୀଗୋପାଳ: ଏସଆଇ ସୁରମା ସ୍ବାଇଁଙ୍କ ନେତୃତ୍ବରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କାରରେ କିଛି ଲୋକ ଆସି ସାକ୍ଷୀଗୋପାଳ ନୂଆଗାଁ ଢ଼ିହିରେ ଗଦାଧର ସାହୂ ଙ୍କ ଘରେ ହନୁମାନ ପଇସା କିଣା/ବିକା ନିମନ୍ତେ ଡିଲ କରୁଥିବା ଖବର ପାଇଥିଲେ। ସେମାନେ ନିଜକୁ ଆଣ୍ଟିକ ସାମଗ୍ରୀ କିଣାବିକା ଲାଇସେନ୍ସ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସାଧାରଣ ଲୋକଙ୍କୁ ହନୁମାନ ପଇସା ଦେଲେ ସେମାନେ ତାର ଗୁଣବତ୍ତା ପରୀକ୍ଷା କଲାପରେ ଯଦି ତାହା ଠିକ ଥାଏ ସେମାନଙ୍କୁ ଅଧିକ ଟଙ୍କା ଦେଇ ହନୁମାନ ପଇସା କିଣିବେ ବୋଲି ପ୍ରଲୋଭନ ଦେଖାଉଥିଲେ।
ଏଭଳି ଖବରକୁ ଗୁରୁତର ସହ ନେଇ ଏସଆଇ ସୁରମା ସ୍ୱାଇଁଙ୍କ ତତ୍ୱାବଧାନରେ ପୁଲିସ ଟିମ ଚଢ଼ାଉ କରିଥିଲା। ଘଟଣା ସ୍ଥଳରେ ଚଢାଉ କରିବାରେ ପାଞ୍ଚଜଣ ଲୋକଙ୍କୁ ଅଟକ କରିଥିଲେ। ସେମାନଙ୍କୁ ପାଖରୁ ଏକ ତମ୍ଭା ପଇସା ଯେଉଁଥିର ଏକ ପାର୍ଶ୍ୱରେ ହନୁମାନ ମୂର୍ତ୍ତି ଥାଇ ଓ ଅନ୍ୟ ପାଖରେ ଇଷ୍ଟ ଇଣ୍ଡିଆ କମ୍ପାନି, ୧୮୧୮, ହାପ ଆନ୍ନା ଲେଖା ଥାଇ, ପଇସାର ଟେଷ୍ଟିଙ୍ଗ ସାମଗ୍ରୀ ଯଥା ସିନ୍ଦୁର, ଅରୁଆ ଚାଉଳ, ପେନସିଲ, ସୁତା ଇତ୍ୟାଦି ସହିତ ତିନୋଟି ମୋବାଇଲ ଫୋନ ଓ ଏକ ହୋଣ୍ଡା ଆମେଜ କାର ଜବତ କରାଯାଇଛି।
ଏ ସଂକ୍ରାନ୍ତରେ ସତ୍ୟବାଦୀ ଥାନାରେ ଏକ ମାମଲା ରୂଜୁ କରାଯାଇଛି। ଆଇଆଇସି ସତ୍ୟବାଦୀ ଏହାର ତଦନ୍ତ ଭାର ଗ୍ରହଣ କରିଛନ୍ତି। ଏସପି ପୁରୀଙ୍କ ନିର୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ଏଭଳି ରାକେଟରେ ସମ୍ପୃକ୍ତ ଅନ୍ୟ ମାଫିଆ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଅତିରିକ ଏସପି ସୁଶୀଲ କୁମାର ମିଶ୍ର ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତରେ ସହାୟତା ପ୍ରଦାନ କରୁଥିବା ସୂଚନା ମିଳିଛି।
Comments are closed.