ଫାର୍ମ ହାଉସରୁ ଚୋରିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଜଣଙ୍କୁ ପିଟିପିଟି ମାରିଦେଲେ, ଆଉ ଜଣେ ଗୁରୁତର

ଢେଙ୍କାନାଳ ସଦର : ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ଡେଙ୍ଗୋବୋରେଇ ଗାଁରେ ବିଳମ୍ବିତ ରାତିରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ । ଗାଁ ସଭାରୁ ଜଣେ ଯୁବକଙ୍କୁ ଟେକି ନେଇ ପିଟିପିଟି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ଯୁବକ ହେଉଛନ୍ତି ଡେଙ୍ଗୋବୋରେଇ ଗାଁର ଆଦିତ୍ୟ ପଣ୍ଡାଙ୍କ ପୁଅ ଅକ୍ଷୟ ପଣ୍ଡା (୩୭) । ଗୁରୁତର ଯୁବକ ହେଲେ ସେହି ଗାଁର ଲିପୁ ନାୟକ। ମୃତ ଅକ୍ଷୟଙ୍କ ପତ୍ନୀ ଲିପିନାଙ୍କ ଅଭିଯୋଗ ପାଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ପୁଲିସ ସୂଚନା ମୁତାବକ ଡେଙ୍ଗୋବୋରେଇ ଗାଁରେ ହେମନ୍ତ ରାଉତଙ୍କର ଥିବା ଏକ ଫାର୍ମ ହାଉସରୁ ମାସେ ତଳେ କିଛି ଯନ୍ତ୍ରାଂଶ ଚୋରି ହୋଇଥିଲା । ସେଥିରେ ଅକ୍ଷୟ ପଣ୍ଡା ଓ ଲିପୁଙ୍କ ସମ୍ପୃକ୍ତି ଥିବା ସନ୍ଦେହ ହୋଇଥିଲା । ଯାହାକୁ ନେଇ ଶୁକ୍ରବାର ରାତିରେ ଗାଁରେ ଏକ ସଭା ବସିଥିଲା । ସଭାରେ ଦୁଇଦିନ ମଧ୍ୟରେ ଚୋରି ଜିନିଷ ଫେରାଇବାକୁ ଉଭୟ ଯୁବକଙ୍କୁ ତାଗିଦ କରା ଯାଇଥିଲା। ମାତ୍ର ଫାର୍ମ ମାଲିକ ହେମନ୍ତ ରାଉତ ଓ ତାଙ୍କର କିଛି ସହଯୋଗୀ ଗାଁ ସଭାରୁ ଉଭୟ ଅକ୍ଷୟ ଓ ଲିପୁଙ୍କୁ ଉଠାଇ ନେଇ ପଥର ଖଦାନ ଆଡେ ପଳାଇଥିଲେ। ତାଙ୍କୁ ବାଉଁଶ ଠେଙ୍ଗା ଓ ଅନ୍ୟ ମାରଣାସ୍ତ୍ରରେ ମାଡ ମାରି ଲହୁଲୁହାଣ କରି ସଂକଟ ଜନକ ଅବସ୍ଥାରେ ଦେଖି ନିଜେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଲିପୁକୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ହେମନ୍ତ ରାଉତ ସଦର ଥାନାରେ ଆତ୍ମ ସମର୍ପଣ କରିଥିବା ବେଳେ ଅନ୍ୟ ସହଯୋଗୀ ମାନେ ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଘଟଣାର ଉପଯୁକ୍ତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ପରିବାର ପକ୍ଷରୁ ଦାବୀ ହୋଇଛି। ଏପଟେ ସଦର ଥାନା ପୁଲିସ ଘଟଣାର ଛାନଭିନ ଜାରି ରଖିଛି । ସାବିତ୍ରୀ ଅମାବାସ୍ୟାରେ  ନିଜର ସ୍ଵାମୀଙ୍କୁ ହରାଇ ପତ୍ନୀ ଲିପିନା ଦୁଖରେ ଭାଙ୍ଗି ପଡିଛନ୍ତି । ହତ୍ୟାକାଣ୍ଡରେ ଆଉ କିଏ କିଏ ସମ୍ପୃକ୍ତ ସେମାନଙ୍କୁ ଖୁବ ଶୀଘ୍ର ଧାରାଯିବ ବୋଲି ସଦର ଉପଖଣ୍ଡ ପୁଲିସ ଅଧିକାରୀ କହିଛନ୍ତି।

Comments are closed.