‘ହୋ’ ଭାଷାକୁ ସମ୍ବିଧାନ ସ୍ୱୀକୃତି ଦାବିରେ ସ୍ମାରକପତ୍ର ପ୍ରଦାନ

ଆଠଗଡ :  ଆଦିବାସୀ ‘ହୋ’ ଭାଷାକୁ ସମ୍ବିଧାନ ସ୍ୱୀକୃତି ଏବଂ ଓଡିଶାରେ ୨ୟ ରାଜଭାଷା ମାନ୍ୟତା ଦାବି କରି ଆଠଗଡର ବୀର ବିର୍ସା ମୁଣ୍ଡା ‘ହୋ’ ଛାତ୍ର ସଂଗଠନ ଓ କଟକ ଦିଶୁମ ‘ହୋ’ ସମାଜ ପକ୍ଷରୁ ଗୁରୁବାର ଏକ ବିଶାଳ ଶୋଭାଯାତ୍ରା ସହ ବିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ଏହି ସଂଗଠନ ମୁଶୁଳିଆଠାରେ ଆରାଧ୍ୟ ଦେବୀ ଦେଶାଉଲିଙ୍କୁ ପୂଜାର୍ଚ୍ଚନା ପରେ ହାଟପଡିଆଠାରେ ପ୍ରତିଷ୍ଠିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶୋଭାଯାତ୍ରା ଆଠଗଡ ଅଭିମୁଖେ ବାହାରି ଥିଲା। ଆଠଗଡର ରଥଗଡା ଛକଠାରୁ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀ, ‘ହୋ’ ଭାଷା କ୍ରିୟାନୁଷ୍ଠାନ କମିଟିର କଟକ ଜିଲ୍ଲା ଉପଦେଷ୍ଟା କୃଷ୍ଣଚନ୍ଦ୍ର ସାଣ୍ଡିଲଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଶୋଭାଯାତ୍ରା ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ ‘ହୋ’ ଭାଷାକୁ ସମ୍ବିଧାନ ସ୍ୱୀକୃତି ଓ ରାଜ୍ୟରେ ୨ୟ ରାଜଭାଷା ମାନ୍ୟତା ନ ମିଳିବା ଯାଏଁ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି କର୍ମକର୍ତ୍ତା ଦୃଢୋକ୍ତି ପ୍ରକାଶ କରିଥିଲେ । ବିଡିଓ ପ୍ରଦୀପ କୁମାର ସାହୁ ସେମାନଙ୍କଠାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଗ୍ରହଣ କରି ସେଗୁଡିକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହୋ ସମାଜର କୋଷାଧ୍ୟକ୍ଷ ଗୋମେୟା ଅମୋଙ୍ଗ, ଆଠଗଡ ବ୍ଲକ ସଭାପତି ଶିବରାମ ହେମ୍ବ୍ରମ, ସଂପାଦକ ବିଶ୍ୱଜିତ୍‌‌ ପରିଜା, ଜିଲ୍ଲା ପରିଷଦ ସଭ୍ୟା ମିନତୀ ଗାଗରାଇ, ସମିତି ସଭ୍ୟା ବସୁମତି ଦିଗୀ, କଟକ ଜିଲ୍ଲା ‘ହୋ’ ସମାଜ ସଭାପତି ସୁନାରାମ ହେମ୍ବ୍ରମ, ସୁନାରାମ ସିଙ୍କୁ, ଜାଗାର କୁର୍ଲୀ, ବାହାଦୂର ବଦରା, ଶଶି ପୂର୍ତ୍ତୀ, ରାନ୍ଦାଏ ବଦରା ଆଦି କର୍ମକର୍ତ୍ତା ଉଦ୍‌‌ବୋଧନ ଦେବା ସହ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

Comments are closed.