ମାଟ୍ରିକ୍ ପରୀକ୍ଷାଫଳ:କେନ୍ଦୁଝରରେ ପାସ୍ହାର ୯୪.୭୧ପ୍ରତିଶତ: ଏ-୧ ଗ୍ରେଡରେ ୧୮୦ଜଣ, ଭାଗ୍ୟଶ୍ରୀ ଜିଲାର ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ
କେନ୍ଦୁଝରଗଡ଼: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ-୨୦୨୩ ବୁଧବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ରେଗୁଲାର ୯୪.୭୧ ଓ ଏକ୍ସ-ରେଗୁଲାର ୮୧.୮୭ ପ୍ରତିଶତ ପାସ୍ ହାର ହୋଇଥିବା ଜଣାପଡିଛି। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡବିଲର ଛାତ୍ରୀ ଭାଗ୍ୟଶ୍ରୀ ପ୍ରଧାନ ୫୭୩ନମ୍ବର ରଖି ଜିଲାର ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ ବିବେଚିତ ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ ହାଇସ୍କୁଲ ଚେମଣାର ଛାତ୍ର କଳିଙ୍ଗ କୁମାର ସାହୁ ୫୭୧ ଓ ହିମାଂଶୁ ଶେଖର ପୃଷ୍ଟି ୫୬୭ନମ୍ବର ରଖି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଚଳିତବର୍ଷ ୪୭୬ବିଦ୍ୟାଳୟର ୨୨୮୨୦ଜଣ ଛାତ୍ରଛାତ୍ରୀ ରେଗୁଲାର ପରୀକ୍ଷାର୍ଥୀ ଭାବେ ଫର୍ମପୂରଣ କରିଥିଲେ। ସେଥିମଧ୍ୟରୁ ୭୪୫ଜଣ ପରୀକ୍ଷାରେ ଅନୁପସ୍ଥିତ ଥିବା ବେଳେ କପି ଅଭିଯୋଗରେ ୬୧ଜଣ ପରୀକ୍ଷାର୍ଥୀ ଦଣ୍ଡିତ ହୋଇଛନ୍ତି। ପ୍ରକାଶିତ ଫଳାଫଳ ଅନୁଯାୟୀ ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ଗ୍ରେଡରେ ୧୮୦ଜଣ, ଏ-୨ଗ୍ରେଡରେ ୧୭୫୮ଜଣ, ବି-୧ଗ୍ରେଡରେ ୩୯୩୮ଜଣ, ବି-୨ଗ୍ରେଡରେ ୫୩୦୬ଜଣ, ସି-ଗ୍ରେଡରେ ୪୬୪୨ଜଣ, ଡି-ଗ୍ରେଡରେ ୩୩୨୯ଜଣ ଓ ଇ-ଗ୍ରେଡରେ ୨୪୬୦ଜଣକୁ ମିଶାଇ ୯୪.୭୧ ପ୍ରତିଶତ ହାରରେ ୧୦୩୨୦ଜଣ ଛାତ୍ର ଓ ୧୧୨୯୩ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୨୧୬୧୩ଜଣ ପାସ୍ କରିଥିବା ବେଳେ ୪୦୧ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି।
୧୦୮ବିଦ୍ୟାଳୟର ୧୯୩ଜଣ ଛାତ୍ରଛାତ୍ରୀ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଭାବେ ଫର୍ମପୂରଣ କରିଥିବା ବେଳେ ୧୮ଜଣ ଅନୁପସ୍ଥିତ ଥିଲେ। ପ୍ରକାଶିତ ଫଳାଫଳ ଅନୁଯାୟୀ ଜିଲାରୁ ଏ-୨ଗ୍ରେଡରେ ଜଣେ, ବି-୧ଗ୍ରେଡରେ ୬ଜଣ, ବି-୨ ଗ୍ରେଡରେ ୨୦ଜଣ, ସି-ଗ୍ରେଡରେ ୩୮ଜଣ, ଡି-ଗ୍ରେଡରେ ୩୫ଜଣ ଓ ଇ-ଗ୍ରେଡରେ ୨୪ଜଣଙ୍କୁ ମିଶାଇ ୮୧.୮୭ପ୍ରତିଶତ ହାରରେ ୯୦ଜଣ ଛାତ୍ର ଓ ୬୮ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୧୫୮ଜଣ ପାସ୍ କରିଥିବା ବେଳେ ୧୭ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି।
Comments are closed.