www.samajalive.in
Sunday, December 7, 2025
16.1 C
Bhubaneswar

ଶୁବ୍‌ମାନଙ୍କ ଶତକ; କ୍ବାଲିଫାୟର-୧ରେ ଗୁଜରାଟ

ଅହମ୍ମଦାବାଦ : କ୍ରମାଗତ ୨ୟ ବର୍ଷ ଆଇପିଏଲ୍‌ର ଲିଗ୍ ପର୍ଯ୍ୟାୟରେ ଶୀର୍ଷ ୨ଟି ଦଳଙ୍କ ମଧ୍ୟରେ ରହିଛି ଗୁଜରାଟ ଟାଇଟାନ୍‌ସ। ଗତବର୍ଷର ଚମ୍ପିଆନ ଗୁଜରାଟ ୯ମ ବିଜୟ ପରେ ୧୮ ପଏଣ୍ଟ ସହ ପ୍ରଥମ ୨ଟି ସ୍ଥାନରେ ରହି କେବଳ ପ୍ଲେଅଫ୍ ଖେଳିବା ନୁହେଁ; କ୍ବାଲିଫାୟର-୧ ଖେଳିବା ମଧ୍ୟ ନିଶ୍ଚିତ କରିଛି। ଚଳିତ ସଂସ୍କରଣରେ ୬ଷ୍ଠ ବ୍ୟାଟ୍‌ସମ୍ୟାନ ଭାବେ ଶତକ ମାରିଛନ୍ତି ଗୁଜରାଟର ଶୁବ୍‌ମାନ ଗିଲ୍‌। ତାଙ୍କର ଶତକ ସହ ମହମ୍ମଦ ସାମି ଓ ମୋହିତ ଶର୍ମାଙ୍କ ଘାତକ ବୋଲିଂ ବଳରେ ସନ୍‌ରାଇଜର୍ସ ହାଇଦରାବାଦକୁ ସୋମବାର ୩୪ ରନ୍‌ରେ ଗୁଜରାଟ ପରାସ୍ତ କରିଛି। ଭୁବନେଶ୍ବର କୁମାର ୫ଟି ୱିକେଟ ନେଇଥିଲେ ହେଁ ଗିଲ୍‌ଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ଗୁଜରାଟ ଟାଇଟାନ୍‌ସ ୯ ୱିକେଟରେ ୧୮୮ ରନ୍‌ କରିଥିଲା। ହେନ୍‌ରିକ୍ କ୍ଲାସେନ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଦୟନୀୟ ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ୯ ୱିକେଟରେ ୧୫୪ ରନ୍‌ କରି ପାରିଥିଲା। ୧୨ଶ ମ୍ୟାଚ୍‌ରେ ୫ମ ପରାଜୟ ପରେ ସନ୍‌ରାଇଜର୍ସ ହାଇଦରାବାଦ ୨ୟ ଦଳ ଭାବେ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି।
୧୮୯ ରନ୍‌ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ହାଇଦରାବାଦ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ସନ୍‌ରାଇଜର୍ସ ମାତ୍ର ୨୯ ରନ୍‌ରେ ୪ଟି ୱିକେଟ ହରାଇଥିଲା। ନୂଆବଲ୍‌ରେ ଘାତକ ବୋଲିଂକରି ମହମ୍ମଦ ସାମି ୩ଟି ୱିକେଟ ନେଇ ଯାଇଥିଲେ। ଓପ୍‌ନିଂ ଯୋଡ଼ି ଅଭିଷେକ ଶର୍ମା ଓ ଅନ୍‌ମୋଲପ୍ରୀତ ସିଂହ ୫ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଥିଲେ। ରାହୁଲ ତ୍ରିପାଠୀ ୧ ରନ୍‌ କରି ବିଦାୟ ନେଇଥିଲେ। ୪ର୍ଥ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ୍‌ ହୋଇଥିବା ଅଧିନାୟକ ଐଡେନ୍ ମାର୍କରାମ ୧୦ ରନ୍‌ କରି ପାଇଥିଲେ। ମୋହିତ ସନ୍‌ରାଇଜର୍ସର ମଧ୍ୟକ୍ରମକୁ ଧ୍ବସ୍ତ କରିଥିଲେ। ହେନ୍‌ରିକ୍‌ କ୍ଲାସେନ୍‌ କ୍ରିଜ୍‌ରେ ଥିବା ବେଳେ ଅନ୍ୟପଟୁ ୱିକେଟର ଧାଡ଼ି ଲାଗିଥିଲା। ସାନ୍‌ବୀର ସିଂହ ୭, ଅବ୍‌ଦୁଲ ସମାଦ୍‌ ୪ ଓ ମାର୍କୋ ୟାନ୍‌ସେନ୍‌ ୩ ରନ୍‌କରି ବିଦାୟ ନେଇଥିଲେ। ୫୯ ରନ୍‌ରେ ୭ଟି ୱିକେଟ ପଡ଼ିବା ପରେ କ୍ଲାସେନ ଓ ଭୁବନେଶ୍ବର କୁମାର ୬୮ ରନ୍‌ ଯୋଡ଼ିଥିଲେ। ଭୁବନେଶ୍ବର ୨୬ ବଲ୍‌ରୁ ୨୭ ରନ୍‌ କରିଥିଲେ। ମୟଙ୍କ ମାର୍କଣ୍ଡେ ୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକାର କ୍ଲାସେନ୍ ୪୪ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୬୪ ରନ୍‌ କରିଥିଲେ। ମହମ୍ମଦ ସାମି ଓ ମୋହିତ ଶର୍ମା ୪ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଶୁବ୍‌ମାନ ଗିଲ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ସନ୍‌ରାଇଜର୍ସ ହାଇଦରାବାଦ ଟସ୍ ଜିତି ଫିଲ୍‌ଡିଂ କରିଥିଲା। ଇନିଂସର ୩ୟ ବଲ୍‌ରେ ଗୁଜରାଟ ଟାଇଟାନ୍‌ସର ଋଦ୍ଧିମାନ ଶାହା ଆଉଟ୍‌ ହୋଇଥିଲେ। ପରେ ଶୁବ୍‌ମାନ ଗିଲ୍ ଓ ସାଇ ସୁଦର୍ଶନ ଚମତ୍କାର ବ୍ୟାଟିଂ କରିଥିଲେ। ୬ ଓଭରର ପାୱରପ୍ଲେରେ ଗୁଜରାଟ ୬୫ ରନ୍‌ କରି ପାରିଥିଲା। ଗିଲ୍‌ ଓ ସୁଦର୍ଶନ ୧୪ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୧୪୭ ରନ୍‌ର ଭାଗିଦାରୀ କରିଥିଲେ। ଏହି ଭାଗିଦାରୀରେ ଶୁବ୍‌ମାନ ଗିଲ୍‌ଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ତାମିଲନାଡ଼ୁର ସାଇ ସୁଦର୍ଶନ ୩୬ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୭ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ଏହାସହ ଶେଷ ୬ ଓଭରରେ ଗୁଜରାଟ ମାତ୍ର ୪୧ ରନ୍‌କରି ୮ଟି ୱିକେଟ ହରାଇବାରୁ ଏହା ୨ ଶହ ରନ୍‌ରେ ପହଞ୍ଚି ପାରିନଥିଲା। ଶେଷ ଓଭରରେ ୪ଟି ୱିକେଟ ପଡ଼ିଥିଲା। ଶୁବ୍‌ମାନ ଗିଲ୍‌ ଓ ସାଇ ସୁଦର୍ଶନ ମିଳିତ ଭାବେ ୧୪୮ ରନ୍‌ କରିଥିବା ବେଳେ ବାକି ୮ ବ୍ୟାଟ୍‌ସମ୍ୟାନ୍ ମିଳିତ ଭାବେ ୨୭ ରନ୍‌ କରିଥିଲେ। ୨୨ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ଗିଲ୍‌ ୫୬ ବଲ୍‌ରୁ ଜୀବନର ପ୍ରଥମ ଆଇପିଏଲ୍‌ ଶତକ ପୂରଣ କରିଥିଲେ। ଶେଷ ଓଭରରେ ଆଉଟ୍‌ ହୋଇଥିବା ଶୁବ୍‌ମାନ ଗିଲ୍‌ ୫୮ ବଲ୍‌ରୁ ଗୋଟିଏ ଛକା ଓ ୧୩ଟି ଚୌକା ସହ ୧୦୧ ରନ୍‌ କରିଥିଲେ। ଭୁବନେଶ୍ବର କୁମାର ୩୦ ରନ୍‌ଦେଇ ୫ଟି ୱିକେଟ ନେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories