ନୂଆପାଟଣା ମଦନମୋହନଙ୍କ ଚନ୍ଦନ ଯାତ୍ରା ଉଦଯାପିତ 

ତିଗିରିଆ :  ନୂଆପାଟଣା ମଦନମୋହନଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ଉଦଯାପନୀ ପର୍ବ ରବିବାର ଅନୁଷ୍ଠିତ ହୋଇଛି। ପୀଠ ପରମ୍ପରା ଅନୁଯାୟୀ ମଦନମୋହନ ସକାଳ ଓ ଅପରାହ୍ନରେ ବିଶାଳ ବହୁରୂପୀ ଓ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ନଗର ପରିକ୍ରମା କରିବା ସହିତ ଚାପ ଖେଳିଥିଲେ। ଏହା ପରେ ଗ୍ରାମର ବିଭିନ୍ନ ସାହିରେ ପୂଜା ପାଇ ଆସିଥିବା ମୃଣ୍ମୟ ପ୍ରତିମାଙ୍କୁ ନେଇ ସାମୁହିକ ଭସାଣି ପର୍ବ ଅନୁଷ୍ଠିତ ହୋଇଥିଲା।
prayash
ରବିବାର ଯାତ୍ରାର ଅନ୍ତିମ ପର୍ବ ହୋଇଥିବାରୁ ଚନ୍ଦନ ପୋଖରୀ ଠାରେ ଦିନ ତମାମ ସମସ୍ତ ନୂଆପାଟଣା ଗ୍ରାମବାସୀଙ୍କ ସହିତ ଆଖ ପାଖ ବିଭିନ୍ନ ଗ୍ରାମରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଚାପ ଉପରେ ମଦନ ମୋହନ ବିଜେ ହୋଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଭୋଗ ଲାଗି କରିଥିଲେ। ଭସାଣି ପର୍ବ ସରିବା ପରେ ରାତି ପ୍ରାୟ ସାଢେ଼ ଦଶଟା ପରେ ଚନ୍ଦନ ପୋଖରୀରେ ମାଛବିନ୍ଧ ପର୍ବ ଅନୁଷ୍ଠିତ ହୋଇଥିଲା ଏବଂ ଏହା ପରେ ମଦନମୋହନ  ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭସାଣି ଉତ୍ସବରେ ଗ୍ରାମର ୧୭ ଗୋଟି ପୂଜା ମଣ୍ଡପର ପ୍ରତିମା, ବିଭିନ୍ନ ପାରମ୍ପରିକ ବାଦ୍ୟ ଏବଂ ବିଶାଳ ବହୁରୂପୀଙ୍କ ଶୋଭାଯାତ୍ରାରେ ଗ୍ରାମ ଲୋକାରଣ୍ୟ ହୋଇପଡିଥିଲା। ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ କରିବା ଲାଗି ଗ୍ରାମ ପରିଚାଳନା କମିଟି ସଭାପତି ପ୍ରକାଶ କୁମାର ଦାସଙ୍କ ସମେତ ଅନ୍ୟ ସମସ୍ତ ପରିଚାଳନା ସଦସ୍ୟ ଏବଂ ତିଗିରିଆ ଥାନା ପୁଲିସ କର୍ମଚାରୀଙ୍କ ସହିତ ଥାନା ଅଧିକାରୀ ସୁଚିତ୍ରା ଜେନା ଉପସ୍ଥିତ ଥିଲେ।

Comments are closed.