ସବୁ ଅଦାଲତ ହେବ କାଗଜବିହୀନ
୫ ଜିଲାରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦ୍ଘାଟିତ
କଟକ : ଆପୋସ ବୁଝାମଣା ମାଧ୍ୟମରେ ଅଧିକରୁ ଅଧିକ ବିବାଦର ସମାଧାନ ହୋଇପାରିଲେ ବିଚାର ବିଭାଗ ଉପରେ ଚାପ ହ୍ରାସ ପାଇବ। ମାମଲାର ଆପୋସ ସମାଧାନ ଦ୍ବାରା ଦୁଇ ପକ୍ଷ ମଧ୍ୟରେ ଶତ୍ରୁତା ହ୍ରାସ ପାଇ ବନ୍ଧୁତା ଦୀର୍ଘସ୍ଥାୟୀ ହେବ। ଆଇନଜୀବୀମାନେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ କରିବା ଉପରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସୂର୍ଯ୍ୟ କାନ୍ତ ଗୁରୁତ୍ବ ଦେଇଛନ୍ତି।
ମର୍କତନଗରସ୍ଥିତ ରାଜ୍ୟ ଜୁଡିସିଆଲ ଏକାଡେମୀ ପରିସରରେ ଶନିବାର ଆଭାସି ମାଧ୍ୟମରେ ୫ଟି ଜିଲାରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦ୍ଘାଟନ କରି ବିଚାରପତି ସୂର୍ଯ୍ୟ କାନ୍ତ କହିଲେ ଓଡ଼ିଶା ହେଉଛି ତୃତୀୟ ଆଦିବାସୀ ବହୁଳ ରାଜ୍ୟ। ଆଦିବାସୀଙ୍କ ପରମ୍ପରା, ସଂସ୍କୃତି ଓ ତାଙ୍କ ନିୟମ ବିଷୟରେ ବିଚାର ବିଭାଗୀୟ ଅଧିକାରୀ ଜାଣିବାର ଆବଶ୍ୟକତା ରହିଛି। ଯାହା ସେମାନଙ୍କୁ ମାମଲା ପରିଚାଳନା କ୍ଷେତ୍ରରେ ଅଧିକ ସହାୟକ ହେବ। ଓଡ଼ିଶାରେ ୫ ଜିଲାରେ ପ୍ରତିଷ୍ଠା ହୋଇଥିବା ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିଛି। ବିଚାର ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ହେଉଛି। ସେହିପରି ବିଭିନ୍ନ ଆଇନରେ ସଂଶୋଧନ କରାଯାଉଛି। ଏଣୁ ବିଚାର ବିଭାଗୀୟ ଅଧିକାରମାନେ ଏ ସମ୍ପର୍କିତ ପ୍ରଶିକ୍ଷଣ ନିମନ୍ତେ ଦୂର ଦୂରାନ୍ତରୁ କଟକ ଆସୁଛନ୍ତି। ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ପ୍ରତିଷ୍ଠା ଫଳରେ ସେମାନେ ସେଠାରେ ପ୍ରଶିକ୍ଷଣ ନେଇ ପାରିବେ ବୋଲି ବିଚାରପତି ସୂର୍ଯ୍ୟ କାନ୍ତ ମତ ଦେଇଥିଲେ। ଓଡ଼ିଶା ଊଚ୍ଚନ୍ୟାୟାଳୟର ମୁଖ୍ୟବିଚାରପତି ଏସ୍. ମୁରଲୀଧର ଆଞ୍ଚଳିକ ଜୁଡିସିଆଲ ଏକାଡେମୀର ପ୍ରତିଷ୍ଠା ଉଚ୍ଚନ୍ୟାୟାଳୟ ବିଚାରପତି ଓ ଜିଲା ଜଜ୍ଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିପାରିବ ବୋଲି କହିଥିଲେ। ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ଅନୁଗୁଳ, ବାଲେଶ୍ବର, ଗଞ୍ଜାମର ବ୍ରହ୍ମପୁର, କୋରାପୁଟର ଜୟପୁର ଓ ସମ୍ବଲପୁରକୁ ଚିହ୍ନଟ କରାଯାଇଥିଲା। ଏହାଦ୍ବାରା ସମସ୍ତ ଜିଲାର ବିଚାର ବିଭାଗୀୟ ଅଧିକାରୀମାନେ ଉପକୃତ ହେବା ସହ ନ୍ୟାୟିକ ବ୍ୟବସ୍ଥା କ୍ଷେତ୍ରରେ ସହାୟକ ହେବ। ଏହା ଦୀର୍ଘ ମିଆଦି ଯୋଜନା ଭାବେ କାର୍ଯ୍ୟକରିବ। ଖୁବଶୀଘ୍ର ରାଜ୍ୟର ସମସ୍ତ ଅଦାଲତ କାଗଜ ବିହୀନ (ପେପର ଲେସ୍) ହେବ ବୋଲି ମୁଖ୍ୟ ବିଚାରପତି ଏସ୍. ମୁରଲୀଧର କହିଥିଲେ। ଏହି କାର୍ଯ୍ୟକ୍ରମରେ ଜୁଡିସିଆଲ ଏକାଡେମୀ ଓ ପ୍ରଶିକ୍ଷଣ କମିଟି ଅଧ୍ୟକ୍ଷ ତଥା ଉଚ୍ଚ ନ୍ୟାୟାଳୟ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ସ୍ବାଗତଭାଷଣ ପ୍ରଦାନ କରିବା ସହ ଶେଷ ୫ବର୍ଷ ମଧ୍ୟରେ ରାଜ୍ୟ ଜୁଡିସିଆଲ ଏକାଡେମୀ ପରିସରରେ ୩୦୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିବା କହିଥିଲେ। ଉଚ୍ଚ ନ୍ୟାୟାଳୟ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟ ବିଚାରପତି ଅବସରପ୍ରାପ୍ତ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଭାସି ମାଧ୍ୟମରେ ୫ ଜିଲା ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ପରିସରରେ ଉଚ୍ଚ ନ୍ୟାୟାଳୟ ବିଚାରପତି ଓ ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.