ବୁଥ ସଶକ୍ତିକରଣ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଗୁରୁତ୍ବ

ବିଜେପିର ବିଧାନସଭା କୋର କମିଟି ବୈଠକ

ଆଠଗଡ : ଭାରତୀୟ ଜନତା ପାର୍ଟି ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଲକ୍ଷ୍ୟ ରଖି ଦେଶବ୍ୟାପୀ ଲୋକସଭା ନିର୍ବାଚନ ମଣ୍ଡଳି ଗୁଡିକରେ ପ୍ରବାସ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କଟକ ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଆଠଗଡ, ବଡମ୍ବା, ବାଙ୍କୀ ଓ ଖଣ୍ଡପଡା ଆଦି ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିର କୋର କମିଟି ବୈଠକ ଶନିବାର ଆଠଗଡରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗଦେଇ ସଂପୃକ୍ତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିର ସମସ୍ତ ବିଧାନସଭା ପ୍ରାର୍ଥୀ, ମଣ୍ଡଳ ସଭାପତି ଓ ଅନ୍ୟ ପଦାଧିକାରୀଙ୍କୁ ଦଳର ଆଭିମୁଖ୍ୟ ସଂପର୍କରେ ବୁଝାଇବା ସହ ବୁଥ୍‌‌ ସଶକ୍ତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

prayash

ବୁଥ୍‌‌ଗୁଡିକ ଅଧିନରେ ଥିବା ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କର ଲୋକାଭିମୁଖୀ ଯୋଜନା ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସହିତ ଦେଶର ବିକାଶ ବିଷୟରେ ଅବଗତ କରାଇବାକୁ ଶ୍ରୀ ରାୟ ଉପସ୍ଥିତ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ରୁଦ୍ଧଦ୍ୱାରା ବୈଠକରେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ଜୋରଦାର ପ୍ରସ୍ତୁତି କରିବା ଲାଗି ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ ସ୍ୱାଧୀନତାର ୧୦୦ବର୍ଷ ପୂର୍ତ୍ତି ଅର୍ଥାତ୍‌‌ ଆଗାମୀ ୨୦୪୭ସୁଦ୍ଧା ଭାରତକୁ ଏକ ବିକଶିତ ଓ ଅର୍ଥନୈତିକ ଶକ୍ତିଭାବେ ଗଢିତୋଳିବା ପାଇଁ କେନ୍ଦ୍ର ସରକାର ଏବେଠାରୁ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ପ୍ରକାଶ କରିଥିଲେ । ମୋଦୀ ସରକାର ସବୁକ୍ଷେତ୍ରରେ ପ୍ରଗତି ଏବଂ ସବୁବର୍ଗର ଲୋକଙ୍କ ବିକାଶ ପାଇଁ ସମର୍ପିତ ବୋଲି ଶ୍ରୀ ରାୟ କହିଥିଲେ। କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ ଜିଲ୍ଲା ସଭାପତି ଲାଲା ମନୋଜ ରାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, କଟକ ଲୋକସଭା ପ୍ରଭାରୀ ପ୍ରତାପ ମିଶ୍ର, ଲୋକସଭା ସଂଯୋଜକ ସୁକାନ୍ତ ବିଶ୍ୱାଳ, ଲୋକସଭା ବିସ୍ତାରକ ମୃତ୍ୟୁଞ୍ଜୟ ଜେନା, ଆଠଗଡର ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ, ରାମନାରାୟଣ ମହାନ୍ତି, ବିକ୍ରମ କେଶରୀ ଦାଶ, ଅଭୟ ବାରିକ, ବିଚିତ୍ରାନନ୍ଦ ଜେନା, ବଡମ୍ବାର ବରିଷ୍ଠ ନେତା ବିଜୟ କୁମାର ଦଳ ବେହେରା, ବାଙ୍କୀର ବରିଷ୍ଠ ନେତା ଶୁଭ୍ରାଂଶୁ ମୋହନ ପାଢୀ, ତୁଷାର ଚକ୍ରବର୍ତ୍ତୀ, ଖଣ୍ଡପଡାର ବରିଷ୍ଠ ନେତା ପ୍ରସନ୍ନ ଦାସଙ୍କ ସମେତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିର ସମସ୍ତ ମଣ୍ଡଳ ସଭାପତି ଓ ପଦାଧିକାରୀ ଉପସ୍ଥିତ ଥିଲେ। ଅପରାହ୍ନ ୪ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟଙ୍କୁ କନ୍ତୋଲସ୍ଥିତ ବିଶ୍ୱନାଥ ସାଗର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ସଭା ସ୍ଥଳ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା।

Comments are closed.