ପ୍ରେମ, ବିବାହ ପରେ ଧୋକ୍କା, ଥାନାରେ ମହିଳା ଓଏଏସ୍ ଅଧିକାରୀ
ମହଙ୍ଗା ପଡ଼ିଲା ଅନ୍ଲାଇନରେ ସାଥି ବାଛିବା
ଜୟପୁର : ପ୍ରଥମେ ଅନ୍ଲାଇନ ଓଡ଼ିଆ ମାଟ୍ରିମୋନି ସାଇଟ୍ରେ ପରିଚୟ ପରେ ପ୍ରେମ ଓ ବିବାହ ପରେ ଧୋକ୍କା…। କେହି ସାଧାରଣ ମହିଳା ନୁହେଁ ଜଣେ ମହିଳା ଓଏଏସ୍ ଅଧିକାରୀ ଏଭଳି ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀ କିଭଳି ତାଙ୍କୁ ମିଛ ଜାଲରେ ଫସାଇଛନ୍ତି ତାହା ବଖାଣିଛନ୍ତି। କେବଳ ସେତିକି ନୁହେଁ ରାତି ଅଧରେ ଶାଶୂଘରେ ପୁଅ ଓ ଝିଅର ଲୋକଙ୍କ ମଧ୍ୟରେ ହାତାହାତି ଘଟଣା ଏବେ ଜୟପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଧିକାରୀଜଣକ ହେଲେ ଜୟପୁରର ରିତୁ ସିଂ। ଠକାମୀର ଶିକାର ହେବାର ଜାଣିବା ପରେ ରାତି ଅଧରେ ଶାଶୁ ଶ୍ବଶୂରଙ୍କ ଘରେ ସ୍ବାମୀଙ୍କୁ ଖୋଜିଛନ୍ତି । ସେଠାରେ ଉଭୟ ପୁଅ, ଝିଅ ଘର ଲୋକେ ଟଣାଓଟରା ସହ ହାତାହାତି ମଧ୍ୟ ହୋଇଥିବା ଶୁଣିବାକୁ ମିଳୁଛି। ପୁଲିସ ଉପସ୍ଥିତିରେ କୁଆଡ଼େ ଏସବୁ ଘଟିଥିଲା ବୋଲି କୁହାଯାଉଛି । ଏ ନେଇ ସମ୍ପୃକ୍ତ ମହିଳା ଅଧିକାରୀ ଜୟପୁର ଟାଉନ ଥାନାରେ ସ୍ବାମୀ, ଶାଶୁ, ଶ୍ବଶୂର ଓ ନଣନ୍ଦ ନାଁରେ ନିର୍ଯାତନା ଅଭିଯୋଗ କରି ଏତଲା ଦେଇଛନ୍ତି । ଗତ ଶୁକ୍ରବାର ରାତିରେ ରିତୁ ସିଂ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ରାତିରେ ହିଁ ପୁଲିସ ରିତୁ ସିଂଙ୍କ ସ୍ୱାମୀଙ୍କ ଲିଙ୍ଗରାଜନଗରସ୍ଥିତ ଘରକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ।
ଅଭିଯୋଗ ଅନୁସାରେ ରିତୁ ସିଂ ଗତ ଫେବୃଆରୀ ୯ତାରିଖ ଦିନ ଜୟପୁର ହରିହର ରଥଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟେ ଉଭୟଙ୍କୁ ଓଡ଼ିଆ ମାଟ୍ରିମୋନି ସାଇଟ୍ରୁ ଜାଣିଥିଲେ । ଏହି ସମୟରେ ରିତୁଙ୍କ ସ୍ବାମୀ ହରିହର ରଥ ଦିଲ୍ଲୀର ନାଲ୍କୋରେ ଡେପୁଟି ମ୍ୟାନେଜର ଭାବେ ଚାକିରି କରୁଥିବା କହିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଉଭୟ ଭଲ ପାଉଥିବା ପ୍ରସଙ୍ଗ ଉଭୟଙ୍କ ଘରେ ଜାଣିଥିଲେ। ଏହାପରେ ଉଭୟଙ୍କ ପରିବାର ଲୋକଙ୍କ ସହମତିରେ ବିବାହ ହୋଇଥିଲା। ରିତୁ ସିଂ ଜୟପୁରରେ ଚାକିରି କରି ରହୁଥିବାବେଳେ ହରିହର ନାଲ୍କୋରେ କାମ କରିବାକୁ କହି ଦିଲ୍ଲୀ ଚାଲିଯାଇଥିଲେ। ଏ ନେଇ ହରିହର ବିବାହ ପରେ କୌଣସି ପ୍ରକାର ନାଲ୍କୋରେ ଚାକିରି କରୁଥିବା ପ୍ରମାଣ ଦେଖାଇପାରି ନ ଥିଲେ। ତେଣୁ ମିଛ କହି ତାଙ୍କୁ ହରିହର ବିବାହ କରିଥିବା ଏବଂ ଦିଲ୍ଲୀରେ ଅନ୍ୟ ମହିଳାଙ୍କ ସହ ହରିହରଙ୍କ ସମ୍ପର୍କ ଥିବା ରିତୁ ଅଭିଯୋଗ କରୁଛନ୍ତି । ଏପରିକି ହରିହର ଦିଲ୍ଲୀରେ ଥିବା କହୁଥିଲେ ମଧ୍ୟ ନିଜ ପ୍ରକୃତ ଲୋକେସନ ମାଗିଲେ ବି ହ୍ବାଟ୍ସଆପ୍ରେ ପଠାଉନାହାନ୍ତି, ଯାହାକି ହରିହରଙ୍କ ପ୍ରତି ସନ୍ଦେହ ବଢାଉଛି ବୋଲି ରିତୁ କହିଛନ୍ତି । ପୁଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରିଛି । ଶନିବାର ସକାଳୁ ନିର୍ଯାତନା, ଯୌତୁକ ଓ ଠକାମୀ କରିଥିବା ଅଭିଯୋଗରେ ରିତୁ ସିଂଙ୍କ ଶାଶୁ ଶ୍ୱଶୂର ଓ ନଣନ୍ଦକୁ ଜୟପୁର ଟାଉନ ଥାନାରେ ପଚରାଉଚୁରା କରି ଛାଡି ଦେଇଛନ୍ତି । ଏଯାଏଁ ରିତୁଙ୍କ ସ୍ୱାମୀ ହରିହର ରଥଙ୍କୁ ପୁଲିସ ଗିରଫ କରି ପାରିନି। ଗିରଫ କରି ଅଣାଯାଇଥିବା ଶାଶୁ, ଶ୍ୱଶୂର ଓ ନଣନ୍ଦକୁ ପୁଲିସ ନୋଟିସ ଦେଇ ଛାଡି ଦେଇଛି । ଅତି ଶୀଘ୍ର ହରିହର ରଥଙ୍କୁ ଠାବ କରାଯିବ ବୋଲି ଜୟପୁର ଟାଉନ ଥାନା ଆଇଆଇସି ସମ୍ବିତ ବେହେରା କହିଛନ୍ତି।
Comments are closed.