୧୫ରେ ୭ ଜିଲାରେ ବନ୍ଦ ପାଳନ ପାଇଁ ଆହ୍ୱାନ
ଅଡିଓଟେପ୍ ଜାରି କଲା ସିପିଆଇ ମାଓବାଦୀ ସଙ୍ଗଠନ
କଲ୍ୟାଣସିଂହପୁର : ରାୟଗଡ଼ା ଜିଲାରେ ସିପିଆଇ ମାଓବାଦୀ ସଙ୍ଗଠନ ପକ୍ଷରୁ ଆଉ ଏକ ଅଡିଓଟେପ୍ ଜାରି ହୋଇଛି। ଅଡିଓଟେପ୍ରେ ମେ ୧୫ ତାରିଖରେ ୧୨ଦଫା ଦାବି ନେଇ ୭ ଜିଲାରେ ବନ୍ଦ ପାଳନ ନିମନ୍ତେ ଆହ୍ବାନ କରାଯାଇଛି । ସେହି ଜିଲାଗୁଡ଼ିକ ହେଲା ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଗଜପତି ଓ ନୟାଗଡ଼। ଏହି ବନ୍ଦ ପାଳନ ଦିନ ଅତ୍ୟାବଶ୍ୟକୀୟ ତଥା ଡାକ୍ତରଖାନା, ଆମ୍ବୁଲାନ୍ସ, ଔଷଦ ଦୋକାନ, କ୍ଷୀର ଗାଡ଼ି ଓ ପରୀକ୍ଷା କେନ୍ଦ୍ରକୁ ବାଦ ଦିଆଯାଇଛି। ୧୨ଗୋଟି ଦାବି ମାଓବାଦୀ ସଙ୍ଗଠନ ପକ୍ଷରୁ ଅଡିଓଟେପ୍ ମାଧ୍ୟମରେ ଜଣାଇ ଦିଆଯାଇଛି। ଯୋଗ୍ୟ ଗରିବ ଆଦିବାସୀ ଚାଷୀମୂଲିଆଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ, ପିଡ଼ିଏସ୍ ଚାଉଳ ସହ ତେଲ, ଡାଲି, ଲୁଣ ମାଗଣାରେ ଦିଆଯାଉ, ପ୍ରତ୍ୟେକ ଗାଁକୁ ରାସ୍ତା, ପାନୀୟଜଳ ଓ ମାଗଣାରେ ୧୦୦ ୟୁନିଟ ଯାଏଁ ବିଜୁଳି, ପ୍ରତି ପଞ୍ଚାୟତରେ ଡାକ୍ତରଖାନା ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି, ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ପିଲା କମ କହି ବନ୍ଦ କରାଯାଇଥିବା ବିଦ୍ୟାଳୟ ପୁଣି ଖୋଲାଯାଉ, ଖାଲିଥିବା ଶିକ୍ଷକ ପଦବୀ ନିଯୁକ୍ତି ତୁରନ୍ତ ପୂରଣ କରାଯାଉ, ଦଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାସିକ ୩ହଜାର ଟଙ୍କା ଛାତ୍ରବୃତ୍ତି ସହ ମାଗଣାରେ ଉଚ୍ଚଶିକ୍ଷା ଦିଆଯାଉ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୩ ହଜାରକୁ ବୃଦ୍ଧି କରିବା, ଦାଦନ ରୋକାଯାଉ ଭଳି ଦାବି ଉଲ୍ଲେଖ କରାଯାଇଛି। ୧୫ ତାରିଖ ଦିନ ବନ୍ଦ ପାଳନ ସଫଳ କରିବାକୁ ସହଯୋଗ ନିମନ୍ତେ ମାଓବାଦୀ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି।
Comments are closed.