www.samajalive.in
Monday, December 15, 2025
16.1 C
Bhubaneswar

ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ନିୟମ : ଜଣେ ପ୍ରଫେସର ଚଳାଉଛନ୍ତି ଦୁଇ ବିଭାଗ

କଟକ : ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟନେଇ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲିଚାଲିଛନ୍ତି। ଏକାଧିକ ନୂଆ ମେଡିକାଲ କଲେଜରେ ଅଧ୍ୟାପକ ଅଭାବ ଯୋଗୁଁ ଉଭୟ ଶିକ୍ଷାଦାନ ଓ ରୋଗୀ ସେବା ବିପର୍ଯ୍ୟନ୍ତ ହେବାରେ ଲାଗିଛି। ସବୁ ବିଭାଗରେ ଡାକ୍ତର ନିଯୁକ୍ତି ଦେବାରେ ସ୍ୱାସ୍ଥ୍ୟ ବିଭାଗ ପ୍ରାଧାନ୍ୟ ଦେଉଥିବାବେଳେ କେତେକ ଅଧିକାରୀ ଏହାକୁ ବାଟବଣା କରିଚାଲିଛନ୍ତି। ସୁନ୍ଦରଗଡ଼ ମେଡିକାଲ କଲେଜରେ ଜଣେ ପ୍ରଫେସର ଦୁଇଟି ବିଭାଗ ଦାୟିତ୍ୱ ସମ୍ଭାଳିଛନ୍ତି। ଦୀର୍ଘ ୧୪ମାସ ଧରି ଏହି ମେଡିକାଲ କଲେଜରେ ଜଣେ ହେଲେ ସହଯୋଗୀ କିମ୍ବା ସହକାରୀ ପ୍ରଫେସର ନିଯୁକ୍ତି ଦିଆଯାଉନାହିଁ। କେତେକ ମେଡିକାଲ କଲେଜର ଏକାଧିକ ବିଭାଗରେ ଆବଶ୍ୟକତାଠାରୁ ଅଧିକ ସହକାରୀ ପ୍ରଫେସର ଠିକାରେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୯ଟିରୁ ଊର୍ଦ୍ଧ୍ବ ସରକାରୀ ମେଡିକାଲ କଲେଜ ରହିଛି। ଏହିସବୁ ମେଡିକାଲ କଲେଜରେ ଶିକ୍ଷାଦାନ ସହିତ ରୋଗୀସେବା କରାଯାଉଛି। ଶରୀରତତ୍ତ୍ୱ, ଫାର୍ମାକୋଲୋଜି, ଆନାଟୋମି ଭଳି ବିଭାଗରେ କେବଳ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଇଥାଏ। ସୁନ୍ଦରଗଡ଼ ମେଡିକାଲ କଲେଜରେ ଶରୀରତତ୍ତ୍ୱ ବିଭାଗରେ ପ୍ରଫେସରଭାବେ ଡା. ମିନତି ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଶରୀରତତ୍ତ୍ୱ ବିଭାଗ ସହିତ ଜୈବରସାୟନ ବିଭାଗ ଦାୟିତ୍ୱରେ ରହିଛନ୍ତି। ଜୈବ ରସାୟନ ବିଭାଗର ପ୍ରଫେସରଙ୍କୁ ବର୍ଷକ ଭିତରେ ସେଠାରୁ ଶିକ୍ଷା ଓ ତାଲିମ ନିର୍ଦେଶକ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଦୁଇଟି ବିଭାଗରେ ଶିକ୍ଷାଦାନ ସହିତ ପରୀକ୍ଷା ପରିଚାଳନା ଦାୟିତ୍ୱ ମଧ୍ୟ ତାଙ୍କ ହାତରେ ନ୍ୟସ୍ତ କରାଯାଇଛି।
ନିକଟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଜଣେ ହେଲେ ସହକାରୀ ପ୍ରଫେସରଙ୍କୁ ସୁନ୍ଦରଗଡ଼ରେ ନିଯୁକ୍ତି ମିଳିନି। ପୁରୀରେ କାର୍ଯ୍ୟରତ ଜନୈକ ସହକାରୀ ପ୍ରଫେସରଙ୍କୁ ପଦୋନ୍ନତି ଦିଆଯାଇ ସୁନ୍ଦରଗଡ଼କୁ ବଦଳି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ଗ୍ରହଣ କରିନଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ମେଡିକାଲ ଶରୀରତତ୍ତ୍ୱ ବିଭାଗରେ ସହକାରୀ କିମ୍ବା ସହଯୋଗୀ ପ୍ରଫେସର ନିଯୁକ୍ତି ଦିଆଯାଉନଥିବାବେଳେ କଟକ ବଡ଼ ମେଡିକାଲ ଶରୀରତତ୍ତ୍ୱ ବିଭାଗରେ ଏନ୍‌‌ଏମ୍‌‌ସି(ନ୍ୟାସନାଲ ମେଡିକାଲ କାଉନସିଲ)ର ନିୟମ ଅନୁଯାୟୀ ଆବଶ୍ୟକତାଠାରୁ ବର୍ତ୍ତମାନ ଅଧିକ ସହକାରୀ ପ୍ରଫେସର ଅଛନ୍ତି। ଏନ୍‌ଏମ୍‌ସି ନିୟମ ଅନୁଯାୟୀ ଉକ୍ତ ବିଭାଗରେ ୪ଜଣ ସହକାରୀ ପ୍ରଫେସର ଆବଶ୍ୟକତା ରହିଛି। ବର୍ତ୍ତମାନ ଉକ୍ତ ବିଭାଗରେ ୭ଜଣ ସହକାରୀ ପ୍ରଫେସର କାର୍ଯ୍ୟ କରୁଛନ୍ତି। ଏହିସବୁ ସହକାରୀ ପ୍ରଫେସରଙ୍କୁ ୨ଜଣଙ୍କୁ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଠିକାରେ ନିଯୁକ୍ତି ଦିଆଯାଇଛି। ଅଧିକ ସହକାରୀ ପ୍ରଫେସରଙ୍କୁ ଠିକାରେ ନିଯୁକ୍ତି ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ନିଯୁକ୍ତି ପଛରେ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦେଶକ କାର୍ଯ୍ୟାଳୟର କେତେକ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଧିକାରୀ ନିର୍ଦିଷ୍ଟ ପଦରେ ୧୪ବର୍ଷରୁ ଊର୍ଦ୍ଧ୍ବ ହେବ କାର୍ଯ୍ୟ କରୁଛନ୍ତି। ଅନ୍ୟ ଅଧିକାରୀଙ୍କ ବଦଳି ହେଉଥିବାବେଳେ ତାଙ୍କର କିନ୍ତୁ ବଦଳି ହେଉନାହିଁ। ସମ୍ପୃକ୍ତ ଅଧିକାରୀ ଏକାଧିକ ଦୁର୍ନୀତିରେ ସମ୍ପୃକ୍ତ ଥିବା ବହୁ ଡାକ୍ତର ଅଭିଯୋଗ କରିଛନ୍ତି। କଟକ ବଡ଼ ମେଡିକାଲରେ ହୋଇଥିବା ଠିକା ନିଯୁକ୍ତି ପଛରେ ସମ୍ପୃକ୍ତ ଅଧିକାରୀ ଥିବା ଆଲୋଚନା ହେଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories