ଉଦ୍ଧବ ଠାକରେଙ୍କ ସରକାରକୁ ପୁନଃ ଅବସ୍ଥାପିତ କରାଯାଇପାରିବନି : ସୁପ୍ରିମକୋର୍ଟ

ମହାରାଷ୍ଟ୍ର ରାଜନୈତିକ ସଂକଟ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତଙ୍କ ରାୟ

ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତିରେ ଗତବର୍ଷ ହୋଇଥିବା ମହାନାଟକ ପ୍ରସଙ୍ଗରେ ଗୁରୁବାର ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ରାୟ ଶୁଣାଇଛନ୍ତି। ରାୟରେ ସୁପ୍ରିମକୋର୍ଟ ଉଦ୍ଧବ ଠାକରେଙ୍କ ନେତୃତ୍ବ ମହାରାଷ୍ଟ୍ରର ଏମଭିଏ (ମହାବିକାଶ ଅଘାଡି) ସରକାରର ପତନ ପାଇଁ ତତ୍କାଳୀନ ରାଜ୍ୟପାଳ ଭଗତ ସିଂହ କୋସିୟାରୀଙ୍କ ପଦକ୍ଷେପକୁ ଦୋଷାରୋପ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ପ୍ରସ୍ତାବ ଆଧାରରେ ଉଦ୍ଧବ ଠାକରେଙ୍କ ସରକାରକୁ ରାଜ୍ୟପାଳ ଆସ୍ଥା ଭୋଟ ପାଇଁ ନିର୍ଦେଶ ଦେବା ଭୁଲ୍ ନିଷ୍ପତ୍ତି ଥିଲା। ରାଜ୍ୟପାଳ ସମ୍ବିଧାନର ନିୟମ ଆଧାରରେ କାର୍ଯ୍ୟ କରି ନଥିଲେ। କାରଣ ଉଦ୍ଧବଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ନେଇ ବିଧାୟକମାନେ ରାଜ୍ୟପାଳଙ୍କୁ କୌଣସି ଲିଖିତ ପତ୍ର ଦେଇ ନଥିଲେ। ଅସନ୍ତୁଷ୍ଟ ବିଧାୟକମାନେ କହିଥିଲେ ଯେ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦେଶ ଦିଆଯାଉ। ସରକାର ଉପରେ ଦଳୀୟ ବିଧାୟକଙ୍କ ଅସନ୍ତୋଷକୁ ଆଧାର କରି ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଆସ୍ଥା ଭୋଟ ନିର୍ଦେଶ ଦେବା ଭୁଲ୍ ନିଷ୍ପତ୍ତି ଥିଲା।
ରାଜ୍ୟପାଳଙ୍କ ଏପରି ଭୁଲ୍ ନିଷ୍ପତ୍ତି ସତ୍ତ୍ବେ ଉଦ୍ଧବ ଠାକରେଙ୍କ ସରକାରକୁ ପୁନଃ ଅବସ୍ଥାପିତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କାରଣ ଆସ୍ଥା ଭୋଟ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତି ଭୁଲ୍‌ ଥିବାବେଳେ ଉଦ୍ଧବ ଠାକରେ ଗୃହରେ ଆସ୍ଥା ଭୋଟର ସମ୍ମୁଖୀନ ନ ହୋଇ ଆଗୁଆ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆସ୍ଥା ଭୋଟ ବିନା ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ସ୍ବେଚ୍ଛାକୃତ ଇସ୍ତଫା ଦେଇଥିବାରୁ ତାଙ୍କ ସରକାରକୁ ପୁନଃ ଅବସ୍ଥାପତିତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି।

ମହାରାଷ୍ଟ୍ର ନାଟକର ସମୟ ରେଖା
୨୦୨୨ ଜୁନ୍ ୨୦ – ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପରେ ଶିବସେନା ନେତା ଏକନାଥ ସିନ୍ଦେ ନିଖୋଜ ହୋଇଯାଇଥିଲେ। ସିନ୍ଦେଙ୍କ ସହିତ ଶିବସେନାର ଅନ୍ୟ ୧୧ ବିଧାୟକ ଗୁଜରାଟର ସୁରତ ଚାଲିଯାଇଥିଲେ।
ଜୁନ ୨୧ – ବିଧାନ ପରିଷଦ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସିନ୍ଦେଙ୍କୁ ଶିବସେନା ବିଧାୟକ ଦଳ ନେତା ପଦରୁ ହଟାଇଲେ ଉଦ୍ଧବ ଠାକରେ।
ଜୁନ ୨୩ – ବିଦ୍ରୋହୀ ବିଧାୟକ ସିନ୍ଦେଙ୍କୁ ଶିବସେନାର ବିଧାୟକ ଦଳ ନେତା ଘୋଷଣା କଲେ। ସେହିଦିନ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ଛାଡି ବ୍ୟକ୍ତିଗତ ବାସଭବନକୁ ଚାଲିଆସିଲେ।
ଜୁନ ୨୬ – ଉଦ୍ଧବଙ୍କ ବିରୋଧରେ ଆଗତ ଅନାସ୍ଥା ଭୋଟକୁ ଉପ ବାଚସ୍ପତି ଅଗ୍ରାହ୍ୟ କରିବାକୁ ଚାଲେଞ୍ଜ କରି ସିନ୍ଦେ ସୁପ୍ରିମକୋର୍ଟ ଦ୍ବାରସ୍ଥ ହେଲେ।
ଜୁନ୍ ୨୯ – ସୁପ୍ରିମକୋର୍ଟ ଉଦ୍ଧବ ଠାକରେଙ୍କ ସରକାରକୁ ଜୁନ୍ ୩୦ରେ ଆସ୍ଥା ଭୋଟ ସମ୍ମୁଖୀନ ହେବାକୁ ନିର୍ଦେଶ ଦେଲେ। ସେହିଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ।
ଜୁନ୍ ୩୦ – ଏକାନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ।
ଜୁଲାଇ ୩ – ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ। ବିଜେପି ବିଧାୟକ ରାହୁଲ ନାର୍ଭେକର ବାଚସ୍ପତି ନିର୍ବାଚନ। ସିନ୍ଦେ ଆସ୍ଥା ଭୋଟରେ ବିଜୟ ହେଲେ।
୨୦୨୩ ଫେବୃଆରୀ ୧୭ – ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଶିବସେନା ମାନ୍ୟତା ପ୍ରଦାନ ସହିତ ଦଳୀୟ ଚିହ୍ନ ଧନୁ ଓ ତୀର ପ୍ରଦାନ କଲେ।
ମେ ୧୧ – ସୁପ୍ରିମକୋର୍ଟ ମହାନାଟକ ଉପରେ ଚୂଡାନ୍ତ ରାୟ ଶୁଣାଇଲେ। ଉଦ୍ଧବ ଠାକରେ ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ତାଙ୍କ ସରକାରକୁ ପୁନଃ ଅବସ୍ଥାପିତ କରାଯାଇପାରିବ ନାହିଁ।

prayash

ମୋ ଭଳି ନୈତିକତା ଦୃଷ୍ଟିରୁ ଏକନାଥ ସିନ୍ଦେ ଇସ୍ତଫା ଦେବା ଦରକାର: ଉଦ୍ଧବ
ମୁମ୍ବଇ : ମହାରାଷ୍ଟ୍ର ରାଜନୈତିକ ସଂକଟ ପ୍ରସଙ୍ଗରେ ଗୁରୁବାର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଇସ୍ତଫା ଦେବାକୁ ଆହ୍ବାନ ଦେଇଛନ୍ତି। ଉଦ୍ଧବ କହିଛନ୍ତି ଯେ ଗତବର୍ଷ ସେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅନୁରୂପ ଭାବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଇସ୍ତଫା ଦେବା ଦରକାର। ଏହା ସହିତ ଆସ୍ଥା ଭୋଟ ପାଇଁ ନିର୍ଦେଶ ଦେଇଥିବା ତତ୍କାଳୀନ ରାଜ୍ୟପାଳ ଭଗତ ସିଂହ କୋସିୟାରୀଙ୍କୁ ଉଦ୍ଧବ ସମାଲୋଚନା କରିଛନ୍ତି। ମହାରାଷ୍ଟ୍ର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଦେଶର ଗଣତନ୍ତ୍ର ଉପରେ ପୁନଃ ଆସ୍ଥା ସ୍ଥାପନ କରିଛି।

ଗଣତନ୍ତ୍ରର ବିଜୟ: ଫଡନବିସ
ମୁମ୍ବଇ : ମହାରାଷ୍ଟ୍ର ରାଜନୈତିକ ସଂକଟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ଫଡନବିସ କହିଛନ୍ତି ଯେ ଅଦାଲତଙ୍କ ଏହି ରାୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ବିଜୟକୁ ସୂଚିତ କରୁଛି। ତେଣୁ ଏହି ରାୟକୁ ନେଇ ଆମେ ସମସ୍ତେ ସନ୍ତୁଷ୍ଟ ଅଛୁ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହିତ ଫଡନବିସ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ସୁପ୍ରିମକୋର୍ଟ ବର୍ତ୍ତମାନର ସରକାରରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଛନ୍ତି; କାରଣ ବର୍ତ୍ତମାନର ସରକାର ନୈତିକତା ଆଧାରରେ ହୋଇଛି। ସେହିପରି ସିନ୍ଦେ କହିଛନ୍ତି ଯେ ଉଦ୍ଧବଙ୍କ ମୁହଁରେ ନୈତିକତାର କଥା ଶୋଭା ପାଉ ନାହିଁ।

Comments are closed.