ପରିବେଶ ସୁରକ୍ଷା ପାଇଁ ଯୁବକଙ୍କ ପଦଯାତ୍ରା

ଆଠଗଡ଼ :  ପରିବେଶ ପ୍ରଦୂଷଣ ଏବେ ଭାରତ ନୁହେଁ ସମଗ୍ର ବିଶ୍ବ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ତେବେ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପଦଯାତ୍ରାରେ ବାହାରିଛନ୍ତି ଉତ୍ତର ପ୍ରଦେଶର ୨୫ ବର୍ଷୀୟ ଉଚ୍ଚ ଶିକ୍ଷିତ ଯୁବକ ଆଶୁତୋଷ ପାଣ୍ଡେ । ଗତ ବର୍ଷ ଡିସେମ୍ବର ମାସ ୪ ତାରିଖରୁ ଉତ୍ତରପ୍ରଦେଶ ଅଯୋଧ୍ୟାଠାରୁ ବନ୍ଦେ ଭାରତ ନାମରେ ତାଙ୍କର ଏହି ପଦଯାତ୍ରା ଆରମ୍ଭ ହୋଇଛି । ୨୧ ଟି ରାଜ୍ୟ ପରିଭ୍ରମଣ କରି ସଚେତନତାର ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟ ରଖି ବର୍ତ୍ତମାନ ସୁଦ୍ଧା ସେ ଚାରୋଟି ରାଜ୍ୟର ୫୩ଟି ଜିଲ୍ଲା ଅଧିନ ପ୍ରାୟ ୧ ହଜାର ଗ୍ରାମ ଏବଂ ୩୩୦୦ କିମି ଯାତ୍ରା କରିବା ସହିତ ପରିବେଶ ସୁରକ୍ଷା ପାଇଁ ୬୫୦ଟି ଗଛ ଲଗାଇ ସାରିଲେଣି । ଯାତ୍ରା ଶେଷ ହେଲା ବେଳକୁ ୧୦ ହଜାର ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଆଶୁତୋଷ। ଏହା ଭିତରେ ସେ ଝାଡ଼ଖଣ୍ଡ ଏବଂ ବିହାରର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ସେମାନଙ୍କୁ ଗୋଟିଏ ଗୋଟିଏ ଗଛ ଉପହାର ଦେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଜିଲ୍ଲା କିମ୍ବା ରାଜ୍ୟର ପ୍ରଶାସନିକ କିମ୍ବା ରାଜନୈତିକ ପ୍ରୋତ୍ସାହନ ତାଙ୍କୁ ମିଳି ପାରିନାହିଁ ।  ଗୁରୁବାର ସନ୍ଧ୍ୟାରେ ସେ ଆଠଗଡ଼ରେ ପହଞ୍ଚିବା ପରେ ଆଠଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

Comments are closed.