‘ପ୍ରାଣୀମାନଙ୍କ ଯତ୍ନ ଓ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ଉପରେ ଆମର ଚାଷୀ ତଥା ଗରିବ ଲୋକଙ୍କର ରୋଜଗାର ନିର୍ଭର କରେ’
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ
ଭୁବନେଶ୍ୱର: ପ୍ରାଣୀମାନଙ୍କ ଯତ୍ନ ଓ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ଉପରେ ଆମର ଚାଷୀ ତଥା ଗରିବ ଲୋକଙ୍କର ରୋଜଗାର ନିର୍ଭର କରିଥାଏ। ତେଣୁ ସେମାନଙ୍କର ଉପଯୁକ୍ତ ଯତ୍ନ ଓ ଚିକିତ୍ସା ସୁବିଧାର ବିକାଶ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉଦ୍ୟମ ତଥା ଏହି ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କର ନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।
ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ପ୍ରାଣୀପାଳନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଏକ ଅଭିବୃଦ୍ଧି ଇଂଜିନ୍ ଭାବରେ ପରିଗଣିତ ହୋଇଛି । ରାଜ୍ୟରେ ୫୪୧ଟି ପ୍ରାଣୀ ଚିକିତ୍ସାଳୟ ଏବଂ ୩୨୩୯ଟି ପ୍ରାଣୀସଂପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ, ଉଦ୍ୟୋଗୀ ଏବଂ ପ୍ରାଣୀପାଳକମାନଙ୍କୁ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରଜନନ ଏବଂ ପରାମର୍ଶ ସେବା ଯୋଗାଇ ଦିଆଯାଉଛି। ସାରା ରାଜ୍ୟରେ ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ମାଧ୍ୟମରେ ଚାଷୀଙ୍କ ଦ୍ୱାରଦେଶରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।
ସେହିପରି ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟି୍ରକ୍ ଟନରୁ ୨୦୨୧ରେ ୨୩.୭୩ ଲକ୍ଷ ମେଟି୍ରକ୍ ଟନକୁ ବୃଦ୍ଧି ପାଇଛି। ଗତ ୨୦ ବର୍ଷ ମଧ୍ୟରେ ମାଂସ ଉତ୍ପାଦନ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ୩୮.୩୮ ହଜାର ମେଟି୍ରକ୍ ଟନରୁ ୨୦୨୧ ମସିହାରେ ଏହା ୨୧୩.୦୯ ହଜାର ମେଟି୍ରକ୍ ଟନକୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇ ୨୦୦୦ ମସିହାରେ ୭୩୦୧.୦୪ ଲକ୍ଷ ଅଣ୍ଡାରୁ ୨୦୨୧ ମସିହାରେ ୨୪୨୪୨.୬୭ ଲକ୍ଷ ଅଣ୍ଡାକୁ ବୃଦ୍ଧି ପାଇଛି।
ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଲେ ଯେ କୃତି୍ରମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଜେନେଟିକ୍ ଉନ୍ନତିକରଣ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ଏକ ମିଶନ ଭାବରେ ନିଆଯାଇଛି।
ପ୍ରାଣୀସଂପଦ ସହାୟକ କେନ୍ଦ୍ର ସ୍ତରରେ କୃତି୍ରମ ପ୍ରଜନନ କାର୍ଯ୍ୟ ପାଇଁ ଲିଙ୍ଗ ନିରୂପିତ ଶୁକ୍ର ଉପଲବ୍ଧ ଅଛି, ଯାହା କେବଳ ୯୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାରେ ସହାୟକ ହେବ ଏବଂ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ। ଛେଳିଙ୍କ ଆନୁବଂଶିକ ଗୁଣରେ ଉନ୍ନତି ଆଣିବା ପାଇଁ ଛେଳିଙ୍କ କୃତି୍ରମ ପ୍ରଜନନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥି ସହିତ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରାଣୀ କଲ୍ୟାଣ ଏବଂ ପ୍ରାଣୀପାଳନରେ ଶତାଧିକ ପ୍ରାଣୀ ଚିକିତ୍ସକ ଓ ସହାୟକ କର୍ମଚାରୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ବଶିଷ୍ଠ କହିଥିଲେ ।
ଉତ୍ସବରେ ରାଜ୍ୟର ଅଗ୍ରଣୀ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ପ୍ରାଣୀପାଳନରେ ସେମାନଙ୍କ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା। ସେହିପରି ପ୍ରାଣୀଚିକିତ୍ସା ସେବାରେ ଉଲ୍ଲେଖନୀୟ ସଫଳତା ପାଇଁ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ପ୍ରାଣୀଚିକିତ୍ସକ ଏବଂ ବୈଷୟିକ କର୍ମଚାରୀଙ୍କୁ ସମ୍ମାନିତ କରାଯିବା ସହ ପ୍ରାଣୀପାଳନରେ ଶ୍ରେଷ୍ଠ ଜିଲାଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜି ସକାଳେ ଷ୍ଟିୱାର୍ଟ ସ୍କୁଲ ଛକରୁ ଭେଟେରିନାରୀ କଲେଜ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଶୋଭାଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ, ପ୍ରାଣୀଚିକିତ୍ସକ ଭାଗ ନେଇଥିଲେ। ଏନ୍ସିସି ପକ୍ଷରୁ ଘୋଡ଼ାସବାରମାନେ ଶୋଭାଯାତ୍ରା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଭେଟେରିନାରୀ କଲେଜ ପରିସରରେ ଏକ ପେଟ୍-ଶୋର ଆୟୋଜନ କରାଯାଇଥିଲା।
ଏହି ସବୁ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦେଶକ ଡ. ୟେଦୁଲ୍ଲା ବିଜୟ, ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଭେଟେରିନାରୀ କଲେଜର ଡିନ୍ ଡ. ପଣ୍ଡା ଓ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟର ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ସଦସ୍ୟା ଓ ପ୍ରାଣୀପାଳକମାନେ ଯୋଗଦେଇଥିଲେ।
Comments are closed.