କାଟ୍ରାଗଡ଼ାକୁ ଛୁଇଁନି ବିଜୁଳି, ୫୦୦ଟଙ୍କା ଭତ୍ତାକୁ ଖର୍ଚ୍ଚ ହଜାରେ
କୋରାପୁଟ: କୋଟିଆକୁ ନେଇ ନେତାଙ୍କ ଗର୍ଜନ ଭିତରେ ପଦାକୁ ଆସିଲା କୋଟିଆର ଅସଲ ବିକାଶର ଚିତ୍ର। କୋଟିଆ ପଞ୍ଚାୟତ ସଦର ମହକୁମାରୁ ମାତ୍ର ୪ କିମି ଦୂର କାଟ୍ରାଗଡ଼ାକୁ ଛୁଇଁପାରିନି ବିଜୁଳି ସେବା। ଗାଁ ଗାଁରେ ବିଜୁଳି ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ସରକାରଙ୍କ ପାଇଁ କାଟ୍ରାଗଡ଼ା ଆଜି ଆହ୍ବାନ ସଦୃଶ ହୋଇଛି। ଖୋଦ୍ ପଟାଙ୍ଗି ବିଧାୟକ ଏଭଳି ସମସ୍ୟାକୁ ସ୍ବୀକାର କରିବା ସହ ଚଳିତବର୍ଷ ଏହି ଗାଁକୁ ବିଜୁଳି ସେବା ସ୍ବାଭାବିକ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପାହାଡ଼ ପର୍ବତ ଘେରା କୋଟିଆ ପଞ୍ଚାୟତର ମୋଟ ଜନସଂଖ୍ୟା ୮ହଜାର ଭିତରେ ହୋଇଥିଲେ ହେଁ ଭୌଗୋଳିକ ଦୃଷ୍ଟିକୋଣରୁ ଅନେକ ଗାଁ ଲୋକଙ୍କ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଆଜି ବି ଅପହଞ୍ଚ। ଅଙ୍କାବଙ୍କା ବିପଦସଙ୍କୁଳ ଘାଟି ରାସ୍ତାରେ ଚାରିଚକିଆ ଯାନ ଗଡ଼ିବାବେଳେ ଭୟ ସଞ୍ଚାର ହେଉଥିବାବେଳେ ଗାଁଗହଳିର ଲୋକେ କିଭଳି ଏତେଦୂର ପହଞ୍ଚିପାରିବେ ତାହା ମଧ୍ୟ ବଡ଼ ପ୍ରଶ୍ନ। ରାଜ୍ୟ ସରକାର କୋଟିଆକୁ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ପ୍ରାୟ ୨୫୦କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ସତ, ବାସ୍ତବରେ ଏହି ଅନୁଦାନର କାର୍ଯ୍ୟାନ୍ବୟନ କେମିତି ଚାଲିଛି ତାହା ମଧ୍ୟ ବଡ଼ ପ୍ରଶ୍ନ। ଖୁବ୍ ସୁନ୍ଦର ରାସ୍ତାଘାଟରେ ଛୁଟୁଛି ଚାରିଚକିଆ, କିନ୍ତୁ ଦେଖିବାକୁ ମିଳୁନି ସରକାରୀ ବସ୍। ଯା’ଫଳରେ ଆଜି ବି କୋଟିଆ ପଞ୍ଚାୟତରୁ କୁନ୍ଦୁଲି ଏବଂ ବିଭିନ୍ନ ଗଁାରୁ କୋଟିଆ ପର୍ଯ୍ୟନ୍ତ ବିପଦସଙ୍କୁଳ ଭାବେ କମାଣ୍ଡରରେ ଭିତରେ ଯେତିକି, ଉପରେ ତା’ ଠାରୁ ଅଧିକ ଯାତ୍ରୀ ବୋଝେଇ ହୋଇ ଆସୁଥିବା ଦେଖିଲେ ଏ ପଞ୍ଚାୟତକୁ ପରିବହନ କେତେଦୂର ପହଞ୍ଚିପାରିଛି ତାହା ବୁଝି ହେଉଛି।
ଶିକ୍ଷା ବ୍ୟବସ୍ଥା କଥା ଆଲୋଚନା କଲେ କୋଟିଆ ସଦର ମହକୁମାରେ ଥିବା ଆଶ୍ରମ ବିଦ୍ୟାଳୟ ଛାଡ଼ିଦେଲେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥାନ ଖୁବ୍ ନଗଣ୍ୟ। ସୀମାନ୍ତ ଫାଟୁସିନେରିରେ ପ୍ରତିଷ୍ଠିତ ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀରେ ୧୦ଜଣରୁ କମ୍ ପିଲା ପାଠ ପଢ଼ିବା,ପାଖରେ ଓଡ଼ିଶା ବିଦ୍ୟାଳୟ ଛାଡ଼ି ଦୂରରେ ଅବସ୍ଥିତ ଆନ୍ଧ୍ର ବିଦ୍ୟାଳୟ ଉପରେ ନିର୍ଭର କରିବା ଘଟଣା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଆଙ୍କିଛି। ଅଙ୍ଗନବାଡ଼ିରେ ଅ,ଆ ଶିଖି ପରବର୍ତ୍ତୀ ସମୟରେ କିଭଳି ତେଲେଗୁ ଶିକ୍ଷାକୁ ଆପଣାଉଛନ୍ତି ତାହା ମଧ୍ୟ ପ୍ରଶ୍ନ। ଭାଷାଗତ ସାମଞ୍ଜସ୍ୟ ଓ ଭତ୍ତା ପ୍ରଲୋଭନ ସେମାନଙ୍କୁ ଆନ୍ଧ୍ର ଶିକ୍ଷା ବ୍ୟବସ୍ଥା ପ୍ରତି ଆକୃଷ୍ଟ କରୁଥିବା ସ୍ପଷ୍ଟ ବୁଝି ହେଉଛି। ସ୍ବାସ୍ଥ୍ୟ କଥା ବିଚାର କଲେ କୋଟିଆ ସଦର ମହକୁମାରେ ପ୍ରତିଷ୍ଠିତ ଚିକିତ୍ସାଳୟ ଆବଶ୍ୟକତା ମେଣ୍ଟାଇପାରୁନି। ସମସ୍ତ ଗାଁକୁ ରୋଗୀବୁହା ଯାନ ପହଞ୍ଚିପାରୁ ନ ଥିବା ଓ ଗୋଟିଏ ରୋଗୀବୁହା ଯାନ ଲୋକଙ୍କ ଆବଶ୍ୟକତା ମେଣ୍ଟାଇପାରୁ ନ ଥିବା ଅଭିଯୋଗ ହେଉଛି।
ଗୋଟିଏ ପଟେ ତଳଗଞ୍ଜେଇପଦରରେ ଜଣକ ଘରେ ଆନ୍ଧ୍ରର ପଞ୍ଚାୟାତ କାର୍ଯ୍ୟାଳୟ ଚାଲିଥିବାବେଳେ ଭୌଗୋଳିକ ଅବସ୍ଥିତିକୁ ଲକ୍ଷ୍ୟ କରି ସମସ୍ତଙ୍କ ନିକଟରେ ସୁବିଧାରେ ପହଞ୍ଚିବା ପାଇଁ ଆନ୍ଧ୍ର ତିନୋଟି ପଞ୍ଚାୟତରେ ବିଭକ୍ତ କରିଥିବାବେଳେ ଓଡ଼ିଶା ସରକାର ଜନସଂଖ୍ୟାର ଦ୍ବାହି ଦେଇ କୋଟିଆକୁ କେବଳ ଗୋଟିଏ ପଞ୍ଚାୟତରେ ହିଁ ସୀମିତ ରଖିଛନ୍ତି, ଯେଉଁଥିପାଇଁ ପଞ୍ଚାୟତର ସୁବିଧା ଓ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିପାରୁ ନ ଥିବା କୁହାଯାଉଛି ା ଆନ୍ଧ୍ର ପକ୍ଷରୁ ଘରେ ଘରେ ସରକାରୀ ଯୋଜନା ସହ ଭତ୍ତା ପହଞ୍ଚାଇ ଦିଆଯାଉଛି। ଏପଟେ ଓଡ଼ିଶା ପ୍ରଶାସନ ନିୟମରେ ବନ୍ଧା ପଡ଼ିଛିା ଦ୍ବାର ମୁହଁରେ ଆନ୍ଧ୍ରର ୨୫୦୦ଟଙ୍କା ଭତ୍ତା ପାଉଥିବା ଲୋକଙ୍କୁ ଓଡ଼ିଶା ସରକାରଙ୍କ ୫୦୦ଟଙ୍କାର ଭତ୍ତା ପାଇବାକୁ ହଜାରେ ଖର୍ଚ୍ଚ କରିବାକୁ ପଡ଼ୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ଓଡ଼ିଶା ସରକାରଙ୍କ ନିୟମ ପ୍ରକାରେ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଛି। ପୂର୍ବରୁ ନେରେଡ଼ିୱାଲସା ଓ ସୀମାନ୍ତ ଫାଟୁସିନେରି ବାସିନ୍ଦାଙ୍କୁ ୫୦୦ଟଙ୍କା ପାଇଁ ପଟାଙ୍ଗି ଆସିବାକୁ ୧୫୦୦ ଖର୍ଚ୍ଚ କରିବାକୁ ପଡ଼ୁଥିଲା।
ଏବେ କୋଟିଆରେ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲେ ହେଁ ପଞ୍ଚାୟତ ସଦର ମହକୁମାକୁ ଆସିବାକୁ ଅନେକ ଅକ୍ଷମ। ବ୍ୟାଙ୍କ ଖୋଲାଥିଲେ ଲିଙ୍କ୍ ନାହିଁ, ଲିଙ୍କ ଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାହାନ୍ତି, ଯେଉଁମାନେ ଖର୍ଚ୍ଚାନ୍ତ ହୋଇ ଆସୁଛନ୍ତି ସେମାନଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି। ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବେଳେ ଫାଟୁସିନେରି ବାସିନ୍ଦା ଏଭଳି ଗୁରୁତର ଅଭିଯୋଗ କରିଥିଲେ। ‘ଦ୍ବାର ମୁହଁରେ ୨୫୦୦ ଭଲ, ନାଁ ୫୦୦ପାଇଁ ୧୫୦୦ଖର୍ଚ୍ଚ ଭଲ’ ବୋଲି ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ କେନ୍ଦ୍ର ମନ୍ତ୍ରୀ। ନେଟୱର୍କ ସମସ୍ୟା କୋଟିଆର ଚିର ସାଥି ପାଲଟିଛି। ୫-ଜି ସେବାରେ ପହଞ୍ଚିସାରିଥିବା ବ୍ୟବସ୍ଥା ଭିତରେ ଏ ମାଟିର ଅଧିବାସୀ ନେଟୱର୍କ ସମସ୍ୟାରେ ଜୁଝି ହେଉଛନ୍ତି।
Comments are closed.