www.samajalive.in
Sunday, December 14, 2025
23.1 C
Bhubaneswar

ସାଗର ସ୍ନାନ : ୫୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ 

ସାକ୍ଷୀଗୋପାଳ : ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପବିତ୍ର  ମହା ବାରୁଣୀ ସ୍ନାନ ବା ପବିତ୍ର ସାଗର ସ୍ନାନ। ପବିତ୍ର ମହା ବାରୁଣୀ ସ୍ନାନ ଅବସରରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ନିକଟରେ ଭାର୍ଗବୀ ନଦୀର ଭୃଗୁଘାଟରେ ସାଗର ସ୍ନାନଯାତ୍ରା ପାରମ୍ପରିକ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।  ଅଗ୍ରଜ ବରାଳ ବାଲୁଙ୍କେଶ୍ୱର ଦେବ ଓ ଅନୁଜ ବଳପୁର ବାଲୁଙ୍କେଶ୍ୱର ଦେବ ୨ ଗୋଟି ବିମାନରେ ମନ୍ଦିରରୁ ବାହାରିଥିଲେ। ବଳପୁର ନିକଟରେ ଭାର୍ଗବୀ ନଦୀର ଭୃଗୁ ଘାଟ ମଣ୍ଡପରେ ବିରାଜମାନ କରିଥିଲେ। ଠାକୁରଙ୍କ ସ୍ୱତନ୍ତ୍ର ଦେବନୀତି ଅନୁଷ୍ଠିତ ହୋଇଥିଲା। ଦେବନୀତି ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଭାର୍ଗବୀ ନଦୀରେ ବୁଡ଼ ପକାଇଥିଲେ।  ଭକ୍ତ ମାନଙ୍କ ସୁରକ୍ଷା ନିମନ୍ତେ ଜଳ ସମ୍ପଦ ବିଭାଗ ତରଫରୁ ନଦୀରେ ବ୍ୟାରିକେଡ଼ କରା ଯାଇଥିଲା।  ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ର ତରଫରୁ ନଦୀ ମଧ୍ୟରେ ମୋଟର ବୋଟରେ ପ୍ରହରା ବ୍ୟବସ୍ଥା କରା ଯାଇଥିଲା । ୫୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ଭକ୍ତମାନେ ବିବାହ ସାମଗ୍ରୀ ଓ ଅନ୍ୟାନ୍ୟ ପବିତ୍ର ସାମଗ୍ରୀ ନଦୀରେ ବିସର୍ଜ୍ଜନ କରିଥିଲେ। ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦସୀ ତିଥିରେ ଭାର୍ଗବୀରେ ମହାବାରୁଣୀ ଯୋଗରେ ବୁଡ଼ ପକାଇଲେ  ମହୋଦଧି ଓ ଗଙ୍ଗା ସ୍ନାନର ପୁଣ୍ୟ ମିଳିଥାଏ ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ତଥା ନିକଟବର୍ତ୍ତୀ ଅଞ୍ଚଳରୁ  ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ପୌରାଣିକ ମତବାଦ ଅନୁଯାଇ ଦ୍ୱାପର ଯୁଗରେ ଏହି ସ୍ଥାନରେ ମହର୍ଷି ଭୃଗୁ  ମୁନିଙ୍କ ଆଶ୍ରମ ଥିଲା। ବନବାସ ସମୟରେ ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ମାତା ସୀତା ଭୃଗୁ ମୁନିଙ୍କ ଆଶ୍ରମରେ ଅବସ୍ଥାନ କରିଥିଲେ। ପ୍ରଭୁ ଶ୍ରୀରାମ ଭାର୍ଗବୀ ନଦୀରେ ସ୍ନାନ କରି ବରଗଛ ମୂଳେ ବାଲୁକା ଲିଙ୍ଗ ସ୍ଥାପନ କରି ଶିବ ପୂଜା କରିଥିଲେ। ସେହି ସ୍ଥାନ ଆଜି ବରାଳ ନାମରେ ପରିଚିତ। ସେହିପରି ଅନୁଜ ଲକ୍ଷ୍ମଣ ବେଲ ଗଛ ମୂଳେ ବାଲୁକା ଶିବ ଲିଙ୍ଗ  ସ୍ଥାପନ କରି ଶିବ ପୂଜା କରିଥିଲେ। ସେହି ସ୍ଥାନ ଆଜି ବଳପୁର  ରୂପେ ପରିଚିତ। ପ୍ରଭୁ ଶ୍ରୀରାମ ସ୍ଥାପନ କରିଥିବା ବରାଳ ବାଲୁଙ୍କେଶ୍ୱର ଦେବ ବଡ଼ଭାଇ ଓ ଅନୁଜ ଲକ୍ଷ୍ମଣ ସ୍ଥାପନ କରିଥିବା ବଳପୁର ବାଲୁଙ୍କେଶ୍ୱର ଦେବ ସାନ ଭାଇ ଅଟନ୍ତି। ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ନାମରେ  ପୂଜା ପାଉଥିବା ଏହି ଠାକୁରଙ୍କ ଅପାର ମହିମା ନେଇ ଭକ୍ତ ମାନଙ୍କ ମଧ୍ୟରେ ଅଗାଧ ବିଶ୍ୱାସ ରହିଛି। ବରାଳ ଗ୍ରାମର ବାଲୁଙ୍କେଶ୍ୱର ବଡ଼ଭାଇ ଏବଂ ବଳପୁର ଗ୍ରାମର ବାଲୁଙ୍କେଶ୍ୱର ସାନଭାଇଙ୍କୁ ନେଇ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ଭାଇଚାରାର ଅନନ୍ୟ ପରମ୍ପରା ସୃଷ୍ଟି କରିଛି। ଏହି ଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନିକ ବୈଠକରେ ଆଲୋଚନା କ୍ରମେ ନିର୍ଦ୍ଧାରିତ ସମୟରେ ଦେଵନୀତି ଅନୁଷ୍ଠିତ ହେବା ସହ କୌଣସି ଅଘଟଣକୁ ଲକ୍ଷ୍ୟ ରଖି ଦମକଳ ବାହିନୀ ,ବିଦ୍ୟୁତ,  ପାନୀୟ ଜଳ ଆଦି ବିଭାଗର କାମକୁ ସୂଚାର ଭାବେ ସମ୍ପାଦନ କରିବା ନିମନ୍ତେ ପଦକ୍ଷେପ ନିଆ ଯାଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories