ତିଗିରିଆ : ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ ଗୁରୁବାର ଅଚାନକ ବ୍ଲକର ପାଞ୍ଚଗାଁ ପଞ୍ଚାୟତର ନୂଆସଡକ ଠାରେ ଥୁବା ପୋପରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଶ୍ରେଣୀଗୃହ, ରୋଷେଇଶାଳ, ଖାଦ୍ୟର ଗୁଣବତ୍ତା, ପାଇଖାନା ପରିମଳ, ବିଦ୍ୟାଳୟର ସ୍ବଚ୍ଛତା, ଗୁଣାତ୍ମକ ଶିକ୍ଷାଦାନ, ସୁରକ୍ଷା ଏବଂ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଆଦି ବୁଲି ଦେଖିବା ସହ ପ୍ରଧାନ ଶିକ୍ଷକଙ୍କ ସମେତ ସ୍କୁଲର ଅନ୍ୟ କର୍ମଚାରୀ ଏବଂ ଛାତ୍ରାବାସ ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ସେ ଆଲୋଚନା କରିଥିଲେ। ବିଦ୍ୟାଳୟର ଉପସ୍ଥାନ ଖାତା ଦେଖିବା ସହିତ ଶ୍ରେଣୀ କକ୍ଷକୁ ଯାଇ କ୍ଳାସରୁମ ବୁଲି ଦେଖିଥିଲେ।
ବିଦ୍ୟାଳୟର ପରିମଳକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ପଛପଟେ ଥିବା ଅଳିଆ ଆବର୍ଜନା ସଫା କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବା ସହିତ ସମସ୍ତ ଜିନିଷ ସୁବ୍ୟବସ୍ଥିତ ରଖିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହିତ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ, ଡଷ୍ଟବିନର ନିୟମିତ ବ୍ୟବହାର, ଶିକ୍ଷକ ଶିକ୍ଷୟିତ୍ରୀ ମାନେ କର୍ମଠ ହେବାପାଇଁ ପରାମର୍ଶ ଦେବା ସହିତ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ଗୁଟଖା ପାନ ଆଦି ନଖାଇବା ଓ ମୋବାଇଲ ଫୋନ ବ୍ୟବହାର ଯଥା ସମ୍ଭବ କମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ବିଦ୍ୟାଳୟ ପରିସରକୁ ନିୟମିତ ବିଶୋଧନ କରିବା, ଗୁଣାତ୍ମକ ଶିକ୍ଷା, ପ୍ରାଚୀର ପତ୍ର, ଯୋଗ ପ୍ରାଣାୟାମ ଆଦିକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେବା ସହିତ ବିଦ୍ୟାଳୟରେ ଯେଭଳି ଛାତ୍ରଛାତ୍ରୀଙ୍କ କୌଣସି ପ୍ରକାର ସମସ୍ୟା ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଦାୟିତ୍ବରେ ଥିବା ଶିକ୍ଷକ ଏବଂ କର୍ମଚାରୀଙ୍କୁ ପରାମର୍ଶ ଦେବା ସହିତ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବା ସହିତ ପାଠ ବିଷୟରେ ପଚାରିଥିଲେ। ତା’ ସହିତ ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।
ତହସିଲଦାରଙ୍କ ଅଚାନକ ପରିଦର୍ଶନ ଯୋଗୁଁ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ଦେଖାଦେବା ସହିତ ସେମାନେ ନିଜର ଦାୟିତ୍ୱ ନେଇ ସଚେତନ ହୋଇଥିବା ସାଧାରଣରେ ଆଲୋଚନା ହେଉଛି ।
Comments are closed.