ଓଡିଶା ସାଂସ୍କୃତିକ ସମାଜରେ ଖାଉଟି ସୁରକ୍ଷା ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ବୁଧବାର ସନ୍ଧ୍ୟାରେ ସମ୍ମିଳନୀ କକ୍ଷରେ ଖାଉଟି ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଶୋକ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ସମ୍ବଲପୁର ଖାଉଟି ଅଦାଲତର ପ୍ରାକ୍ତନ ବିଚାରପତି ପ୍ର. ଡ. ଶ୍ରୀକାନ୍ତ ମିଶ୍ର ଯୋଗ ଦେଇଥିଲେ। ଖାଉଟି ସୁରକ୍ଷା ସକାଶେ ବର୍ତ୍ତମାନ ବହୁ ଆଇନ ଗୁଡିକ ପ୍ରଣିତ ହୋଇଥିବା ବେଳେ ଉପଭୋକ୍ତା ମାନେ ଆବଶ୍ୟକ ସମୟରେ ଏହାର ସୁବିଧା ନେବା ଉଚିତ। ସେବା ପାଇଁ ଖାଉଟି ଓ ଦ୍ରବ୍ୟ ପାଇଁ ଖାଉଟି ଭେଦରେ ବିଭିନ୍ନ ଉଦାହରଣ ସହିତ ସୁରକ୍ଷା ଆଇନ ଗୁଡିକୁ ଆଲୋଚନା କରିଥିଲେ । ଏବେ ଆଭାସୀ ଜରିଆରେ ମଧ୍ୟ ଖାଉଟି ନିଜ ପ୍ରତି ହୋଇଥିବା ଠକାମି ବିରୋଧରେ ଆଇନର ସହାୟତା ନେଇ ପାରିବ । ବ୍ୟାପକ ସଚେତନତା ନିମନ୍ତେ ଖାଉଟି ସୁରକ୍ଷା ଶିକ୍ଷାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ଡ. ମିଶ୍ର କହିଥିଲେ । ମୁଖ୍ୟବକ୍ତା ରୂପେ ପ୍ରାକ୍ତନ ବୈଦ୍ୟୁତିକ ନିରୀକ୍ଷକ ଆଜାଦ କୁମାର ଉପାଧ୍ୟାୟ କହିଥିଲେ ଯେ, ଖାଉଟି ନିଜର ଅଧିକାର ଗୁଡିକ ପ୍ରତି ସଚେତନ ହେବା ଉଚିତ । ଚାରିଟି ଶ୍ରେଣୀର ଉପଭୋକ୍ତା ଏବଂ ସେମାନଙ୍କ ସକାଶେ ଧାର୍ଯ୍ୟ ୬ଟି ଅଧିକାର ଉପରେ ବିଭିନ୍ନ ଦୃଷ୍ଟାନ୍ତ ସହ ଆଲୋଚନା କରିବା ସହିତ ପ୍ରତ୍ୟେକ ନାଗରିକ ନିଜ ବ୍ୟବହାର୍ଯ୍ୟ ବସ୍ତୁ ଗୁଡିକର ସୁରକ୍ଷିତ ଓ ଊପଯୁକ୍ତ ବ୍ୟବହାର ପ୍ରତି ସତ ଆଚାରଣ ପାଇଁ ବ୍ରତି ହେବା ଉଚିତ ବୋଲି ସେ କହିଥିଲେ । ସାଂସ୍କୃତିକ ସମାଜର ଖାଉଟି ସୁରକ୍ଷା ସମିତିର ଆବାହକ ଅଖିଳ ରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ଓ କୋଷାଧ୍ୟକ୍ଷ ଦୀନବନ୍ଧୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.