ଜଟିଳ ସ୍ଥିତିରେ ଭାରତ-ଚୀନ ସମ୍ପର୍କ
ବୈଦେଶିକ ମନ୍ତ୍ରଣାଳୟ ବାର୍ଷିକ ରିପୋର୍ଟ
ନୂଆଦିଲ୍ଲୀ : ଚୀନ ସହିତ ଭାରତର ସମ୍ପର୍କ ଜଟିଳତା ମଧ୍ୟ ଦେଇ ଗତି କରୁଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତାବସ୍ଥାରେ ପରିବର୍ତ୍ତନ ନିମନ୍ତେ ଚୀନର ଏକପାଖିଆ ଉଦ୍ୟମ ଦ୍ବିପାକ୍ଷିକ ସମ୍ପର୍କକୁ ତିକ୍ତ କରିଛି ବୋଲି ଭାରତ କହିଛି। ସୋମବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ) ପକ୍ଷରୁ ଜାରି ୨୦୨୧-୨୨ ବାର୍ଷିକ ରିପୋର୍ଟରେ ଏପରି କୁହାଯାଇଛି। ମନ୍ତ୍ରଣାଳୟ ଏହାର ରିପୋର୍ଟରେ ଦର୍ଶାଇଛି ଯେ ୨୦୨୦ ମେ ମାସ ପରଠାରୁ ଚୀନ ଏଲଏସିର ସ୍ଥିତାବସ୍ଥାରେ ପରିବର୍ତ୍ତନ ନିମନ୍ତେ ବାରମ୍ବାର ଉଦ୍ୟମ କରିଛି। ସୀମା ସ୍ଥିତିରେ ପରିବର୍ତ୍ତନ ଆଣିବା ପୂର୍ବରୁ ଭାରତ ସହିତ ଆଲୋଚନା କରିବାର ଆବଶ୍ୟକତାକୁ ଚୀନ ଉପେକ୍ଷା କରିଛନ୍ତି। ଚୀନର ଏପରି ଏକପାଖିଆ ଉଦ୍ୟମ ଯୋଗୁଁ ସୀମାରେ ଶାନ୍ତି ଓ ସ୍ଥିରତା ବ୍ୟାହତ ହେବା ସହିତ ଦ୍ବିପାକ୍ଷିକ ସମ୍ପର୍କ ତିକ୍ତ କରିଛି। ସୀମା ସ୍ଥିତିରେ ପରିବର୍ତ୍ତନ ନିମନ୍ତେ ଚୀନର ଏକପାଖିଆ ଉଦ୍ୟମକୁ ଭାରତ ସେନା ପ୍ରତିଥର ବିରୋଧ କରିବା ସହିତ ଏହାର ଉପଯୁକ୍ତ ଜବାବ ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ଯୋଜନା ଓ ନୀତି ପ୍ରଣୟନକାରୀ ବିଭାଗ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଚୀନ ସହିତ ସମ୍ପର୍କ ଜଟିଳ ରହିଥିଲେ ମଧ୍ୟ ଦୁଇ ଦେଶ ବିବାଦକୁ ଆପୋସ ସମାଧାନ ନିମନ୍ତେ ସମ୍ମତି ପ୍ରକାଶ କରିଛନ୍ତି। ଦ୍ବିପାକ୍ଷିକ ମତଭେଦକୁ ବିବାଦର ରୂପ ନ ଦେବା ଲାଗି ଉଭୟ ଦେଶ ମିଳିତ ପ୍ରୟାସ କରି ଚାଲିଛନ୍ତି। ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦକୁ ସମାଧାନ କରିବା ସହିତ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଆଗାମୀ ଦିନରେ ମଧ୍ୟ ପ୍ରୟାସ କରିବେ। ସୀମାର ସମସ୍ତ ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ସାମରିକ ଓ କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି।
୨୦୨୧ ସେପ୍ଟେମ୍ବର ୧୬ରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା ହୋଇଥିଲା। ତାଜିକସ୍ତାନର ଦୁସାନବେରେ ଅନୁଷ୍ଠିତ ଏସସିଓ ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କୁ ଭେଟିଥିଲେ। ସାକ୍ଷାତ କାଳରେ ଉଭୟ ନେତା ସୀମା ପରିସ୍ଥିତି ବାବଦରେ ଆଲୋଚନା କରିଥିଲେ। ସେହିପରି ଗତବର୍ଷ ମାର୍ଚ୍ଚ ୨୫ରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ କାଳରେ ସେ ଭାରତ ପ୍ରତିପକ୍ଷଙ୍କୁ ସାକ୍ଷାତ କରି ସୀମା ବିବାଦ ଉପରେ ଆଲୋଚନା କରିଥିଲେ। ତେଣୁ ସୀମା ବିବାଦର ଆପୋସ ସମାଧାନ କରାଯିବା ଉଭୟ ଦେଶ ଚାହାନ୍ତି। ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁଁ କୌଣସି ଦେଶର ଲାଭ ହେଉ ନାହିଁ। ଏହା ଦୁଇ ଦେଶର ସମ୍ପର୍କରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ଉଭୟ ଦେଶ ଅନୁଭବ କରିଛନ୍ତି। ତେଣୁ ସୀମା ବିବାଦର ଆପୋସ ଓ ତ୍ବରିତ ସମାଧାନ ନିମନ୍ତେ ଭାରତ ସର୍ବଦା ଉଦ୍ୟମ କରିଆସୁଛି। ଏଥିପାଇଁ ବ୍ରିକ୍ସ ସମ୍ମିଳନୀ ହେଉ ଅବା ଜାତିସଂଘ ପ୍ରତ୍ୟେକ କ୍ଷେତ୍ର ଓ ପ୍ରତ୍ୟେକ ସମୟରେ ଚୀନ ସହିତ ଭାରତ କଥାବାର୍ତ୍ତା ଜାରି ରଖିଛି। ନିକଟରେ ଆମେରିକା ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଥିଲା ସୀମା ଉତ୍ତେଜନାକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଉ ଏହି ଯୁଦ୍ଧ ଆମେରିକାର ସ୍ବାର୍ଥକୁ ବହୁତ କ୍ଷତି ପହଞ୍ଚାଇବ। ତେଣୁ ଆମେରିକା ଏହି ଦୁଇ ଦେଶର ସୀମା ବିବାଦକୁ ସମାଧାନ ନିମନ୍ତେ ହସ୍ତକ୍ଷେପ କରିବା ଦରକାର।
ମନ୍ତ୍ରଣାଳୟ ଏହାର ରିପୋର୍ଟରେ ପାକିସ୍ତାନ ସହିତ ଦ୍ବିପାକ୍ଷିକ ସମ୍ପର୍କ ବିଷୟ ଉଲ୍ଲେଖ କରିଛି। ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନ ଏହାର ସୀମା ପାର ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଛି। ଦେଶରେ ଆର୍ଥିକ ଓ ରାଜନୈତିକ ସଂକଟ ଲାଗି ରହିଥିବାବେଳେ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ପାକିସ୍ତାନ ସରକାର ଦେଶର ନାଗରିକଙ୍କ ଦୃଷ୍ଟିକୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛି। ସେହିପରି ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦିଗରେ ପାକିସ୍ତାନ କୌଣସି ପ୍ରକାର ଆନ୍ତରିକତା ଦେଖାଉ ନାହିଁ।
ଭାରତକୁ ମୁକାବିଲା ଲାଗି ଚୀନ କିଣୁଛି ହତିଆର
ଭାରତ ସହିତ ଲାଗି ରହିଥିବା ସୀମା ବିବାଦକୁ ନେଇ ଚୀନ ଏହାର ସାମରିକ ପ୍ରସ୍ତୁତି ଜାରି ରଖିଛି। ସୀମାରେ ଭାରତ ସୈନିକଙ୍କୁ ମୁକାବିଲା କରିବା ଲାଗି ଚୀନ ଏବେ ବିଭିନ୍ନ ପ୍ରକାର କୋଲ୍ଡ ୱିପନ୍ସ (ହତିଆର) କିଣିବାରେ ଲାଗିଛି। ଅତ୍ୟାଧୁନିକ କ୍ଷେପଣାସ୍ତ୍ର, ଗୁଳିଗୋଳା ଉପଯୋଗ ପରିବର୍ତ୍ତେ ଖଣ୍ଡା, ତରୱାଲ ଭଳି ହତିଆର ଉପରେ ଚୀନ ନିର୍ଭର କରିିଛି। ସୀମାରେ ମୁତୟନ ସୈନିକଙ୍କୁ ଯୋଗାଇବା ଲାଗି ଚୀନ ସେନା ଏବେ ଲୁହା ରଡ, ଗଦା, କଣ୍ଟାଯୁକ୍ତ ବାଡି, ଧାରୁଆ ଖଣ୍ଡା, ହାତୁଡି, ଢାଲ ଇତ୍ୟାଦି କିଣିବାରେ ଲାଗିଛି। ୨୦୨୦ରେ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନା ହାତାହାତି ହୋଇଥିଲେ। ଏଥିରେ ଗୁଳିଗୋଳା ଭଳି ଆଗ୍ନେୟାସ୍ତ୍ର ପରିବର୍ତ୍ତେ ହାତରେ ଧରି ବ୍ୟବହାର କରାଯାଉଥିବା ହତିଆର, ଟେକା ପଥର ପ୍ରୟୋଗ ହୋଇଥିଲା। ଭାରତର ଅନେକ ସୈନିକ ଖାଲି ହାତରେ ମଧ୍ୟ ଲଢେଇ କରିଥିଲେ। ସଂଘର୍ଷରେ ଉଭୟ ପକ୍ଷରୁ ସୈନିକ ମୃତ ଓ ଆହତ ହୋଇଥିଲେ। ମାତ୍ର ଭାରତ ସେନାର ଆକ୍ରମଣ ନିକଟରେ ଚୀନ ଏକ ପ୍ରକାର ହାର ମାନିଥିଲା। ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ ମାତ୍ର ଚୀନର ୫୦ରୁ ୬୦ ସୈନିକ ପ୍ରାଣ ହରାଇଥିଲେ। ରିପୋର୍ଟ ଅନୁଯାୟୀ ଚୀନ ସେନା ୨୬୦୦ଟି ହତିଆର କିଣିବା ଲାଗି ବିଭିନ୍ନ କମ୍ପାନୀକୁ ଅର୍ଡର ଦେଇଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏହାର ୱେବସାଇଟ୍ରେ କି ପ୍ରକାର ହତିଆର କିଣାଯିବ ତାର ଫଟୋ ପ୍ରଦର୍ଶନ କରିଛି। ଦ୍ବିପାକ୍ଷିକ ଉତ୍ତେଜନାକୁ ଆପୋସ ସମାଧାନ ନିମନ୍ତେ ଚୀନ କଥାବାର୍ତ୍ତା ଚଳାଇଥିବାବେଳେ ଅନ୍ୟପଟେ ଯୁଦ୍ଧ ନିମନ୍ତେ ନିଜର ପ୍ରସ୍ତୁତି ଜାରି ରଖିଛି।
Comments are closed.