ପାଟଣା ବ୍ଲକ ସରପଞ୍ଚ ସଙ୍ଘର ବୈଠକ, ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ସଭାଗୃହରେ ପାଟଣା ବ୍ଲକ ସରପଞ୍ଚ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ତଥା ଡୁମୁରିଆ ପଞ୍ଚାୟତର ସରପଞ୍ଚ ଗୌରହରୀ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ୧୫ ଟି ପଞ୍ଚାୟତର ସରପଞ୍ଚ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ କିପରି ପାଟଣା ବ୍ଲକ ଅଞ୍ଚଳରେ ବିକାଶ ହେବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏଥି ସହ ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି କରିବା ପାଇଁ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଆଲୋଚନା କରାଯାଇଥିଲା। ସୁଚନାଯୋଗ୍ୟ ଯେ ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ମାନେ ଦୀର୍ଘଦିନ ଧରି ଗୋଟିଏ ପଞ୍ଚାୟତରେ କାର୍ଯ୍ୟ କରୁଥିବାରୁ ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ବେଖାତିର କରିବା ସହ ନିର୍ଦେଶନାମା ଗୁଡିକୁ ଗ୍ରାମ ରୋଜଗାର ସେବକ ମାନେ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଅଭିଯୋଗ ଆଣି ଏଭଳି ଗ୍ରାମ ରୋଜଗାର ସେବକ ତୁରନ୍ତ ସେମାନଙ୍କୁ ଅନ୍ୟ ପଞ୍ଚାୟତ ମାନଙ୍କୁ ବଦଳି କରିବା ପାଇଁ ବିଡ଼ିଓ ଙ୍କୁ ଦାବି ଦେବେ ବୋଲି ସଙ୍ଘ ସଭାପତି ଗୌରହରୀ ନାଏକ କହିଥିଲେ । ସେହିପରି ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ପାଇଁ ପ୍ରତ୍ୟେକ ଗ୍ରାମରେ ଦୁଇ ଜଣ ଗାଁ ସାଥି ଥିବା ବେଳେ କିଛି ଗାଁ ରେ ଜଣେ ଜଣେ ଗାଁ ସାଥି ଥିବାରୁ ଏହି ଯୋଜନାରେ କାର୍ଯ୍ୟ ହୋଇ ପାରୁନାହିଁ। ଏଣୁ ତୁରନ୍ତ ଗାଁ ସାଥି ପଦବୀ ପୂରଣ କରିବାକୁ ନେଇ ଆଲୋଚନା ହୋଇଥିଲା। ଆଗକୁ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପାନୀୟ ଜଳ କଷ୍ଟ ଦୂର କରିବା ପାଇଁ ଆଲୋଚନା ସହ ତୁରନ୍ତ ପୁରୁଣା ନଳକୂପ ଗୁଡିକୁ ମରାମତି କରିବା ପାଇଁ ବିଡ଼ିଓଙ୍କୁ ଦାବି ପତ୍ର ଦିଆଯିବା ନେଇ ଆଲୋଚନା ହୋଇଥିଲା।
prayash
ଏଥି ସହ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ମୃତ ବ୍ୟକ୍ତିଙ୍କ ପରିବାରକୁ ମୃତ୍ୟୁ ଦିନ ହିଁ ପ୍ରଦାନ କରିବା ନେଇ ଆଲୋଚନା କରାଯାଇଥିଲା। ଏସମ୍ପର୍କୀତ ଆଲୋଚନା ର ଦାବି ପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯିବ ବୋଲି ସଙ୍ଘ ସଭାପତି ଗୌରହରୀ ନାଏକ କହିଛନ୍ତି। କାର୍ଯ୍ୟକ୍ରମରେ ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ, ବଡ଼ପାଟଣା ସରପଞ୍ଚ ବିନତି ବାନରା, କଣ୍ଟିଆପଡା ସରପଞ୍ଚ ଲିନା ନାଏକ, ଟାଙ୍ଗରପଡା ସରପଞ୍ଚ ଅନିରୁଦ୍ଧ ନାଏକ,ତୁରୁମୁଙ୍ଗା ସରପଞ୍ଚ ସୁଲେଖା ନାଏକ, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ ,ବାଉଁଶୁଳି ସରପଞ୍ଚ ସୁଜାତା ସର୍ଦାର , କେନ୍ଦେଇପଶି ସରପଞ୍ଚ ମିନାକ୍ଷୀ ନାଏକ , ସରାସକୋଲା ସରପଞ୍ଚ ଭାବଗ୍ରାହୀ ନାଏକ, ଚିନାମାଳିପଶି ସରପଞ୍ଚ ଝୁମିତା ନାଏକ, ରାଜନଗର ସରପଞ୍ଚ ସୁଧାଂଶୁ ନାଏକ , ବୁଢିକାପୁଡି ସରପଞ୍ଚ ମମତା ମୟୀ ନାଏକ, ଚେମଣା ସରପଞ୍ଚ ହେମଲତା ନାଏକ, ଚାକୁଣ୍ଡାପାଳ ସରପଞ୍ଚ ରକ୍ଷାମଣି ନାଏକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Comments are closed.