ଗୁହାଳରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ : ୬ଗୋରୁ ଜୀବନ୍ତ ଦଗ୍ଧ, ୧୯ ଆହତ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅଧିନ ତଳଗଡ ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ରବିବାର ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତ ଜଣେ ବ୍ୟକ୍ତିଙ୍କ ଗୁହାଳରେ ନିଆଁ ଲଗାଇଦେବାରୁ ୬ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୯ଗୋରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଆହତ ହୋଇଛନ୍ତି । ଏଥି ସହିତ ନିକଟରେ ଥିବା ଏକ ତେଜରାତି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।

prayash

ଘଟଣାର ବିବରଣୀରୁ ପ୍ରକାଶ ଯେ,ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରତିଶୋଧ ନେବା ପାଇଁ ତଳଗଡ ଗ୍ରାମର ସନ୍ତୋଷ କୁମାର ମହାନ୍ତି, ସୁଶାନ୍ତ ମହାନ୍ତି ଓ ଦେବାଶିଷ ମହାନ୍ତିଙ୍କ ଗୋରୁଗୁହାଳରେ ସେହି ଗ୍ରାମର ଭିକା ଝାଟିଙ୍କ ପୁଅ ଲକ୍ଷ୍ମଣ ଝାଟି ଓ ଜଟି ଦାସଙ୍କ ପୁଅ ନିଲୁ ଦାସ ରାତି ପ୍ରାୟ ୨.୩୦ମିନିଟ ସମୟରେ ନିଆଁ ଲଗାଇ ଦେଇଥିଲେ । ରାତିଅଧରେ ନିଆଁ ଲାଗିଥିବା କଥା କେହି ଜାଣିପାରି ନଥିଲେ । ଗୁହାଳରେ ଥିବା ୨୫ଟି ଗାଈଗୋରୁ ଏହି ନିଆଁରେ ଜଳିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଟି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବାକି ୨୦ଟି ଗୋରୁ ରହିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଗୋରୁ ସୋମବାର ଅପରାହ୍ନରେ ମରି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ମହାନ୍ତି ପରିବାରର ଏକ ତେଜରାତି ଦୋକାନ ମଧ୍ୟ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ନଗଦ ୧୫ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିଲା । ଏହାପରେ ସେଠାରେ ପ୍ରବଳ ଉତ୍ତେଜନ ପ୍ରକାଶ ପାଇଥିଲା। ଖବର ପାଇ ଆଠଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ପୁଲିସକୁ ଘଟଣାସ୍ଥଳକୁ ଯିବାକୁ ଦେଇନଥିଲେ । ଅଭିଯୁକ୍ତ ଦୁଇଜଣ ପୂର୍ବରୁ ଏଭଳି ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଗ୍ନି ବିପନ୍ନ ପରିବାର ପକ୍ଷରୁ ଏ ନେଇ ଆଠଗଡ ଥାନାରେ ଏତଲା ଦିଆଯାଇଥିବାବେଳେ ପୁଲିସ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ଆଇଆଇସି ବାମଦେବ ମହାନ୍ତି ପ୍ରକାଶ କରିଛନ୍ତି ।

Comments are closed.