ରାଜ୍ୟ ବଜେଟ ଓ ପୁଲିସ ବ୍ୟବସ୍ଥା
ସନ୍ତୋଷ କୁମାର ମିଶ୍ର
ଓଡ଼ିଶାରେ ଅପରାଧ ଓ ଆରକ୍ଷୀ ବିଭାଗର ସ୍ଥିତି କିପରି ରହିଛି ଏହି ବିଷୟରେ ସମସ୍ତ ଓଡିଶାବାସୀ ଊଣା ଅଧିକେ ଅବଗତ ଅଛନ୍ତି। କେବଳ ଯୁକ୍ତିକୁ ବଳିଷ୍ଠ କରିବା ପାଇଁ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଅଗଷ୍ଟ ମାସରେ ଜାତୀୟ ଅପରାଧ ନଥି ସଂସ୍ଥା ଦ୍ୱାରା ପ୍ରକାଶିତ ‘ଭାରତରେ ଅପରାଧ ୨୦୨୧’ ବିବରଣୀ ଅନୁଯାୟୀ ମହିଳାମାନଙ୍କ ପ୍ରତି ବିଭିନ୍ନ ପ୍ରକାରର ଅପରାଧରେ ୨୩ ଶତାଂଶ ବୃଦ୍ଧି ଘଟିଛି ଯାହାକି ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ଓଡ଼ିଶାରେ ମହିଳାମାନଙ୍କ ପ୍ରତି ୫୬୫ଟି ସାଇବର ଅପରାଧ ପଞ୍ଜିକୃତ ହୋଇଥିଲା ଯାହା ସମଗ୍ର ଦେଶରେ ସର୍ବାଧିକ। ପକ୍ସୋ ଆଇନ ବଳରେ ପଞ୍ଜୀକୃତ ମାମଲାରେ ୧୩.୩୫ ଶତାଂଶ ବୃଦ୍ଧି ହୋଇଛି। ୨୦୨୦ରେ ଓଡିଶା ପୁଲିସ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧକୁ ପଞ୍ଜିକୃତ କରିଥିଲା। ଏହି ଶ୍ରେଣୀରେ ଓଡ଼ିଶା ଦ୍ବାଦଶ ସ୍ଥାନରେ ରହିଛି। ଓଡ଼ିଶା ପୁଲିସ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ସଫଳତା ସହିତ ସମ୍ପୂର୍ଣ୍ଣ କରିପାରି ନାହିଁ। ବିଧାନସଭା ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଏକ ବିଦେଶୀ ଗୁଇନ୍ଦା ସଂସ୍ଥାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଆଇନ ଆୟୋଗଙ୍କ ଏକ ସର୍ବେକ୍ଷଣ ଅନୁଯାୟୀ ୨୦୦୫ରୁ ୨୦୧୫ ମଧ୍ୟରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଅପରାଧ ହାର ୨୮ ଶତାଂଶ ବୃଦ୍ଧି ହୋଇଛି; କିନ୍ତୁ ପୁଲିସ ବିଭାଗର ଦୁର୍ବଳ ତଦନ୍ତ କାର୍ଯ୍ୟ ହେତୁ ମାତ୍ର ୪୭ ପ୍ରତିଶତ ସନ୍ଦିଗ୍ଧ ଅପରାଧୀମାନେ ଦୋଷୀ ସାବ୍ୟସ୍ତ ହେଉଛନ୍ତି।
ଜଣେ ପୀଡ଼ିତ ବା ପୀଡ଼ିତା କେବଳ ପୁଲିସ ମାଧ୍ୟମରେ ନ୍ୟାୟାଳୟରେ ନ୍ୟାୟ ପାଇ ପାରିବ। ବିଶେଷ ଭାବରେ ଆରକ୍ଷୀ ବ୍ୟବସ୍ଥାର ଆଧୁନିକୀକରଣର ଚରମ ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସଦ୍ୟ ରାଜ୍ୟ ବଜେଟରେ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାର ପୁଲିସ ବିଭାଗ ପାଇଁ ୪୪୮୭.୪୮ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ୨୦୨୨-୨୩ ତୁଳନାରେ ପୁଲିସ ବଜେଟରେ ୧୨୮.୭୧ କୋଟି ଟଙ୍କା ଅଧିକ ବ୍ୟୟ ମଞ୍ଜୁର ହୋଇଛି; କିନ୍ତୁ ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟୟ ଅଟକଳ ବୃଦ୍ଧି ପାଇଥିଲେ ମଧ୍ୟ ପୁଲିସ ବିଭାଗ ପାଇଁ ମୋଟ ବ୍ୟୟରୁ ମାତ୍ର ୧.୯ ଶତାଂଶ ଖର୍ଚ୍ଚ କରିବେ। ଚଳିତ ଆର୍ଥିକ ବର୍ଷ ୨୨-୨୩ ପାଇଁ ରାଜ୍ୟ ସରକାର ପୁଲିସ ବିଭାଗ ନିମନ୍ତେ ମୋଟ ବ୍ୟୟର ମାତ୍ର ୨.୪ ଶତାଂଶ ବ୍ୟୟ ବରାଦ କରିଥିଲେ। ଗତ ବଜେଟରେ ମୋଟ ଖର୍ଚ୍ଚର ପରିମାଣ ଦୁଇ ଲକ୍ଷ କୋଟି ଟଙ୍କା ଥିବା ବେଳେ ସଦ୍ୟ ବଜେଟର ଏହା ବୃଦ୍ଧି ପାଇ ଦୁଇ ଲକ୍ଷ ତିରିଶ ହଜାର କୋଟି ଟଙ୍କା (ପନ୍ଦର ଶତାଂଶ ବୃଦ୍ଧି) ହୋଇଥିଲେ ମଧ୍ୟ ମୋଟ ବ୍ୟୟ ଆଧାରରେ ଆରକ୍ଷୀ ବଜେଟ ୦.୫ ପ୍ରତିଶତ ହ୍ରାସ ପାଇଛି। ଏହା ପୂର୍ବରୁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ ବ୍ୟୟରୁ ମାତ୍ର ୨.୮ ଶତାଂଶ ଖର୍ଚ୍ଚ କରିବା ପାଇଁ ଯୋଜନା କରିଥିଲେ। ପିଆରଏସ-ଇଣ୍ଡିଆ ୱେବସାଇଟର ତଥ୍ୟ ଅନୁଯାୟୀ ୨୨-୨୩ ଆର୍ଥିକ ବର୍ଷରେ ଅନ୍ୟ ରାଜ୍ୟଗୁଡ଼ିକରେ ପୁଲିସ ବିଭାଗ ପାଇଁ ହାରାହାରି ବ୍ୟୟ ଅଟକଳ ୪.୩ ପ୍ରତିଶତ ଥିଲା। ୨୧-୨୨ ଓ ୨୨-୨୩ ମଧ୍ୟରେ ଆରକ୍ଷୀ ବିଭାଗ ପାଇଁ ବ୍ୟୟ ଅଟକଳ ବୃଦ୍ଧି ପାଇବା ପରିବର୍ତ୍ତେ ୦.୪ ଶତାଂଶ ହ୍ରାସ ପାଇଥିଲା। ଅନୁରୂପ ଚଳିତ ଆର୍ଥିକ ବର୍ଷରେ ଅନ୍ୟ ରାଜ୍ୟଗୁଡ଼ିକ ପୁଲିସ ବିଭାଗ ପାଇଁ ହାରାହାରି ବ୍ୟୟ ବରାଦ ପରିମାଣ ୪.୩ ପ୍ରତିଶତରେ ସ୍ଥିର ରହିଛି। ଗୋଟିଏ ପକ୍ଷରେ ଦିନକୁ ଦିନ ରାଜ୍ୟରେ ପୁଲିସ ବ୍ୟବସ୍ଥା ପଙ୍ଗୁ ହୋଇ ଯାଉଥିବା ବେଳେ ବଜେଟରେ କ୍ରମାଗତ ବ୍ୟୟ ବରାଦ ହ୍ରାସ ଦୁର୍ଭାଗ୍ୟଜନକ।
ପୁଲିସ ବ୍ୟବସ୍ଥା ସମ୍ବିଧାନର ଅନୁସୂଚୀ ୭ ଅନ୍ତର୍ଗତ ରାଜ୍ୟ ସୂଚୀରେ ସ୍ଥାନ ପାଇଥିଲେ ମଧ୍ୟ ବର୍ତ୍ତମାନ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ବ୍ୟୟ କରୁଛନ୍ତି। ୨୦୧୭ ଅକ୍ଟୋବର ମାସରେ ନୀତି ଆୟୋଗ ପୁଲିସ ବ୍ୟବସ୍ଥାକୁ ରାଜ୍ୟ ସୂଚୀରୁ ହଟାଇ ସମ୍ବିଧାନର ସଂଯୁକ୍ତ ସୂଚୀରେ ସ୍ଥାନିତ କରିବାକୁ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ମଧ୍ୟ ଆରକ୍ଷୀ ବିଭାଗର ଆଧୁନିକୀକରଣ ପାଇଁ ‘ପୁଲିସ ବଳର ଆଧୁନିକୀକରଣ’ (ଏମପିଏଫ୍) ଯୋଜନା ଅଧୀନରେ ଆର୍ଥିକ ବର୍ଷ ୨୫-୨୬ ସୁଦ୍ଧା ସମସ୍ତ ଥାନା ସହିତ ଅପରାଧ ବିଧି ବିଜ୍ଞାନାଗାର, ସାମର୍ଥ୍ୟ ବୃଦ୍ଧି ପାଇଁ ମଧ୍ୟ ଯୋଜନା ରଖିଛନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଥାନାରେ ତଦନ୍ତ, ସୂଚନା ଓ ତଥ୍ୟ ସଂଗ୍ରହ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ, ଯୋଗାଯୋଗ ଇତ୍ୟାଦି ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ଓ ବୈଷୟିକ ଜ୍ଞାନ ଉପଯୋଗ କରି ଅତ୍ୟାଧୁନିକ ତାଲିମ ପ୍ରଦାନ କରାଯାଇ ପୁଲିସ ବିଭାଗର ମାନବ ସମ୍ବଳର ବିକାଶ କରାଯିବ । ସାଇବର ଅପରାଧର ତଦନ୍ତ ଓ ଟ୍ରାଫିକ ବ୍ୟବସ୍ଥାକୁ ଅତ୍ୟାଧୁନିକ କରିବା ପାଇଁ ଯୋଜନା ରହିଛି। ସତୁରି ଦଶକରୁ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜ୍ୟମାନଙ୍କୁ ଅନୁଦାନ ପ୍ରଦାନ କରାଯାଉଛି। ଆରକ୍ଷୀ ବିଭାଗର ଆଧୁନିକୀକରଣ ପାଇଁ ବ୍ୟୟ ରାଶି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯଥାକ୍ରମେ ୬୦ ଓ ୪୦ ଅନୁପାତରେ ବିଭକ୍ତ।
ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ପୁଲିସ ଅନୁସନ୍ଧାନ ଓ ବିକାଶ ସଂସ୍ଥାନ (ବିପିଆରଡି) ଦ୍ୱାରା ପ୍ରକାଶିତ ବିବରଣୀ ‘ପୁଲିସ ସଙ୍ଗଠନର ତଥ୍ୟ’ ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୪୨.୪୫ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ନିଜର ଅଂଶ ବାବଦକୁ ୨୮.୩୦ କୋଟି ଟଙ୍କା ବ୍ୟୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହିଭଳି ମୋଟ ପାଣ୍ଠି ୭୦.୭୫ କୋଟି ଟଙ୍କା ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୯.୬ ଶତାଂଶ ( ୬.୮୧ କୋଟି ଟଙ୍କା) ବ୍ୟୟ କରିବା ପାଇଁ ରାଜ୍ୟ ପୁଲିସ ବିଭାଗ ସମର୍ଥ ହୋଇଥିଲା। ଏହି ଆର୍ଥିକ ବର୍ଷରେ ରାଜ୍ୟ ସରକାର ବଜେଟରେ ଆଧୁନିକୀକରଣ ପାଇଁ ୮୬.୪୦ କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲେ ମଧ୍ୟ ମାତ୍ର ୨୫.୦୬ କୋଟି ଟଙ୍କା ବ୍ୟୟ ସମ୍ଭବ ହୋଇ ପାରିଥିଲା।
ଏହା କେବଳ ଗୋଟିଏ ଆର୍ଥିକ ବର୍ଷର ଘଟଣା ନୁହେଁ। ବିପିଆରଡି ଦ୍ୱାରା ପ୍ରସ୍ତୁତ ‘ପୁଲିସ ସଙ୍ଗଠନର ତଥ୍ୟ’ ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଜ ବଜେଟରେ ଆରକ୍ଷୀ ବିଭାଗ ପାଇଁ ୩୫୫୯.୫୧ କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲେ। ସେଥିମଧ୍ୟରୁ ପୁଲିସ ବ୍ୟବସ୍ଥାକୁ ଅତ୍ୟାଧୁନିକ କରିବା ପାଇଁ ୬୮.୯୧ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। କିନ୍ତୁ ବିଭାଗ ୪୧.୪୯ କୋଟି ଟଙ୍କା ବ୍ୟୟ କରିବା ପାଇଁ ସକ୍ଷମ ହୋଇ ପାରିଥିଲା। ଉପରୋକ୍ତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏମପିଏଫ୍ ପାଣ୍ଠି ମାଧ୍ୟମରେ ବିଭାଗର ଆଧୁନିକୀକରଣ ନିମନ୍ତେ ୩୫.୧୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ରାଜ୍ୟ ସରକାର ନିଜର ଅଂଶ ବାବଦକୁ ୨୩.୪୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଓଡ଼ିଶା ପୁଲିସ ମୋଟ ୫୮.୫୦ କୋଟି ଟଙ୍କା ବ୍ୟୟ କରିବା ପାଇଁ ସୁଯୋଗ ପାଇଥିଲେ ମଧ୍ୟ ମାତ୍ର ୧୪.୮୯ କୋଟି ଟଙ୍କା (୨୫ ଶତାଂଶ) ଆଧୁନିକୀକରଣ ପାଇଁ ଖର୍ଚ୍ଚ କରିଥିଲେ। ସେହିପରି ୨୦୧୯-୨୦ ବଜେଟରେ ପୁଲିସ ବ୍ୟବସ୍ଥାକୁ ୩୯୭୫.୮୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ପୁଲିସ ବିଭାଗର ଆଧୁନିକୀକରଣ ପାଇଁ ୮୬.୯୦ କୋଟି ଟଙ୍କା ବ୍ୟୟ କରିବା ପାଇଁ ଯୋଜନା ଥିଲା; କିନ୍ତୁ ମାତ୍ର ୨୫.୦୬ କୋଟି ଟଙ୍କା ବ୍ୟୟ କରିବା ପାଇଁ ରାଜ୍ୟ ସରକାର ସମର୍ଥ ହୋଇଥିଲେ । ୨୦୧୭-୧୮ ଆର୍ଥିକ ବର୍ଷରେ ଆଧୁନିକୀକରଣ ପାଇଁ ପୁଲିସ ବଜେଟରେ ୬୦.୯୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା କିନ୍ତୁ ୨୯.୦୩ କୋଟି ଟଙ୍କା ବ୍ୟୟ ହୋଇ ପାରିଥିଲା। ୨୦୨୧ ପରେ ପୁଲିସ ବଜେଟ ସମ୍ପର୍କିତ କୌଣସି ତଥ୍ୟ ବିପିଆରଡି ୱେବସାଇଟରେ ଉପଲବ୍ଧ ହୋଇନାହିଁ। ଅଧିକନ୍ତୁ ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୦ ଅନୁଯାୟୀ ରାଜ୍ୟ ସରକାର ୧୭-୧୮ ଆର୍ଥିକ ବର୍ଷରେ ପୁଲିସ ସେବା ଯୋଗାଇ ଦେବା ପାଇଁ ମୁଣ୍ଡ ପିଛା ମାତ୍ର ୬୮୦ ଟଙ୍କା ବ୍ୟୟ କରୁଥିଲେ। ଯେତେବେଳେ କି ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ହାରାହାରି ବାରଶହ ଟଙ୍କାରୁ ଅଧିକ ବ୍ୟୟ କରୁଥିଲେ। ସେହିପରି ୧୯-୨୦ ଆର୍ଥିକ ବର୍ଷରେ ଗୋଟିଏ ପୁଲିସ କର୍ମଚାରୀଙ୍କୁ ଉପଯୁକ୍ତ ଭାବରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ୭,୩୬୬ ଟଙ୍କା ବ୍ୟୟ କରୁଥିବା ବେଳେ ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ହାରାହାରି ବାର ହଜାର ଟଙ୍କାରୁ ଅଧିକ ବ୍ୟୟ କରୁଥିଲେ।
ଗତ ଫେବୃଆରୀ ୨୨ ତାରିଖରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟ ଓଡ଼ିଶା ସରକାରଙ୍କୁ ଆସନ୍ତା ଜୁନ ମାସ ୧୫ ତାରିଖ ମଧ୍ୟରେ ଏକ ସତ୍ୟପାଠ ମାଧ୍ୟମରେ ପୁଲିସ ବିଭାଗରେ ଖାଲି ପଡ଼ିଥିବା ସମସ୍ତ ପଦ ପୂରଣ କରିବା ପାଇଁ ନିର୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରି ଜଣାଇବାକୁ ନିର୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ଅନ୍ୟ ଏକ ସତ୍ୟପାଠ ଜରିଆରେ ନ୍ୟାୟାଳୟଙ୍କୁ ଅବଗତ କରିଥିଲେ ଯେ ବିଭାଗରେ କନଷ୍ଟେବଳଠାରୁ ଆରମ୍ଭ କରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପର୍ଯ୍ୟନ୍ତ ସାତ ହଜାର ପଦ ରିକ୍ତ ରହିଛି। ଜାତିସଂଘ ପ୍ରତି ଏକ ଲକ୍ଷ ଜନସଂଖ୍ୟା ପାଇଁ ୨୨୨ ଜଣ ପୁଲିସ କର୍ମଚାରୀ କାର୍ଯ୍ୟ କରିବା ଉଚିତ ବୋଲି ସ୍ଥିର କରିଛନ୍ତି। ଭାରତରେ ଏହା ସରକାରୀ ଭାବରେ ହାରାହାରି ୧୮୧ ଜଣ ଥିବା ବେଳେ ପ୍ରକୃତରେ ମାତ୍ର ହାରାହାରି ୧୩୭ ଜଣ ପୁଲିସ କର୍ମଚାରୀ କାର୍ଯ୍ୟ ନିର୍ବାହ କରନ୍ତି। ଓଡ଼ିଶା ଆର୍ଥିକ ସର୍ବେକ୍ଷଣ ୨୨-୨୩ ଅନୁଯାୟୀ ରାଜ୍ୟ ସରକାର ଆରକ୍ଷୀ ବିଭାଗରେ ୩୩୬ଟି ବିଭିନ୍ନ ବର୍ଗର ପଦ ସୃଷ୍ଟି କରିବା ସହିତ ୩୬ଟି ନୃତନ ଥାନା ସ୍ଥାପନ କରିଛନ୍ତି। ରାଜ୍ୟ ସରକାର ସମସ୍ତ ନିୟମିତ ଫାଣ୍ଡିରେ ଜଣେ ସବ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ପାଇଁ ନିେର୍ଦଶ ଦେଇଛନ୍ତି। ବିପିଆରଡି ଦ୍ୱାରା ପ୍ରକାଶିତ ବିବରଣୀ ‘ପୁଲିସ ସଙ୍ଗଠନର ତଥ୍ୟ’ ଅନୁଯାୟୀ ୨୦୨୧ ଜାନୁଆରୀ ପହିଲା ସୁଦ୍ଧା ଓଡ଼ିଶାରେ ସରକାରୀ ଭାବରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ୬୦୫ ଜଣ ନାଗରିକଙ୍କ ସୁରକ୍ଷା ଦାୟିତ୍ବ ଥିଲା କିନ୍ତୁ ବାସ୍ତବରେ ୭୦୮ ଜଣ ସାଧାରଣ ଲୋକ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ଥିଲେ। ପ୍ରତି ଏକ ଲକ୍ଷ ଜନସଂଖ୍ୟା ପାଇଁ ୭୩ ଜଣ ଅସ୍ତ୍ରବିହୀନ ପୁଲିସ କର୍ମଚାରୀ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ମଞ୍ଜୁର କରିଥିଲେ ମଧ୍ୟ ୫୭ ଜଣ କାର୍ଯ୍ୟ ନିର୍ବାହ କରୁଛନ୍ତି। ମୋଟ ୩୩,୨୩୮ ଟି ସିଭିଲ ପୋଲିସ (ଅସ୍ତ୍ର ବିହୀନ) ପଦ ଥିବା ବେଳେ ୨୫,୮୨୨ ଜଣ ପୁଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ୧୩୯୯ ଟି ସବ୍ ଇନ୍ସପେକ୍ଟର ଓ ୧୮୧୧ ଟି ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦ ଖାଲି ପଡ଼ିଛି। କେବଳ ନୂତନ ଥାନା ସ୍ଥାପନ ଓ ପଦ ସୃଷ୍ଟି କରିଦେଲେ ନାଗରିକମାନେ ଏକ ସୁବ୍ୟବସ୍ଥିତ ପୁଲିସ ସେବା ପ୍ରାପ୍ତ କରିପାରିବେ ନାହିଁ।
ବିଗତ ପାଞ୍ଚ ଦଶନ୍ଧି ଧରି ପୁଲିସ ବିଭାଗର ଆଧୁନିକୀକରଣ ଓ ଢାଞ୍ଚାରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ଏହା ଫଳବତୀ ହୋଇ ପାରୁ ନାହିଁ। ରାଜ୍ୟ ସରକାର ପୁଲିସ ବ୍ୟବସ୍ଥାକୁ ତୁରନ୍ତ ସଜାଡ଼ିବା ଭଳି କିଛି ପଦକ୍ଷେପ ବଜେଟରେ ଗ୍ରହଣ କରିଲେ ନାହିଁ। ବ୍ୟୟ ଅଟକଳ ହ୍ରାସ ପାଇଥିବାରୁ ଏମପିଏଫ୍ ପାଣ୍ଠିକୁ ଅନୁଦାନ ହ୍ରାସ ପାଇବ ଓ ବିଭାଗର ଦକ୍ଷତା ହ୍ରାସ ପାଇବ। ୨୦୦୬ରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ପ୍ରସ୍ତାବିତ ଛ’ ଟି ସଂସ୍କାରମୂଳକ ପଦକ୍ଷେପ ମଧ୍ୟରୁ ଗୋଟିଏ ହେଲେ ଲାଗୁ କରାଯାଇ ପାରିନାହିଁ। ଯେତେବେଳେ କୌଣସି ଘଟଣା ବା ଦୁର୍ଘଟଣା ଘଟେ ଓ ବାରମ୍ବାର ଆରକ୍ଷୀ ବିଭାଗର ଅପାରଗପଣିଆ ପଦାରେ ପଡ଼େ ସେତେବେଳେ ବିଭାଗ ପକ୍ଷରୁ ମାନବ ସମ୍ବଳ ଓ ଆଧୁନିକୀକରଣର ଅଭାବ ରହିଛି ବୋଲି ସ୍ପଷ୍ଟୀକରଣ ପ୍ରଦାନ କରାଯାଏ। କିନ୍ତୁ ଏମପିଏଫ୍ ପାଣ୍ଠି ମାଧ୍ୟମରେ ଅର୍ଥର ଅଭାବ ନ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସଦିଚ୍ଛା ଓ ନୈତିକତା ଅଭାବ ଫଳରେ ଏହାର ସୁବିନିଯୋଗ ହୋଇ ପାରୁନାହିଁ। ଏହା ଫଳରେ କ୍ରମାଗତ ଭାବରେ ଅପରାଧୀମାନଙ୍କ ସାହସ ବୃଦ୍ଧି ପାଇବା ସହିତ ସାଧାରଣ ଲୋକମାନେ ଏକ ଆଧୁନିକ ପୁଲିସ ସେବାରୁ ବଞ୍ଚିତ ହେଉଛନ୍ତି।
Comments are closed.