ଦଶମିକ ଭଗ୍ନାଂଶର ଜନ୍ମଦାତା ଉତ୍କଳୀୟ ଶତାନନ୍ଦ

ସୁଧୀରା ପଣ୍ଡା

ଭାରତର ବୁଦ୍ଧିଜୀବୀ ସମାଜକୁ ଛାଡ଼ିଦେଲେ ଦେଶ ଭକ୍ତି ଥିବା ସିନେମା ପ୍ରେମୀମାନେ ମନୋଜ କୁମାରଙ୍କ ଦ୍ବାରା ନିର୍ମିତ, ନିର୍ଦେଶିତ ଓ ଅଭିନୀତ ଫିଲ୍ମ ‘ପୁରବ ଔର ପଶ୍ଚିମ’ରେ ସେହି ହୃଦୟସ୍ପର୍ଶୀ ସଙ୍ଗୀତ ‘ଯବ ଜେରୋ ଦିଆ ମେରେ ଭାରତନେ, ତବ ଯାକେ ଗିନତୀ ଆୟି,… ଦେତା ନା ଦଶମଲୋ ଭାରତ ନେ ତୋ ଚାନ୍ଦ କୋ ଯାନା ମୁସ୍କିଲ ଥା…….।’

ଏହା ଖାଲି ସିନେମା ଗୀତରେ ନୁହେଁ, ଭାରତର କୋଣ ଅନୁକୋଣ ଜାଣେ ଯେ ‘ଶୂନ (୦) ଓ ଦଶମିକ ଭଗ୍ନାଂଶ ଭାରତର, ପୃଥିବୀ ଗଣିତ ଓ ବିଜ୍ଞାନକୁ ଶ୍ରେଷ୍ଠ ଅବଦାନ। ହେଲେ ଶୂନ (୦)ର ଉଦ୍ଭାବନ ଆର୍ଯ୍ୟଭଟ୍ଟଙ୍କ ଆର୍ଯ୍ୟଭଟ୍ଟୀୟରୁ ହୋଇଥିବା, ସର୍ବଜନବିଦିତ ଥିବା ସ୍ଥଳେ, ଦଶମିକ ଭଗ୍ନାଂଶର ଉଦ୍ଭାବକ ଆଜି ମଧ୍ୟ ବିସ୍ମୃତି ଗର୍ଭରେ ରହିଥିବା ଦୁଃଖର ବିଷୟ।

୭ ଜାନୁଆରୀ ୨୦୧୮ରେ ମୋର ‘ବିସ୍ମୃତି ଗର୍ଭରେ ଓଡ଼ିଆ ଗଣିତଜ୍ଞ’ ଶୀର୍ଷକ ପ୍ରବନ୍ଧ ‘ସମାଜ’ରେ ପ୍ରକାଶ ପାଇଥିଲା। ସେତେବେଳେ ମୁଁ ଜାଣିଥିଲି ଯେ ଶତାନନ୍ଦଙ୍କ ଭାସ୍ବତୀ ହିଁ ଦଶମିକ ଭଗ୍ନାଂଶର ମୂଳ ଆଧାର। ହେଲେ ଯଥାର୍ଥ ଯୁକ୍ତି ଓ ଲିଖିତ ପ୍ରମାଣ ଅଭାବରୁ ଖାଲି ଶତାନନ୍ଦଙ୍କ ଅନ୍ୟାନ୍ୟ ଗାଣିତିକ କୃତିତ୍ବ ସମ୍ବନ୍ଧରେ ଲେଖି ସନ୍ତୁଷ୍ଟ ରହିଥିଲି। ଏ ମଧ୍ୟରେ ଶତାନନ୍ଦଙ୍କ ଭାସ୍ବତୀ ଗ୍ରନ୍ଥ ଉପରେ ଗବେଷଣା କରିବା ନିମନ୍ତେ ମୁଁ ଏକ ପ୍ରତିଷ୍ଠାନ ‘ଶତାନନ୍ଦ ଜ୍ୟୋତିର୍ବିଜ୍ଞାନ ପ୍ରତିଷ୍ଠାନ’ ନାମରେ ପ୍ରତିଷ୍ଟା କରିଛି। ଏଠାରେ ଗତ ଫେବୃଆରୀ ୪ ଓ ୫, ୨୦୨୩ରେ ‘ପ୍ରାଚୀନ ଭାରତୀୟ ଗଣିତ ଓ ଜ୍ୟୋତିର୍ବିଜ୍ଞାନର ଏକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ପ୍ରସିଦ୍ଧ ପ୍ରାଚୀନ ଜ୍ୟୋତିର୍ବିଜ୍ଞାନ ଗବେଷକ ପ୍ରଫେସର ଏସ. ବାଲଚନ୍ଦ୍ର ରାଓଙ୍କ ସମେତ ବେଙ୍ଗାଲୁରୁ, ଚେନ୍ନଇ, କଲିକତା ଓ ଦେଶର ଅନ୍ୟାନ୍ୟ ପ୍ରାନ୍ତରୁ ଜ୍ୟୋତିର୍ବିଜ୍ଞାନୀମାନେ ଯୋଗ ଦେଇ ଭାରତୀୟ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ବରରୁ ଯୋଗ ଦେଇଥିବା ପ୍ରଫେସର ସୁରେଶ କୁମାର ପାତ୍ର ତାଙ୍କ ବକ୍ତବ୍ୟରେ, ସେ ପ୍ରସିଦ୍ଧ ଆଧୁନିକ ଜ୍ୟୋତିର୍ବିଜ୍ଞାନୀ ମେଘନାଦ ଶାହା ତାଙ୍କ ପୁସ୍ତକରେ ଦଶମିକ ଭଗ୍ନାଂଶ ଶତାନନ୍ଦଙ୍କ ଭାସ୍ବତୀରୁ ଆସିଅଛି ବୋଲି ଉଲ୍ଲେଖ କରିଥିବା କହିଥିଲେ। ପରବର୍ତ୍ତୀ ସମୟରେ ସେ (ପ୍ରଫେସର ପାତ୍ର) ମୋତେ ମେଘନାଦ ଶାହା ଉଲ୍ଲେଖ କରିଥିବା ପୁସ୍ତକ ଦେଖାଇଥିଲେ। ତାହା ନିମ୍ନରେ ଆଲୋଚନା କରାଯାଇଅଛି।

ପ୍ରସିଦ୍ଧ ଭାରତୀୟ ବୈଜ୍ଞାନିକ, ମେଘନାଦ ଶାହା ଯାହା ତାଙ୍କର ଗବେଷଣାତ୍ମକ ପୁସ୍ତକରେ ଲେଖିଯାଇଛନ୍ତି ତାହାର ଓଡ଼ିଆ ଅନୁବାଦ ଏହିପରି: ‘ସାଧାରଣ ଭଗ୍ନାଂଶକୁ ଦଶମିକ ଭଗ୍ନାଂଶରେ ପରିବର୍ତ୍ତନ କରିବାର ପ୍ରକ୍ରିୟା ଭାରତ ତଥା ୟୁରୋପରେ ବହୁ ପରେ ଆସିଥିଲା। ମାତ୍ର ଭାରତର ଜଣେ ଜ୍ୟୋତିର୍ବିଜ୍ଞାନୀ ଯେ’କି ଶତାନନ୍ଦ (ଶତାଂଶର ଜନ୍ମଦାତା ହେତୁ) ନାମରେ ପରିଚିତ। ୧୦୯୯ ଖ୍ରୀଷ୍ଟାବ୍ଦରେ ତାହାଙ୍କର ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ‘ଭାସ୍ବତୀ’ରେ ଶତାଂଶ ପ୍ରୟୋଗ କରିଥିଲେ। କାରଣ ସେ ସାଧାରଣ ଭଗ୍ନାଂଶକୁ ଶତକ ଭଗ୍ନାଂଶରେ ସୂଚାଇଥିଲେ। ଯେପରିକି ୧/୪କୁ ପୂର୍ଣ୍ଣ ସଂଖ୍ୟାରେ ପରିଣତ କରିବା ନିମନ୍ତେ ୨୫ ଶତାଂଶ ଓ ୩/୪କୁ ୭୫ ଶତାଂଶ ଭାବେ ନେଇ ଗଣନା କରିଛନ୍ତି। ଇଉରୋପରେ ଭଗ୍ନାଂଶକୁ ଦଶମିକ ଭଗ୍ନାଂଶରେ ପରିବର୍ତ୍ତନ କରିବାର ସମୀକରଣ ପ୍ରକ୍ରିୟା ପ୍ରାୟ ସପ୍ତଦଶ ଶତାବ୍ଦୀରେ କାର୍ଯ୍ୟକାରୀ କରାଯାଇଥିଲା। ‘(Ref:S.Chatterjee, Collected Works of Meghanad Saha, Page-132,Vol-3,1982)

ବର୍ତ୍ତମାନ ଶତାନନ୍ଦ ଅବଲମ୍ବନ କରିଥିବା ପ୍ରକ୍ରିୟାକୁ ଦୃଷ୍ଟିପାତ କରିବା। ଶତାନନ୍ଦ ପ୍ରଥମେ ଗୋଟିଏ ଚକ୍ର ବା ଗ୍ରହର ପରିକ୍ରମଣ ଅବଧି ୩୬୦ ଡିଗ୍ରୀକୁ ୨୭୦୦ ଅଂଶରେ ପରିବର୍ତ୍ତନ କରିଛନ୍ତି ଯାହା ରାହୁ ସଞ୍ଚାର ବା ସଂକ୍ରମଣ (ଭାସ୍ବତୀ, ତୃତୀୟ ଅଧ୍ୟାୟ ଶ୍ଳୋକ ୧୭)ରେ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଅଛି। ଏହି ସ୍ଥାନରେ ତଥା ନକ୍ଷତ୍ର ଚକ୍ର ମଧ୍ୟରେ, ସୂର୍ଯ୍ୟ ଓ ଚନ୍ଦ୍ରର ଅବସ୍ଥିତି ଗଣନା କରିବା ସମୟରେ ଚକ୍ରମାନ ୨୭୦୦ ନେବା ଦ୍ବାରା ପ୍ରତି ନକ୍ଷତ୍ର ୧୦୦ଅଂଶ ଓ ପ୍ରତି ରାଶି ୨୨୫ ଅଂଶ ପର୍ଯ୍ୟନ୍ତ ବିସ୍ତାରିତ ରହିବାର ପରିକଳ୍ପନା କରିଛନ୍ତି। ଯାହାଫଳରେ ପ୍ରଚଳିତ ପ୍ରଥା ୩୬୦ ଡିଗ୍ରୀ ନେଇ ଗଣନାକଲେ ପ୍ରତି ନକ୍ଷତ୍ର ୧୩ ପୂର୍ଣ୍ଣ ୧/୩ ବା ୪୦/୩ ଡିଗ୍ରୀ ପର୍ଯ୍ୟନ୍ତ ବିସ୍ତାରିତ ରହିବା କଥା। ଏହା ଏକ ଭଗ୍ନାଂଶ ହେତୁ ବହୁତ ଗୁଡ଼ିଏ ଭଗ୍ନାଂଶ ସଂଖ୍ୟାକୁ ନେଇ ଗଣନା କରିବା ସମୟରେ, ତ୍ରୁଟି ବଢ଼ି ଚାଲିବାର ସମ୍ଭାବନା ରହିଛି। ମାତ୍ର ଶତାନନ୍ଦ ଏଠାରେ ଚକ୍ରମାନ ୨୭୦୦ ନେବା ଦ୍ବାରା ପ୍ରତି ନକ୍ଷତ୍ର ୧୦୦ ଅଂଶ ପର୍ଯ୍ୟନ୍ତ ବିସ୍ତାରିତ ରହିବାର ପରିକଳ୍ପନା କରିଛନ୍ତି। ଏହା ଦ୍ବାରା ସୂର୍ଯ୍ୟ, ଚନ୍ଦ୍ର ବା ଛାୟାଗ୍ରହ ରାହୁ ବା କେତୁର ପରିକ୍ରମଣ ସମୟରେ କୌଣସି ନକ୍ଷତ୍ରର କେତେ ଅଂଶ ଭୋଗ କରିଅଛି ଏହା ଏକ ପୂର୍ଣ୍ଣ ସଂଖ୍ୟା ମାତ୍ର ତାହା ୧୦୦ ଭାଗରୁ କେତେ ଭାଗ ଭାବେ ଦର୍ଶାଯାଇଅଛି। ଏହା ଆମର ଆଧୁନିକ ପ୍ରଚଳିତ ପ୍ରଥା ସହ ସମାନ। କାରଣ ଆଧୁନିକ ପ୍ରକ୍ରିୟାରେ ଭଗ୍ନାଂଶର ଦୁଇଟି ଭାଗ ଲବ ଓ ହର ମଧ୍ୟରୁ ହରକୁ ପ୍ରଥମେ ୧୦ର ସହଗ (power ଯେପରି ୧୦,୧୦୦, ବା ୧୦୦୦)ରେ ପରିବର୍ତ୍ତନ କରିବା ନିମନ୍ତେ ସମୁଚିତ ସଂଖ୍ୟାରେ ଗୁଣନ କରାଯାଏ ଓ ଭଗ୍ନାଂଶର ମାନ ଅପରିବର୍ତ୍ତନୀୟ ରଖିବା ନିମନ୍ତେ ସେହି ସଂଖ୍ୟାକୁ ଲବରେ ମଧ୍ୟ ଗୁଣାଯାଇଥାଏ। ଯଥା, ଆମେ ୧/୪କୁ ଦଶମିକ ଭଗ୍ନାଂଶରେ ଯଦି ପରିବର୍ତ୍ତନ କରିବା ତେବେ ଏହାର ହର ସଂଖ୍ୟା ୪କୁ ୨୫ରେ ଗୁଣିଲେ ୧୦୦ହେବ। ପୁଣି ଭଗ୍ନାଂଶର ମାନ ଅପରିବର୍ତ୍ତନୀୟ ରଖିବା ନିମନ୍ତେ ଲବ ୧କୁ ମଧ୍ୟ ୨୫ରେ ଗୁଣୁଛେ। ଫଳରେ ନୂତନ ସଂଖ୍ୟାଟି ୨୫/୧୦୦ ବା ୦.୨୫ ହେଉଛି। ଶତାନନ୍ଦ ଅବଲମ୍ବନ କରିଥିବା ଗଣନାକୁ ଅନୁଧ୍ୟାନ କଲେ ଜଣାଯାଏ ୩୬୦କୁ ୩୦/୪ରେ ଗୁଣନ କଲେ ୨୭୦୦ ଅଂଶ ଆସିବ। ସେହିପରି ବିସ୍ତାରିତ ରହିଥିବା ଗୋଟିଏ ନକ୍ଷତ୍ରର ମାନ ୪୦/୩କୁ ୩୦/୪ରେ ଗୁଣନ କଲେ ୧୦୦ ଅଂଶ ଆସୁଛି। ତେଣୁ ଗ୍ରହଟି ନକ୍ଷତ୍ର ମଣ୍ଡଳରେ କୌଣସି ନକ୍ଷତ୍ରର କେତେ ଭାଗ ଅତିକ୍ରମ କରିଅଛି ତାହା ୧୦୦ର କେତେ ଅଂଶ ଭାବେ ଏକ ପୂର୍ଣ୍ଣ ସଂଖ୍ୟାରେ ଲେଖା ଯାଇଅଛି।

ସେହିଭଳି ପଞ୍ଚତାରା ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନିଙ୍କର ରାଶିଚକ୍ର ଆଧାରରେ ଅବସ୍ଥିତି ଗଣନା କରିବା ସମୟରେ ୩୬୦ ଡିଗ୍ରୀ ବଦଳରେ ୧୨୦୦ ଅଂଶନେଇ ଗଣନା କରିଛନ୍ତି। ଫଳରେ ପ୍ରତିଟି ରାଶି ୩୦ ଡିଗ୍ରୀ ବଦଳରେ ୧୦୦ ଅଂଶ ପର୍ଯ୍ୟନ୍ତ ବିସ୍ତାରିତ ରହିବେ। ତେଣୁ ଅଭୀଷ୍ଟ ଗ୍ରହ, ରାଶିଚକ୍ରର କୌଣସି ରାଶିର କେତେ ଅଂଶ ଭୋଗ କରିସାରିଛି ଓ କେତେ ଅଂଶ ଭୋଗ କରିବାକୁ ବାକିଅଛି ଓ ତାହା ଭୋଗ (ଅତିକ୍ରମ) କରିବାକୁ କେତେ ସମୟ ଲାଗିବ ତାହା ଏକ ପୂର୍ଣ୍ଣ ସଂଖ୍ୟାରେ ପ୍ରକାଶ କରାଯାଇଅଛି ଯାହା ପରବର୍ତ୍ତୀ ଗଣନା ନିମନ୍ତେ ସହଜ ଓ ତ୍ରୁଟି ମୁକ୍ତ ରହିବ। ଏହାରି ଫଳରେ ଶତାନନ୍ଦଙ୍କ ରଚିତ ଭାସ୍ବତୀ ଗ୍ରନ୍ଥ ଦିନେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ପରାଗର ଠିକ୍‌ ଗଣନା ଦ୍ବାରା ପୂର୍ବାନୁମାନ ନିମନ୍ତେ ଲୋକାଦୃତ ହୋଇଥିଲା।

prayash

ଏହା ହିଁ ଦଶମିକ ଭଗ୍ନନାଂଶର ପ୍ରଥମ ପ୍ରୟୋଗ ବୋଲି ଗଣିତଜ୍ଞମାନେ ମତ ପୋଷଣ କରିଛନ୍ତି।

ଦଶମିକ ଭଗ୍ନାଂଶର ପ୍ରଣୟନ ଯାହା ଭାରତର, ମାନବ ସମାଜକୁ ଏକ ଯୁଗଜୟୀ ଅବଦାନ ବୋଲି ସାରା ବିଶ୍ବ ସ୍ବୀକାର କରେ ତାହାର ଜନ୍ମ ଓଡ଼ିଶାରୁ ହୋଇଥିଲା।
ଓଡ଼ିଶାର ବୌଦ୍ଧିକ ସମାଜ ସାମନ୍ତ ଚନ୍ଦ୍ରଶେଖର (ଖ୍ରୀ.୧୮୩୫-ଖ୍ରୀ. ୧୯୦୪)ଓ ତାଙ୍କର ରଚିତ ‘ସିଦ୍ଧାନ୍ତ ଦର୍ପଣ’ ସହିତ ଅଳ୍ପବହୁତ ପରିଚିତ ନିଶ୍ଚିତ। ଏହାଙ୍କ ବ୍ୟତୀତ ପଣ୍ଡିତ ବାଇକୋଳି ଜ୍ୟୋତିଷ ବିଶାରଦ (ଖ୍ରୀ.୧୯୦୮- ଖ୍ରୀ. ୧୯୭୭)ଙ୍କର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ରହିଛି। ତେବେ ଏହି ଜୋତିର୍ବିଦ୍‌ମାନଙ୍କର ଆବିର୍ଭାବର ପ୍ରାୟ ସାତଶହ ବର୍ଷ ପୂର୍ବରୁ ଜଣେ ଜ୍ୟୋତିର୍ବିଜ୍ଞାନୀ ମହାମନୀଷୀ ଏ ମାଟିରେ ଜନ୍ମ ଗ୍ରହଣ କରି ନିଜର ଜ୍ୟୋତିର୍ବିଜ୍ଞାନ ଜ୍ଞାନ ଦ୍ବାରା ସାରା ଦେଶ ତଥା ବିଦେଶକୁ ଉଦ୍ଭାସିତ କରିଥିଲେ। ଓଡ଼ିଶାବାସୀଙ୍କ ନିକଟରେ ଏବେ ବି ଅଜ୍ଞାତ ମାତ୍ର ଦେଶ ବିଦେଶରେ ବହୁ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାମ ଆଚାର୍ଯ୍ୟ ଶତାନନ୍ଦ। ତାଙ୍କର ପ୍ରକୃତ ନାମ ମୁକ୍ତଧାର ଆଚାର୍ଯ୍ୟ ଓ ସେ ପ୍ରଥମେ ଶତାଂଶ ପ୍ରଣୟନ କରିଥିବାରୁ ନିଜକୁ ଶତାନନ୍ଦ ଭାବେ ନାମିତ କରିଥିବା ଐତିହାସିକମାନେ ଅନୁମାନ କରନ୍ତି। ତାହାଙ୍କ ରଚିତ ଜ୍ୟୋତିର୍ବିଜ୍ଞାନ ତଥା ଗଣିତ ଗ୍ରନ୍ଥ ଭାସ୍ବତୀ ଦିନେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗର ଠିକ୍‌ ଗଣନା ଦ୍ବାରା ପୂର୍ବାନୁମାନ ନିମନ୍ତେ ଲୋକାଦୃତ ହୋଇଥିଲା।

ଏହି ଗ୍ରନ୍ଥର ପ୍ରଭାବ ଓ ଉପଯୋଗ କେବଳ ଓଡ଼ିଶା ମଧ୍ୟରେ ସୀମିତ ରହିନଥିଲା। ଏଥି ନିମନ୍ତେ ଉତ୍ତର ଭାରତ ତଥା ବିଦେଶରେ ମଧ୍ୟ ଏହି ଗ୍ରନ୍ଥ ଦୀର୍ଘ ୮୦୦ବର୍ଷ ଧରି ଜନସମାଜର ନିତ୍ୟ ଜୀବନ ଶୈଳୀକୁ ଶୁଦ୍ଧ ପଞ୍ଚାଙ୍ଗ ନିର୍ମାଣ ଦ୍ବାରା ନିମନ୍ତ୍ରଣ କରୁଥିଲେ।

ବନାରସ ହିନ୍ଦୁୁ ବିଶ୍ବବିଦ୍ୟାଳୟର ଜ୍ୟୋତିଷ ବିଭାଗର ତତ୍କାଳୀନ ମୁଖ୍ୟ ରାମଜନ୍ମ ମିଶ୍ରଙ୍କ ଦ୍ବାରା ସଂଶୋଧିତ ଓ ସଂକ୍ଷିପ୍ତ ବିବରଣୀ ସହ ୧୯୬୮ ମସିହାରେ ପ୍ରକାଶିତ ଭାସ୍ବତୀ ପୁସ୍ତକର ମୁଖବନ୍ଧରୁ ଜଣାଯାଏ ଯେ ଏହି ଗ୍ରନ୍ଥ ଏକଦା ସାରା ଉତ୍ତର ଭାରତର ନୀତିଦିନ ଜୀବନ ଶୈଳୀକୁ ନିୟନ୍ତ୍ରଣ କରୁଥିଲା। ଉତ୍ତର ଭାରତରେ ଏହା ମଧ୍ୟ କଥିତ ଅଛି ଯେ ‘ଗ୍ରହଣେ ଭାସ୍ବତୀ ଧନ୍ୟା’। ଅର୍ଥାତ୍‌ ଗ୍ରହଣ ପୂର୍ବାନୁମାନ କରିବାରେ ଭାସ୍ବତୀ ସର୍ବୋତ୍କୃଷ୍ଟ। ନେପାଳ ଇତିହାସରୁ ଜଣାଯାଏ ଯେ, ଭାସ୍ବତୀ ନେପାଳର ପ୍ରଥମ ଗଣିତ ଗ୍ରନ୍ଥ। ଏହି ପରିପ୍ରେକ୍ଷୀରେ ନେପାଳର ଏକ ଗବେଷଣା ପତ୍ରିକା- ‘କାଠମାଣ୍ଡୁ ୟୁନିଭର୍ସିଟି ଜର୍ଣ୍ଣାଲ ଅଫ୍‌ ସାଇନ୍ସ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍‌ନୋଲୋଜି’ର ୨୦୦୬ ମସିହାରେ ପ୍ରକାଶିତ ଏକ ନିବନ୍ଧ-‘ଏ ହିଷ୍ଟ୍ରି ଅଫ୍‌ ମାଥ୍‌ମେଟିକାଲ ସାଇନ୍ସ ଇନ୍‌ ନେପାଳ’ ବାଏ କେ.ଝା, ପି.ଆର.ଅଧିକାରୀ, ଏସ.ଆର.ପାଣି’ରେ ଯାହା ମତଦେଇଛନ୍ତି ତାହା ଅନୁସାରେ ଏହି ପୁସ୍ତକ ନେପାଳର ପ୍ରଥମ ଗଣିତ ଗ୍ରନ୍ଥ।

ଭାରତର ଦୁଇ ଯୁଗଜୟୀ ଉଦ୍ଭାବନ ମଧ୍ୟରୁ, ‘୦’ର ଉଦ୍ଭାବନ ଆର୍ଯ୍ୟଭଟ୍ଟଙ୍କ ଆର୍ଯ୍ୟଭଟ୍ଟୀୟରୁ ହୋଇଥିବା ଭଳି ଭଗ୍ନାଂଶର ପ୍ରଣୟନ ଶତାନନ୍ଦଙ୍କ ରଚିତ ଭାସ୍ବତୀରେ ପ୍ରଥମେ କରାଯାଇଥିଲା।

ଶୂନର୍‌ ଉଦ୍ଭାବନ ଆର୍ଯ୍ୟଭଟ୍ଟଙ୍କ ‘ଆର୍ଯ୍ୟଭଟ୍ଟୀୟ’ପରି ଭଗ୍ନାଂଶର ଉଦ୍ଭାବକ ଶତାନନ୍ଦଙ୍କ ‘ଭାସ୍ବତୀ’ ବିଶ୍ବବିଜ୍ଞାନକୁ ଏକ କାଳଜୟୀ ଅବଦାନ। କ୍ଷୋଭର ବିଷୟ, ଦେଶବିଦେଶରେ ବେଶ୍‌ ଆଲୋଚିତ ଶତାନନ୍ଦ ନିଜ ରାଜ୍ୟରେ ଏବେ ମଧ୍ୟ ଅଜ୍ଞାତ ଓ ଅବହେଳିତ।

kalyan agarbati

Comments are closed.