ଆତ୍ମ ନିୟନ୍ତ୍ରଣର ପରିଭାଷା
ନିଜ ମନକୁ ନିଜ ବଶରେ ରଖିବା ଏବଂ ତାକୁ ନିଜ କରାଗତ ତଥା ନିୟନ୍ତ୍ରଣରେ ବାନ୍ଧି ରଖିବା ହିଁ ଆତ୍ମନିୟନ୍ତ୍ରଣ। ଅନ୍ୟ ଅର୍ଥରେ ଷଢ଼ଋତୁ ଯଥା କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ ଇତ୍ୟାଦିକୁ ନିଜସ୍ୱ କ୍ଷମତା ଭିତରେ ବଶୀଭୂତ କରି ରଖିବାକୁ ଆତ୍ମନିୟନ୍ତ୍ରଣ ବୁଝାଯାଏ। ଖାଲି ଷଢ଼ରିପୁ କହିଲେ ହେବନାହିଁ, ଏପରିକି ବାସ୍ତବ ପାର୍ଥିବ ଜୀବନରେ ମଣିଷ ସହିତ ଯେତେ ଘଟଣା ଘଟେ, ସେଗୁଡ଼ିକୁ ନିଜ ମନ ଭିତରେ ନିୟନ୍ତ୍ରିତ ଓ ବଶକରି ରଖିବାକୁ ମଧ୍ୟ ଆତ୍ମନିୟନ୍ତ୍ରଣ ବୋଲା ଯାଇପାରେ।
ମଣିଷ ଏକ ସାମାଜିକ ପ୍ରାଣୀ ଅଟେ; କିନ୍ତୁ ସଂସାରର ଅନ୍ୟ ପ୍ରାଣୀମାନଙ୍କଠାରୁ ଭିନ୍ନ ଓ ଉନ୍ନତ ଅଟେ। ଏହାର କାରଣ ମଣିଷର ମାନସିକ ବିଶେଷତା, ବିଚାର ଶକ୍ତିର ଭାବନା ଓ ମନର ଆତ୍ମନିୟନ୍ତ୍ରଣ କ୍ଷମତା ଅନ୍ତର୍ନିହିତ ଥାଏ। ଅନ୍ୟ ପ୍ରାଣୀମାନଙ୍କଠାରେ ବୁଦ୍ଧି ଓ ବିଚାର ଶକ୍ତିର ଅଭାବ ଥାଏ। ଏହି ମଣିଷର ଆତ୍ମନିରୀକ୍ଷଣର ଯାଦୁ ଦ୍ୱାରା ହିଁ ନିଜର ସମ୍ପୂର୍ଣ୍ଣ ପ୍ରକୃତିକୁ ନିଜ ବଶରେ କରିନେଇଥାଏ। ପ୍ରତ୍ୟେକ ବ୍ୟକ୍ତି ଭିତରେ ବହୁତ କିିଛି କରି ପାରିବାର କ୍ଷମତା ଥାଏ। ସେଥିପାଇଁ ମଣିଷ ଲଗାତାର ଆଗକୁ ବଢ଼ି ଚାଲିଥାଏ। ତା’ର ଉନ୍ନତିର ସବୁଠୁ ବଡ଼ ରହସ୍ୟ ହେଉଛି ଆତ୍ମ ନିୟନ୍ତ୍ରଣ ଶକ୍ତି। ନିଜର ଏହି ଶକ୍ତି ବଳରେ ଲଗାତାର ଭାବେ ଅସାଧ୍ୟ କାର୍ଯ୍ୟ କରି ଚାଲିଥାଏ। ସେହି ବ୍ୟକ୍ତିକୁ ସବୁକିଛି ପ୍ରାପ୍ତ ହୋଇଥାଏ ଯିଏ ନିଜେ ନିଜକୁ ଜିତି ନେଇ ଥାଏ ଅର୍ଥାତ୍ ନିଜ ଉପରେ ଆତ୍ମ ନିୟନ୍ତ୍ରଣ କରି ନେଇଥାଏ। ସମଗ୍ର ବିଶ୍ୱରେ ମାନବ ହିଁ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ଆତ୍ମନିୟନ୍ତ୍ରଣ କରିବାରେ ସମର୍ଥ ଅଟେ। ମାତ୍ର ଅନ୍ୟମାନଙ୍କଠାରେ ଏହି ଗୁଣ ନଥାଏ। ନିଜର ଏହି ବିଶେଷ ଆତ୍ମନିୟନ୍ତ୍ରଣ ଗୁଣର ଅଧିକାରୀ ହୋଇଥିବାରୁ ମଣିଷ ଅନ୍ୟ ପ୍ରାଣୀମାନଙ୍କ ଠାରୁ ଶ୍ରେଷ୍ଠଭାବରେ ବିବେଚିତ ଅଟେ ମାତ୍ର ପଶୁ ପକ୍ଷୀ ଇତ୍ୟାଦିଠାରେ ଆତ୍ମନିୟନ୍ତ୍ରଣ କ୍ଷମତା ବା ଶକ୍ତି ପରିଲକ୍ଷିତ ହୁଏନାହିଁ। ପକ୍ଷୀଟିଏ ଦାନା ଖାଇବା ଲୋଭରେ ଶିକାରୀ ଜାଲରେ ଫସିଯାଇଥାଏ କାରଣ ସେମାନେ ଜାଲ ତଳେ ଥିବା ଦାନାକୁ ଖାଇବାରୁ ନିଜକୁ ସଂଯତ କରିପାରନ୍ତି ନାହିଁ ଏବଂ ନିଜକୁ ଆତ୍ମନିୟନ୍ତ୍ରଣ କରିପାରନ୍ତି ନାହିଁ।
ମାତ୍ର ଆଜିକାଲିର ସମାଜରେ ମଣିଷ ମଧ୍ୟରେ ଆତ୍ମନିୟନ୍ତ୍ରଣର ଘୋର ଅଭାବ ପରିଲକ୍ଷିତ ହେଉଛି। ମଣିଷ ନିଜକୁ ଆତ୍ମନିୟନ୍ତ୍ରିତ କରି ନପାରି ହିଂସା, କ୍ରୋଧ ପ୍ରବୃତ୍ତିର ବଶ ହୋଇଯାଉଛି। ଯାହା ଫଳରେ ସମାଜର କ୍ଷତି ଘଟୁଛି। ଖାଲି ସମାଜ କଥା କହିଲେ ହବନି, ପରିବାରରେ ମଧ୍ୟ ସଦସ୍ୟଟିଏ କ୍ରୋଧ, ଲୋଭ, କାମରେ ବେନିୟନ୍ତ୍ରିତ ହୋଇ ଭୁଲ କରିବସୁଛି। କାରଣ ମନକୁ କାବୁ କରିବା ସବୁଠୁ କଠିନ କାମ ଅଟେ। ମହାକବି ଗେଟେଙ୍କ ଭାଷାରେ ଯେଉଁ ବ୍ୟକ୍ତି ଆତ୍ମ ନିୟନ୍ତ୍ରଣର ବଶବର୍ତ୍ତୀ ହୋଇଥାଏ। ତାକୁ ସଫଳତା ଅବଶ୍ୟ ହିଁ ମିଳିଥାଏ। ଆତ୍ମନିୟନ୍ତ୍ରଣ ନେଇ ଏକ ଛୋଟ ଉଦାହରଣଟିଏ। ୟୁଡ୍ବକ ନାମ୍ମୀ ଇଂରେଜ ଅଫିସର ଯେତେବେଳେ ନିଜ କ୍ୟାମ୍ପରେ ଥିଲେ, ସେତେବେଳେ ଗୋଟିଏ ପାଗଳ ବ୍ୟକ୍ତି ସେଠାକୁ ପଶି ଯାଇଥିଲା। ତାକୁ ଦେଖି ୟୁଡ୍ୱକ ପଚାରିଲେ, “ତୁମେ କେମିତି ଆସିଲ? କ’ଣ ପାଇଁ ଆସିଲ ? ସେହି ପାଗଳ କହିଲା ତୁମକୁ ହତ୍ୟା କରିବା ପାଇଁ ମତେ ଏଠାକୁ ପଠାଯାଇଛି। ୟୁଡ୍ୱକ ପୁନଶ୍ଚ ପଚାରିଲେ, “କ’ଣ ତୁମେ ଆଜି ହିଁ ଏହି କାମ କରିବ ?” ପାଗଳଟି ଉତ୍ତର ଦେଲା “ହଁ ମତେ ଆଜି ହିଁ ଏହି କାମ କରିବାକୁ ପଡ଼ିବ।” ଦେଖ, ମୋ ପାଖରେ ଏବେ ବହୁତ କାମ ଅଛି, ବହୁତ ପତ୍ର ଲେଖିବାର ଅଛି, ତୁମେ ଆଉ କେବେ ଆସିବ”। ସେହି ପାଗଳ ବ୍ୟକ୍ତିଟି ୟୁଡ୍ୱକ ଠାରୁ ଏପରି କଥା ଶୁଣି ଚାଲିଗଲା ଏବଂ ୟୁଡ୍ୱକ ତାଙ୍କ କାମରେ ବ୍ୟସ୍ତ ହୋଇଗଲେ। ଯଦି ୟୁଡ୍ୱକଙ୍କ ଜାଗାରେ ଅନ୍ୟ କେହି ବ୍ୟକ୍ତି ଥାଆନ୍ତା। ତେବେ ସେ ଡରି ଚିତ୍କାର କରି ଉଠିଥାନ୍ତା; କିନ୍ତୁ ୟଡ୍ୱକଙ୍କର ନିଜ ଉପରେ ଏତେ ଉଚ୍ଚକୋଟୀର ନିୟନ୍ତ୍ରଣ ଥିଲା ଯେ, ସେ ନିଜକୁ ଶାନ୍ତ ରଖିପାରିଲେ। ଏ କ୍ଷୁଦ୍ର ଉଦାହରଣରୁ ଜଣାଯାଏ ଯେ, ଆତ୍ମନିୟନ୍ତ୍ରଣ ମଣିଷର ସବୁଠୁ ବଡ଼ ବିଶେଷତ୍ୱ। ଏଥର ଆସନ୍ତୁ ଜାଣିବା କେଉଁ ଉତ୍ପାଦନଗୁଡ଼ିକ ମନର ଆତ୍ମ ନିୟନ୍ତ୍ରଣକୁ ପ୍ରଭାବିତ କରିଥାଏ। ସେଗୁଡ଼ିକ ହେଲା ଆତ୍ମବିଶ୍ୱାସ, ଆତ୍ମସଂଯମ ଏବଂ ଆତ୍ମସମୀକ୍ଷା। ସାଧାରଣତଃ ଆତ୍ମ ନିୟନ୍ତ୍ରଣ ଏକ ପ୍ରଶସ୍ତ ଉପାଦାନ। ଆତ୍ମନିୟନ୍ତ୍ରଣ ଯଦି ବୃତ୍ତର ଏକ ପରିଧି ହୁଏ, ଆତ୍ମ ବିଶ୍ୱାସ, ଆତ୍ମସଂଯମ, ଆତ୍ମସମୀକ୍ଷ ବୃତ୍ତର ଏକ ଏକ ବ୍ୟାସାର୍ଦ୍ଧ ସଦୃଶ।
(୧) ପ୍ରଥମେ ଆତ୍ମବିଶ୍ୱାସକୁ ବିଚାରକୁ ନେବା। ନିଜର ଆତ୍ମବିଶ୍ୱାସକୁ ସୁଦୃଢ଼ କରି ରଖିବା ଉଚିତ। ଆତ୍ମବିଶ୍ୱାସ ଦ୍ୱାରା ମନର ବୈଚାରିକ ଦୃଢ଼ତା ଆସିଥାଏ। ଫଳରେ ମଣିଷର ଆତ୍ମନିୟନ୍ତ୍ରଣ କରିବାର ବାଟ ଫିଟି ଯାଇଥାଏ। ଆତ୍ମବିଶ୍ୱାସ ବିନା ଆତ୍ମନିୟନ୍ତ୍ରଣର ଅସ୍ତିତ୍ୱ ନାହିଁ। ତେଣୁ ପ୍ରଥମେ ଆମେ ନିଜ ଉପରେ ନିଜର ଆସ୍ଥା ରଖିବା ଉଚିତ। ଆତ୍ମବିଶ୍ୱାସ ଦ୍ୱାରା ମନର ବୈଚାରିକ ଦୃଢ଼ତା ଆସିଥାଏ। ଫଳରେ ମଣିଷର ଆତ୍ମନିୟନ୍ତ୍ରଣ କରିବାର ବାଟ ଫିଟିଯାଇଥାଏ। ଆତ୍ମବିଶ୍ୱାସ ବିନା ଆତ୍ମନିୟନ୍ତ୍ରଣର ଅସ୍ତିତ୍ୱ ନାହିଁ। ତେଣୁ ପ୍ରଥମେ ଆମେ ନିଜ ଉପରେ ନିଜର ଆସ୍ଥା ରଖିବା ଉଚିତ। ଅନ୍ୟର କଥା ଯଥା ଗୁଣ, ଇତ୍ୟାଦି ଦ୍ୱାରା ପ୍ରଭାବିତ ହେବା ଉଚିତ ନୁହେଁ। ଆତ୍ମବିଶ୍ୱାସ କୈନ୍ଦ୍ରିକ ଆତ୍ମନିୟନ୍ତ୍ରଣ ସଂସାର ଭିଡ଼କୁ ଡରିବାକୁ ଦିଏନାହିଁ ଏବଂ ସଫଳତା ପ୍ରାପ୍ତି ପାଇଁ ପ୍ରୟାସ ଜାରି ରଖେ। ଆତ୍ମବିଶ୍ୱାସ ଦ୍ୱାରା ମଣିଷର ଆତ୍ମଚେତନା ଦୃଢ଼ ହୋଇ ରହିଥାଏ। ଆତ୍ମଚେତନା ଦୃଢ଼ୀଭୂତ ହେଲେ ଆତ୍ମନିୟନ୍ତ୍ରଣ ତଥା ମନ ବଶୀଭୂତ ହେବାର ସୋପାନ ମିଳିଯାଇଥାଏ।
(୨) ଦ୍ୱିତୀୟରେ ଆତ୍ମସଂଯମ ଆତ୍ମ ନିୟନ୍ତ୍ରଣର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଷଢ଼ରିପୁ ଯଥା କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ ମଣିଷର ଆତ୍ମ ସଂଯମର ମାତ୍ରା ଅନୁସାରେ ପ୍ରଭାବିତ ହୋଇଥାଏ। କ୍ରୋଧ ମଣିଷର ସବୁଠାରୁ ବଡ଼ ଶତ୍ରୁ। କ୍ରୋଧରୁ ବିଷାକ୍ତ ଭାବ ସବୁ ସମୟରେ କାବୁରେ ରଖିଲେ ଉନ୍ନତିର ମାର୍ଗ ଖୋଲିଯାଇଥାଏ। କ୍ରୋଧର ନିୟନ୍ତ୍ରଣକୁ ନେଇ ଏକ ଛୋଟ ଉଦାହରଣଟିଏ ଦେଉଛି। ବିଶ୍ୱବିଖ୍ୟାତ ମହାନ ଦାର୍ଶନିକ ସୁକରାତଙ୍କର ଜୀବନୀକୁ ସବୁଲୋକ ଜାଣିଛନ୍ତି। ତାଙ୍କର ପତ୍ନୀ କଳେଇ ସ୍ୱଭାବର ଥିଲେ, କଳି କରୁଥିଲେ। ସୁକରାତ ନିଜ ସ୍ତ୍ରୀଙ୍କର କର୍କଶ କଥାବାର୍ତ୍ତା ଶୁଣୁଥିବା ସମୟରେ ନିଜର ରାଗ ଉପରେ କାବୁ ରଖିବା ପାଇଁ ନିଜର ଓଠକୁ ଜୋରରେ ଦାବି ଦେଉଥିଲେ। ସେ ଜାଣିଥିଲେ ରାଗ ହେଉଛି ମଣିଷର ପ୍ରଧାନ ଶତ୍ରୁ। ଯେଉଁ ବ୍ୟକ୍ତି ଆତ୍ମସଂଯମୀ ହୋଇଥାଏ ସେ ହିଁ ରାଗ ଉପରେ ଆତ୍ମ ନିୟନ୍ତ୍ରଣ କରିପାରିଥାଏ। ରାଗିବା ଦ୍ୱାରା କେବଳ ଶରୀର କ୍ଷତି ହୋଇ ନଥାଏ ବରଂ ତା’ର ମାନସିକ ଦୁର୍ବଳତା ବଢ଼ିଥାଏ। ଲଗାତାର କ୍ରୋଧ କରିଥିବା ବ୍ୟକ୍ତି କଥା କଥାରେ ବିରକ୍ତ ହୋଇଯାଇଥାଏ ଏବଂ ତା’ର ସ୍ୱଭାବ ବେନିୟନ୍ତ୍ରିତ ହୋଇ ଚିଡ଼ିଚିଡ଼ା ହୋଇଯାଏ। ସାଧାରଣତଃ କ୍ରୋଧ ସେତେବେଳେ ଆସିଥାଏ ଯେତେବେଳେ କେହି ଅନ୍ୟ ବ୍ୟକ୍ତି ଭୁଲ କରିଥାଏ କିମ୍ବା କେହି କ୍ଷତି କରି ଦେଇଥାଏ। ଆପଣଙ୍କୁ କ୍ରୋଧ ଆସିଥାଏ ସେହି ସମୟରେ ଆପଣ ଗାଳି ଦେବାକୁ ଏବଂ ମାରପିଟ୍ କରିବା ପାଇଁ ଓହ୍ଲାଇ ଆସିଥାନ୍ତି। ମଣିଷ କ୍ରୋଧର ବଶ ହୋଇ ହତ୍ୟା କରିବାକୁ ପଛାଏ ନାହିଁ। ଏପରିକି କ୍ରୋଧାନ୍ୱିତ ହୋଇ ବ୍ୟକ୍ତି ଆତ୍ମହତ୍ୟା କରିଥାଏ। କ୍ରୋଧକୁ ସଂଯମତା ଦ୍ୱାରା ବଶ କରି ନିଜକୁ ଆତ୍ମନିୟନ୍ତ୍ରଣ କରିବା ଶେୟସ୍କର ଅଟେ। ଠିକ୍ ସେହିପରି କାମନାର ପ୍ରବଣତା, ମୋହର ଶିକୁଳି, ଅହଂକାରର କ୍ରୂରତା ଏବଂ ପରଶ୍ରୀକାତରତା’ର ତିକ୍ତତା ଇତ୍ୟାଦି ଆତ୍ମସଂଯମ ଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥାଏ। ଯେତେବେଳେ ମଣିଷ ଆତ୍ମସଂଯମୀ ହୋଇଯାଇଥାଏ ଓ ମନ ଉପରେ ନିୟନ୍ତ୍ରଣ କରି ନେଇଥାଏ ସେତେବେଳେ ତାକୁ ପ୍ରେମ ଓ ଶକ୍ତିର ପ୍ରାପ୍ତି ହୋଇଯାଇଥାଏ। ଏପରିକି ବ୍ୟକ୍ତି ନିଜ ଲକ୍ଷ୍ୟକୁ ପାଇବା ପାଇଁ ଚେଷ୍ଟା କରିଥାଏ ତାକୁ ଅବଶ୍ୟ ସଫଳତା ମିଳିଥାଏ।
ତୃତୀୟରେ ଆତ୍ମସମୀକ୍ଷା ଆତ୍ମନିୟନ୍ତ୍ରଣର ଆଉ ଏକ ଉପାଦାନ। ଯେଉଁଥିରେ ମଣିଷର ବିବେକର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଆତ୍ମସମୀକ୍ଷା ଦ୍ୱାରା ଆତ୍ମ ଚେତନାର ଜାଗ୍ରତ ହୋଇଥାଏ। ଫଳରେ ମଣିଷ ଭୁଲ ଓ ଠିକ୍ର ବିଚାର ଠିକ ଭାବରେ କରିଥାଏ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଆତ୍ମ ନିୟନ୍ତ୍ରଣର ସୁଫଳ ମନରେ ଆବିର୍ଭାବ ହୋଇଥାଏ। ବିବେକ ମନର ଲଗାମ ସଦୃଶ। ଲଗାମ ଛାଡ଼ିଦେଲେ ମଣିଷ ବିବେକ ଶୂନ୍ୟ ହୋଇଯାଏ। ମନରେ କୁ ଭାବନାକୁ ଜାଗ୍ରତ ହୋଇଥାଏ। ତେଣୁ ମଣିଷ ପକ୍ଷେ ବିବେକ କୈନ୍ଦ୍ରିକ ଆତ୍ମସମୀକ୍ଷା ଜରୁରୀ। ଆତ୍ମସମୀକ୍ଷା ଦ୍ୱାରା ଆତ୍ମ ନିୟନ୍ତ୍ରଣର ଆଭାସ ମନରେ ଆସିଯାଏ। ଏହାଦ୍ୱାରା ମଣିଷ ନିଜକୁ ପରିମାର୍ଜିତ କରିଥାଏ ଏବଂ ସୁଚିନ୍ତିତ ଭାବନାର ବ୍ରତୀ ହୋଇଥାଏ।
ପରିଶେଷରେ ଏହି ସିଦ୍ଧାନ୍ତ ନିଆଯାଇପାରେ ଯେ, ଉପରୋକ୍ତ ମୌଳିକ ଉପାଦାନ ଗୁଡ଼ିକ କାମରେ ଲଗାଇ ମଣିଷ ନିଜକୁ ଆତ୍ମ ନିୟନ୍ତ୍ରଣର ଜାଲରେ ବାନ୍ଧି ରଖି ସଫଳତାର ବାସନାକୁ ସ୍ପର୍ଶ କରିବା ଉଚିତ। ଆତ୍ମନିୟନ୍ତ୍ରଣ ମଣିଷକୁ ଶ୍ରେଷ୍ଠ ନାଗରିକ ଭାବରେ ଧରି ରଖିପାରିବ। ମନର ବେନିୟନ୍ତ୍ରଣତା ହଟିଯିବ ଏବଂ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ।
Comments are closed.