ଗୋପାଳର ମାନସିକ ସ୍ଥିତି ଯାଞ୍ଚ ଆବେଦନ ଖାରଜ

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ପୁନଶ୍ଚ ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୋମବାର ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମଏଫସି)ଙ୍କ ଅଦାଲତରେ ଆବେଦନ କରାଯାଇଥିଲା। କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କରିଥିବା ଏହି ଆବେଦନକୁ ମାନ୍ୟବର କୋର୍ଟ ଖାରଜ କରି ଦେଇଥିବା ସୂଚନା ମିଳିଛି। ତେବେ କ୍ରାଇମବ୍ରାଞ୍ଚ ଏହାକୁ ନେଇ ଉପର କୋର୍ଟରେ ଆବେଦନ କରିବ ବୋଲି ଲିଖିତ ଭାବେ ଜଣାଇଛି।

prayash

ଏହାପୂର୍ବରୁ କ୍ରାଇମବ୍ରାଞ୍ଚ ୩ ପର୍ଯ୍ୟାୟରେ ୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ଗୋପାଳକୁ ରିମାଣ୍ଡରେ ନେଇ ଜେରା କରିବା ସହିତ ବିଶେଷଜ୍ଞମାନଙ୍କ ଦ୍ବାରା ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତିରେ ନାନା ପ୍ରକାର ପରୀକ୍ଷା କରାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ଗୋପାଳ ଦାସର ପୂର୍ବରୁ ଦୀର୍ଘଦିନର ମାନସିକ ରୋଗ ରହିଥିଲା। ଏହି କାରଣରୁ ଜେରା ସମୟରେ ୪ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଏକ ଡାକ୍ତରୀ ଦଳ ଗଠନ କରାଯାଇଥିଲା। ବୋର୍ଡ ଏହାର ରିପୋର୍ଟ ଦେବା ପରେ ଏକ ନିଷ୍କର୍ସରେ ପହଞ୍ଚିବା ପାଇଁ ଅଭିଯୁକ୍ତ ଆହୁରି ପରୀକ୍ଷା​‌ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲା। ଏହାଫଳରେ ବେଙ୍ଗାଲୁରୁରୁ ନିମହାନ୍ସର ବିଶେଷଜ୍ଞ ଦଳକୁ ଡକାଯାଇ ଝାରସୁଗୁଡ଼ାଠାରେ ମନସ୍ତାତ୍ତ୍ବିକ ବିଶ୍ଳେଷଣ କରାଯାଇଥିଲା। କିନ୍ତୁ ଏହାବ୍ୟତୀତ ବେଙ୍ଗାଲୁରୁଠାରେ ସାଇକୋଲୋଜିକାଲ, ସାଇକୋମେଟ୍ରିକାଲ ଆଦି ପରୀକ୍ଷାର ଆବଶ୍ୟକତା ଥିବା ଯୋଗୁ ଆଜି ଜେଏମଏଫସି-୧ କୋର୍ଟରେ ସରକାରୀ ଓକିଲଙ୍କ ଜରିଆରେ ଆବେଦନ କରାଯାଇଥିଲା। ତେବେ ମାନ୍ୟବର କୋର୍ଟ ଏହାକୁ ଖାରଜ କରିଥିବା ହେତୁ ଅର୍ଡରର ସାର୍ଟିଫାଏଡ କପି ମିଳିବା ପରେ ଆମର ଆଇନ ପରାମର୍ଶଦାତା ତାହାର ବିଶ୍ଲେଷଣ କରିବେ ଓ ଆବଶ୍ୟକତାସ୍ଥଳେ ଉପର କୋର୍ଟରେ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ସୂଚନା ଥାଉ କି, ଏହା ପୂର୍ବରୁ ଗୋପାଳ ରିମାଣ୍ଡରେ ଥିବା ସମୟରେ ଲେୟରର୍ଡ ଭଏସ୍ ଆନାଲିସିସ୍ (ଏଲଭିଏ), ମନସ୍ତାତ୍ତ୍ବିକ ବିଶ୍ଳେଷଣ, ଗୁଜରାଟର ଗାନ୍ଧୀନଗରରେ ପଲିଗ୍ରାଫ ଓ ନାର୍କୋଟେଷ୍ଟ ଆଦି କରାଯାଇଛି। ଏହା ବ୍ୟତୀତ କ୍ରାଇମବ୍ରାଞ୍ଚ ପକ୍ଷରୁ ବିମାନବନ୍ଦର ଥାନାରେ ପାଇଖାନା ଟାଙ୍କି ଖୋଳା, ଅଭିଯୁକ୍ତର ଆବାସ ନିରୀକ୍ଷଣ, ଅପରାଧ ଦୃଶ୍ୟ ରିକ୍ରିଏସନ ଆଦି କରାସରିଛି। ତେବେ ପୁନଃ ମାନସିକ ସ୍ଥିତି ଯାଞ୍ଚ ପାଇଁ ଆବେଦନ କରାଯାଇଥିବା ହେତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସୂଚନା ଥାଉ କି, ତୃତୀୟ ପର୍ୟ୍ୟାୟ ରିମାଣ୍ଡ ଶେଷ ହେବା ପରେ ଗତ ୧୪ତାରିଖ ଗୋପାଳକୁ କୋର୍ଟରେ ହାଜର କରାଯାଇ ୧୬୪ ବୟାନ ରେକର୍ଡ ପରେ କୋର୍ଟଙ୍କ ଅନୁମତି କ୍ରମେ କଟକ ଚୌଦ୍ବାର ମଣ୍ଡଳ କାରାଗାରକୁ ପ୍ରେରଣ କରିଛି। ସେଠାରେ ତାକୁ ସିସିଟିଭି କ୍ୟାମେରାର ନଜରରେ ସଘନ ନିରୀକ୍ଷଣରେ ରଖାଯାଇଥିବା ସୂଚନା ମିଳିଛି। ଗୋପାଳ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ହତ୍ୟା କରିବା ଓ ତା ପରେ ଦୀର୍ଘ ୧୫ଦିନ ଧରି ଦିନତମାମ ପଚରାଉଚରା, ବିଭିନ୍ନ ପରୀକ୍ଷାର ସମ୍ମୁଖୀନ ହେବା ପରେ ବି ଅବସନ୍ନ ନ ଥିବା ସମସ୍ତଙ୍କୁ ଚକିତ କରୁଛି। ଝାରସୁଗୁଡ଼ା ହେଉ କି କଟକ ହେଉ ସବୁ ସ୍ଥାନରେ ଗୋପାଳ ଖୁବ୍ ସ୍ବାଭାବିକ ବ୍ୟବହାର କରୁଥିବା ହେତୁ ତାହାର ପୁନଃ ମାନସିକ ସ୍ଥିତି ଯାଞ୍ଚ କରିବାର ଆବଶ୍ୟକତା ରହିଛି ବୋଲି କ୍ରାଇବ୍ରାଞ୍ଚ ଏହି ଆବେଦନ କରିଥିଲା। ଅନ୍ୟପକ୍ଷରେ ନବ ଦାସ ହତ୍ୟା ଘଟଣାକୁ ଇତିମଧ୍ୟ​‌ରେ ୨୩ଦିନ ବିତି ସାରିଥିଲେ ହେଁ କାରଣ କଣ ତାହା ସ୍ପଷ୍ଟ ହୋଇପାରିନାହିଁ।

kalyan agarbati

Comments are closed.