ବରିଷ୍ଠ ନାଗରିକ ସମାଜ ଓ ଦେଶ ପାଇଁ ସମ୍ପଦ

ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ

ଆଠଗଡ଼ : ଆଠଗଡ଼ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘର ୨୩ତମ ବାର୍ଷିକ ଉତ୍ସବ ରବିବାର ସଂଘ କାର୍ଯ୍ୟାଳୟ ଠାରେ ସଭାପତି ଇଂ ଶିବପ୍ରସାଦ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ବରିଷ୍ଠ ନାଗରିକମାନେ ସମାଜର ଦିଗଦର୍ଶକ ଓ ଦେଶ ପାଇଁ ସମ୍ପଦ ବୋଲି ମତବ୍ୟକ୍ତ କରିଥିଲେ । ଜୀବନର ଅପରାହ୍ଣରେ ଉପନୀତ ବରିଷ୍ଠ ନାଗରିକଙ୍କର ଅଭିଜ୍ଞତା ଓ ଜ୍ଞାନ ଗାରିମାକୁ ପାଥେୟ କରି ସେମାନଙ୍କ ମତାମତକୁ ଓ ଉପଦେଶକୁ ଗ୍ରହଣ କଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଶ୍ରୀ ସ୍ୱାଇଁ ମତ ପ୍ରକାଶ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ କଟକ ଜିଲ୍ଲାର ବରିଷ୍ଠ ନାଗରିକ ସଂଘର ସଭାପତି ଡା. କୃପାସିନ୍ଧୁ ପଣ୍ଡା, ସମ୍ମାନୀତ ବକ୍ତା ଭାବେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ଦାଶ, ଯୁଗ୍ମ ସମ୍ପାଦକ ରାଜକିଶୋର ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ବିଷ୍ଣୁମୋହନ ଦାଶ ସାମନ୍ତ, ନଗରପାଳ ସସ୍ମିତା ରାଉତ ଓ ସାଇବର ଅପରାଧ ବିଶେଷଜ୍ଞ ଇଂ ଲିଙ୍ଗରାଜ ସେଠୀ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ମୁଖ୍ୟବକ୍ତା ଡା. ପଣ୍ଡାଙ୍କ ସମେତ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତାମାନେ ବରିଷ୍ଠ ନାଗରିକମାନଙ୍କର ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ଏବଂ ସେମାନଙ୍କ ପାଇଁ ଦେଉଥିବା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରି ମାସିକ ୨ହଜାର ଟଙ୍କା କରିବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା, ବସ୍ ଓ ଟ୍ରେନଯାତ୍ରାରେ ରିହାତି ଯୋଗାଇ ଦେବାକୁ ସହାନୁଭୂତିର ସହ ବିଚାର କରିବାକୁ ନିବେଦନ କରିଥିଲେ। ସାଇବର ଅପରାଧୀଙ୍କ ଠାରୁ କିପରି ବର୍ତ୍ତିବେ ଇଂ ଲିଙ୍ଗରାଜ ସେଠୀ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ। ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଆଠଗଡ଼ ସଂଘର ସମ୍ପାଦକ ଗିରିଶ ଚନ୍ଦ୍ର ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଦିବଙ୍ଗତ ସଭ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥି ସହିତ ସଂଘରେ ନୂତନ ଭାବେ ଯୋଗଦେଇଥିବା ୬ଜଣ ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ସଂଘର କର୍ମକର୍ତ୍ତା ଶ୍ୟାମସୁନ୍ଦର ନନ୍ଦ, ହେମନ୍ତ ମହାନ୍ତି, ଉଦୟନାଥ ଶତପଥୀ, ଅଶୋକ ଦାଶ, ବ୍ରହ୍ମାନନ୍ଦ ଲେଙ୍କାଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଇଂ ପ୍ରଭାତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.