ବୌଦ୍ଧ କପ୍‌‌ କ୍ରିକେଟ୍‌‌ ଟୁର୍ଣ୍ଣାମେଣ୍ଟ, ପ୍ରଦର୍ଶନୀ ମ୍ୟାଚରେ ଓଡ଼ିଶା ଭେଟେରାନ ବିଜୟୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆଜି ଜିଲ୍ଲା ଷ୍ଟାଡିଅମ ଠାରେ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିନରେ ଓଡ଼ିଶା ଭେଟେରାନ୍‌‌ ଓ ବୌଦ୍ଧ ଜିଲ୍ଲା ଭେଟେରାନ୍‌‌ ମଧ୍ୟରେ ପ୍ରଦର୍ଶନୀ କ୍ରିକେଟ୍‌‌ ମ୍ୟାଚ୍‌‌ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ବିଏସଏନଏଲ୍‌‌ ଏଜିଏମ ରାଜକିଶୋର ମହାଲିକ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଓଡ଼ିଶା ଭେଟେରାନ କ୍ରିକେଟ ଆସୋସିଏସନର ଉପ-ସଭାପତି ଅଶୋକ କୁମାର ପଟ୍ଟନାୟକ ଯୋଗଦେଇ ଉଭୟ ଦଳର ଖେଳାଳୀଙ୍କ ସହିତ ପରିଚିତ ହେବାସହ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚରେ ଟସ୍‌‌ ଜିତି ବୌଦ୍ଧ ଭେଟେରାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିନେଇ ୨୦ ଓଭରରେ ୮ ୱିକେଟ ବିନିମୟରେ ୬୩ ରନ୍‌‌ ସଂଗ୍ରହ କରିଥିଲା। ଦଳ ତରଫରୁ ସତ୍ୟପ୍ରକାଶ ଦାଶ ୨୮ ବଲ୍‌‌ରୁ ୧୩ ରନ୍‌‌, ଜୀତେନ୍ଦ୍ର ଅଗ୍ରୱାଲ ୨୧ ବଲ୍‌‌ରୁ ୧୦ ରନ୍‌‌ କରିଥିବାବେଳେ ଓଡ଼ିଶା ଭେଟେରାନ ତରଫରୁ ସନ୍ତୋଷ ଷଡଙ୍ଗୀ ୪ ଓଭରରେ ୧୩ ରନ୍‌‌ ବିନିମୟରେ ୩ଟି ୱିକେଟ ଏବଂ ହୃଷିକେଶ ନାୟକ ୩ ଓଭରରେ ୯ ରନ୍‌‌ ବିନିମୟରେ ୨ଟି ୱିକେଟ ଅକ୍ତିଆର କରିଥିଲେ। ଅପରପକ୍ଷରେ ଓଡ଼ିଶା ଭେଟେରାନ ୬୪ ରନ୍‌‌ର ବିଜୟ ଲକ୍ଷ୍ୟକୁ ପିଛାକରି ୧୦.୪ ଓଭରରେ ୨ ୱିକେଟ ବିନିମୟରେ ୬୯ ରନ୍‌‌ କରି ବିଜୟୀ ହୋଇଥିଲେ। ଦଳ ତରଫରୁ ଅର୍ଜୁନ ରାଉତରାୟ ୨୪ ବଲ୍‌‌ ରୁ ୨୮ ରନ୍‌‌ ଏବଂ ଆଲୋକ ରଞ୍ଜନ ଜେନା ୨୫ ବଲ୍‌‌ରୁ ୨୧ ରନ୍‌‌ ସଂଗ୍ରହ କରିଥିଲେ। ଆଜିର ମ୍ୟାଚକୁ ଅଂପାୟାର ଭାବେ ବିଶ୍ୱମ୍ବର ମହାକୁଡ ଓ ଅବିନାଶ ମିଶ୍ର ପରିଚାଳନା କରିଥିବାବେଳେ ସ୍କୋରର ଭାବେ ମହେଶ ମଲ୍ଲିକ ଦାୟିତ୍ୱ ତୁଲାଇଥିଲେ। ମ୍ୟାଚର ଧାରା ବିବରଣୀ ଶ୍ରୀଧର ବିଭାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ବୌଦ୍ଧ ଉପ-ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ଏବଂ ଓଡ଼ିଶା ଭେଟେରାନ କ୍ରିକେଟ ଆସୋସିଏସନର ଉପ-ସଭାପତି ଶ୍ରୀ ପଟ୍ଟନାୟକ ଉଭୟ ଦଳର ଖେଳାଳୀଙ୍କୁ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରିଥିଲେ। ଆସନ୍ତାକାଲି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ କଟକ ଓ ଖୋର୍ଦ୍ଧା ଦଳ ମଧ୍ୟରେ ଅନୁଷ୍ଠିତ ହେବ।

Comments are closed.