ଇଲେକ୍ଟ୍ରି ତାରରେ ମାଛ ମାରିବା ବେଳେ ଅଘଟଣ, ଜଣେ ମୃତ

ହରଭଙ୍ଗା: ବିଦ୍ୟୁତ୍‌‌ ତାର ସାହାଯ୍ୟରେ ମାଛ ଧରିବାକୁ ଯାଇଥିଲେ ନାଳକୁ। ବିଦ୍ୟୁତ୍‌‌ ତାର ଭଳି ବିପଦପୂର୍ଣ୍ଣ ପଦ୍ଧତିରେ ମାଛ ଧରୁ ଧରୁ ଇଲେକ୍ଟ୍ରି ସଂସ୍ପର୍ଶରେ ଆସି ମାଛ ଧରାଳିଙ୍କ ଜୀବନ ଚାଲିଗଲା।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଦୁର୍ଗମ ତଳଗାଁ ପଂଚାୟତର ସାନଭୁରତା ଗ୍ରାମରେ।ଗତ ଗୁରୁବାର ଦିନବେଳେ ସାନଭୁରତା ଗ୍ରାମର ପ୍ରସନ୍ନ ଯାନୀ ନିଜ ସହଯୋଗୀଙ୍କ ସହ ପତକାବାଲି ନାଳକୁ ବିଦ୍ୟୁତ୍‌‌ ତାରରେ ମାଛ ଧରିବା ପାଇଁ ଯାଇଥିଲେ। ନାଳ ଉପରେ ଯାଇଥିବା ୧୧କେ.ଭି ତାରରୁ ବିଦ୍ୟୁତ୍‌‌ ସଂଯୋଗ କରି ମାଛ ଧରିବା ବେଳେ ପ୍ରସନ୍ନଙ୍କ ପିଠିରେ ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଘଟଣାସ୍ଥଳରେ ହିଁ ପ୍ରସନ୍ନଙ୍କ ମୃତ୍ୟୂ ଘଟିଥିଲା। ଏହି ଘଟଣା ପରେ ସହଯୋଗୀମାନେ ଘଟଣାସ୍ଥଳରୁ ଭୟରେ ଫେରାର ହୋଇଯାଇଥିଲେ। ପ୍ରସନ୍ନଙ୍କ ପନ୍ତ୍ରୀ ଶ୍ରୀମତି ଯାନୀ ବିଳମ୍ବରେ ଖବର ପାଇ ଘଟଣାସ୍ଥଳକୁ ପଂହଚିଲା ବେଳକୁ ତାଙ୍କ ସଂସାର ଉଜୁଡିଯାଇଥିଲା। ଏ ସର୍ମ୍ପକରେ ହରଭଙ୍ଗା ଥାନାରେ ଶ୍ରୀମତି ଅଭିଯୋଗ ପରେ ହରଭଙ୍ଗା ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିଥିଲା। ଶବ ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଥିଲା। ଏ ନେଇ ହରଭଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଫିସର ପୂର୍ଣ୍ଣଚନ୍ଦ୍ର କିଷାନ ସୂଚନା ଦେଇଛନ୍ତି।

Comments are closed.