www.samajalive.in
Friday, December 12, 2025
15.1 C
Bhubaneswar

ସ୍ବାଗତଯୋଗ୍ୟ ରାୟ

କନ୍ଦଳରେ ଲିପ୍ତ ସିବିଆଇ ନିର୍ଦେଶକ ଓ ସ୍ବତନ୍ତ୍ର ନିର୍ଦେଶକଙ୍କୁ ସରକାର ଛୁଟିରେ ଯିବାକୁ ନିର୍ଦେଶ ଦେବାପରେ ଦେଶର ଏହି ପ୍ରଧାନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଭବିଷ୍ୟତ ଏବଂ ଏଥିରେ ସରକାରୀ ହସ୍ତକ୍ଷେପର ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ସର୍ବୋଚ୍ଚ ଅଦାଲତ ଶୁକ୍ରବାର ତାଙ୍କ ରାୟରେ ତାହା ଦୂର କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଏକ ପୀଠ ଦାୟିତ୍ବମୁକ୍ତ ହୋଇଥିବା ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଆବେଦନକୁ ବିଚାର କରି ସ୍ପଷ୍ଟ କରିଦେଇଛନ୍ତି ଯେ ତାଙ୍କ ବିରୋଧରେ ଯେଉଁ ଦୁର୍ନୀତି ଅଭିଯୋଗ ଆସିଛି କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ୧୫ ଦିନ ମଧ୍ୟରେ ତାହାର ତଦନ୍ତ ଶେଷକରି ରିପୋର୍ଟ ଦେବେ ଏବଂ ଏହି କାର୍ଯ୍ୟ ସୁପ୍ରିମକୋର୍ଟର ଜଣେ ସେବା ନିବୃତ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ନିର୍ଦ୍ଧାରିତ ସମୟସୀମା ଭିତରେ କରାଯିବ। ଅଦାଲତ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ସିବିଆଇ ମୁଖ୍ୟ ଦାୟିତ୍ବରେ ଏବେ ଥିବା ନାଗେଶ୍ବର ରାଓ କେବଳ କାମଚଳା ମୁଖ୍ୟଭାବେ ରହିବେ ଏବଂ ଦୈନନ୍ଦିନ କାର୍ଯ୍ୟ ବ୍ୟତୀତ ସେ ଅନ୍ୟ କୌଣସି ନୀତିଗତ ନିଷ୍ପତ୍ତି ବା ବଦଳି କରିପାରିବେ ନାହିଁ। ଏହି ରାୟ ଆଶ୍ବସ୍ତିକର ଓ ସ୍ବାଗତଯୋଗ୍ୟ; କାରଣ ସିବିଆଇର ମର୍ଯ୍ୟାଦା ଓ ଏହାର ଆନୁଷ୍ଠାନିକ ଗରିମା ରକ୍ଷା ଦିଗରେ ଏହା ସହାୟକ ହେବ।
ନିୟମ ଅନୁସାରେ ସିବିଆଇ ନିର୍ଦେଶକ ଦୁଇବର୍ଷ କାମ କରିବାକୁ ଅଧିକୃତ। ସେ ବୋଲକରା ହୋଇନଥିବାରୁ ତାଙ୍କୁ ହଟାଇବାକୁ କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି ଏବଂ ଏଥିରେ ସ୍ବତନ୍ତ୍ର ନିର୍ଦେଶକଙ୍କୁ ବ୍ୟବହାର କରାଯାଇଛି ବୋଲି ଅଭିଯୋଗ ହେଉଛି। ଏବେ ସିଭିସି ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ଆଶା। ଏହି ଘଟଣାକ୍ରମ, ବିଶେଷକରି ସୁପ୍ରିମକୋର୍ଟଙ୍କ ରାୟ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଦେଶରେ ଜନସାଧାରଣ ,ବିଶେଷତଃ ସଚେତନ ନାଗରିକ ସମାଜ ସାମ୍ବିଧାନିକ ବ୍ୟବସ୍ଥା, ବିଭିନ୍ନ ରାଷ୍ଟ୍ରୀୟ ଅନୁଷ୍ଠାନ ଓ ସଂସ୍ଥାର ମୌଳିକତାକୁ ବଜାୟ ରଖିବାକୁ ଚାହାନ୍ତି ଏବଂ ସେ ସବୁର କାର୍ଯ୍ୟରେ ସରକାରୀ ହସ୍ତକ୍ଷେପକୁ ବରଦାସ୍ତ କରନ୍ତି ନାହିଁ। ଅଦାଲତ ଉପରେ ଲୋକଙ୍କର ଯେଉଁ ଗଭୀର ବିଶ୍ବାସ ରହିଛି ତାହାକୁ ନ୍ୟାୟପାଳିକା ଉଚିତ ଭାବେ ନିର୍ବାହ କରୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories