www.samajalive.in
Friday, December 12, 2025
16.1 C
Bhubaneswar

ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ ହେଉ

ହେମନ୍ତ କୁମାର ପଣ୍ଡା

ନବକଳେବର ବା ଶରୀର ପରିବର୍ତ୍ତନ ହିନ୍ଦୁ ଧର୍ମର ଏକ ମୈାଳିକ ବିଶ୍ୱାସ। ମଣିଷ ପୋଷାକ ପରିବର୍ତ୍ତନ କଲାଭଳି ଆତ୍ମା ଶରୀର ପରିବର୍ତ୍ତନ କରିଥାଏ। ଏହି କ୍ରମରେ ଶ୍ରୀଜଗନ୍ନାଥଙ୍କର ବ୍ରହ୍ମ ପରିବର୍ତ୍ତନ କଥା ସମସ୍ତେ ଜାଣନ୍ତି । ଶ୍ରୀଜଗନ୍ନାଥଙ୍କ ସହ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମଧ୍ୟ ବ୍ରହ୍ମ ପରିବର୍ତ୍ତନ ହୋଇଥାଏ। ଆତ୍ମାର ଶରୀର ପରିବର୍ତ୍ତନ ଗୀତାରେ ମଧ୍ୟ ଉଲ୍ଲେଖ ରହିଛି। ଏହି ପ୍ରକ୍ରିୟାକୁ ଯେତେବେଳେ ବାସ୍ତବତାର ରୂପ ଦିଆଯାଉଛି ସେତେବେଳେ କେତେ ସତର୍କତା, ସାବଧାନତା, ପବିତ୍ରତା ଓ ଶୃଙ୍ଖଳା ଅବଲମ୍ବନ କରିବା କଥା ତାହା ଯେକେହି ହୃଦୟଙ୍ଗମ କରିବେ, କିନ୍ତୁ ଗତ ୨୦୧୫ ମସିହା ଜୁନ ୧୫ ଓ ୧୬ ତାରିଖ ବ୍ରହ୍ମ ପରିବର୍ତ୍ତନ ସମୟରେ ଯେଉଁ ଚରମ ବିଶୃଙ୍ଖଳା କଥା ଲୋକଲୋଚନକୁ ଆସିଥିଲା ତାହା ସମଗ୍ର ବିଶ୍ୱର କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ସାମୂହିକ ବିବେକକୁ ଚହଲାଇ ଦେଇଥିଲା। ଏକ ପାର୍ଶ୍ବରେ କୋଟିକୋଟି ଲୋକ ଭଜନ, କୀର୍ତ୍ତନ, ଓପାସ, ଉଜାଗର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଗବାନଙ୍କର ପୁରୁଣା ଶରୀରକୁ ପରିତ୍ୟାଗ ଓ ନୂତନ ଶରୀର ଧାରଣ ପ୍ରକ୍ରିୟାର ସମାପନ କାର୍ଯ୍ୟର ଖବର ପାଇବା ପାଇଁ ଅପେକ୍ଷା କରିଥିବାବେଳେ ଅନ୍ୟପାର୍ଶ୍ବରେ ମନ୍ଦିରବେଢା ମଧ୍ୟରେ ବ୍ରହ୍ମ ଧରି ଇତସ୍ତତଃ ଦୈାଡିବା ଭଳି ଅଭିଯୋଗ ଉଠିବା ସମସ୍ତ କଳ୍ପନାର ବାହାରେ ଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ଅବମାନନା କରି ଦିନଦ୍ୱିପ୍ରହର ପର୍ଯ୍ୟନ୍ତ ଚାଲିଥିଲା ବ୍ରହ୍ମ ସଂସ୍ଥାପନ ନାମରେ ଚରମ ବିଶୃଙ୍ଖଳା। ଏକଥା ଲୋକଲୋଚନକୁ ଆସିବା ପରେ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ସମଗ୍ର ରାଜ୍ୟର ଜନସାଧାରଣ ହତଚକିତ ହେବାସହ ବିଷାଦଗ୍ରସ୍ତ ହୋଇଥିଲେ।
ସରକାରଙ୍କ ନୀରବତା, ନିଷ୍କ୍ରିୟତାକୁ ଜଗନ୍ନାଥପ୍ରେମୀ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟରେ ବିରୋଧୀ କଂଗ୍ରେସ ଦଳ ଏହାର ପ୍ରତିବାଦରେ କାର୍ଯ୍ୟାନୁଷ୍ଠାନ ଦାବି କରି ଓଡିଶା ବନ୍ଦ ଡାକରା ଦେଇଥିଲା। ଗତ ସାଧାରଣ ନିର୍ବାଚନ ପରେ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଦଳ ରାଜ୍ୟବ୍ୟାପୀ ସରକାର ବିରୋଧରେ ପ୍ରଦର୍ଶନ କରିଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ଏହା ଥିଲା ପ୍ରମୁଖ କାର୍ଯ୍ୟକ୍ରମ। ସରକାର ବ୍ରହ୍ମ ବିଭ୍ରାଟ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନର ତତ୍କାଳୀନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଏହି ଘଟଣାର ତଦନ୍ତ କରାଯାଇଥିଲା, କିନ୍ତୁ ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ନିକଟ ଅତୀତରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପକ୍ଷରୁ କୁହାଯାଇଛି ଯେ, ବ୍ରହ୍ମ ପରିବର୍ତ୍ତନ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ରପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାଯିବ ନାହିଁ, କିନ୍ତୁ ବିଶୃଙ୍ଖଳାକୁ ସ୍ୱୀକାର କରାଯାଇଛି। ଏପରିକି ସୂଚନା ଅଧିକାର ଆଇନର ପରିସୀମା ମଧ୍ୟରେ ଏ ବିଷୟ ଥିଲେ ମଧ୍ୟ ଏସମ୍ପର୍କିତ ତଥ୍ୟକୁ ଊର୍ଦ୍ଧ୍ବରେ ଯାଇଥିବା ଘୋଷଣା କରାଯାଇଛି । ଏହା ଶ୍ରୀମନ୍ଦିର ସଂସ୍କାର ପାଇଁ ନିଆଯାଉଥିବା ପଦକ୍ଷେପରେ ସହାୟକ ହେବ ନା ନାହିଁ ଏକ ବଡପ୍ରଶ୍ନ। ବ୍ରହ୍ମ ପରିବର୍ତ୍ତନ ଗୁପ୍ତନୀତିକୁ ଅକ୍ଷୁଣ୍ଣ ଓ ବଳବତ୍ତର ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ଜନସାଧାରଣଙ୍କ ହୃଦବୋଧ ହେଉନାହିଁ; କାରଣ ଚରମ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି ଉଚିତ ଦଣ୍ଡବିଧାନ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇନାହିଁ। ସେମାନେ ତାଙ୍କ ଭୁଲପାଇଁ ଅନୁତପ୍ତ ନଥିବା ନିକଟରେ ଘଟିଥିବା ପୁରୀ ହିଂସାକାଣ୍ଡ ଘଟଣାରୁ ମଧ୍ୟ ସ୍ପଷ୍ଟ ହୋଇଛି। ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ଅନୁଯାୟୀ ପ୍ରଶାସନ ଉଚ୍ଛୃଙ୍ଖଳିତ ସେବାୟତଙ୍କୁ ସେବାରୁ ଉଚ୍ଛେଦ ମଧ୍ୟ କରିପାରିବା କ୍ଷମତା ରହିଛି, କିନ୍ତୁ ଏଭଳି କିଛି ହୋଇନାହିଁ। ବିଭିନ୍ନ ସମୟରେ ଦେଖାଯାଉଛି କିଛି ସେବାୟତଙ୍କୁ ରାଜନୈତିକ ସୁରକ୍ଷା ଦେବାପାଇଁ ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କ ଅଧୀନ ଏକ ସଂସ୍ଥା ଭାବରେ ପଦକ୍ଷେପ ନେଉଛି ଏବଂ ବ୍ରହ୍ମ ପରିବର୍ତ୍ତନ ସମୟରେ କରାଯାଇଥିବା ବିଶୃଙ୍ଖଳାକୁ ଚପାଇ ଦେବା ପାଇଁ ରିପୋର୍ଟକୁ ସାର୍ବଜନୀନ ନକରିବା ଘୋଷଣା କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ‘ରେକର୍ଡ ଅଫ୍‌ ରାଇଟ୍‌ସ’ ନବକଳେବର ବିଧିରେ ଉଲ୍ଲେଖ ରହିଛି ଯେ, ଏହା ଏକ ଗୁପ୍ତନୀତି। ନବକଳେବର ପାରମ୍ପରିକ ଭାବରେ ଏକ ଗୁପ୍ତନୀତି ଏବଂ ଏହି ଗୁପ୍ତନୀତିକୁ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ ସମାପନ କରାଯାଏ। ଏହା ମଧ୍ୟ ଅଧିକାଂଶ ଜଗନ୍ନାଥପ୍ରେମୀ ଉଣାଅଧିକେ ଜାଣନ୍ତି, କିନ୍ତୁ ଏହି ନୀତିରେ ବିଶୃଙ୍ଖଳା ଏକ ସାମାଜିକ ଅପରାଧଠାରୁ କୌଣସି ଗୁଣରେ କମ୍ ନୁହେଁ। ଏହି ନୀତିରେ ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ସେମାନେ କୋଟିକୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକବିଶ୍ୱାସକୁ କୁଠାରାଘାତ କରିଛନ୍ତି। ସେମାନଙ୍କ ନାମ ଓ ସେମାନଙ୍କ ପ୍ରତି କରାଯାଇଥିବା ଦଣ୍ଡବିଧାନକୁ ସାର୍ବଜନୀନ କରାଯିବାର ଆବଶ୍ୟକତା ରହିଥିଲେ ମଧ୍ୟ ସେମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ କାଳକ୍ଷେପଣ ନୀତି ଅବଲମ୍ବନକରି ସମୟ ଗଡାଇ ବହୁ ବିଳମ୍ବରେ ତଥା ପ୍ରାୟ ତିନି ବର୍ଷପରେ ତାକୁ ଚପାଇଦେବା ପାଇଁ ଉଦ୍ୟମ କରିବା ଦ୍ୱାରା ମନ୍ଦିରରେ ଶୃଙ୍ଖଳା ଫେରିବ ବୋଲି ଆଶା କରିବା ଭବିଷ୍ୟତରେ ଏକ ଭୁଲ ନିଷ୍ପତ୍ତି ଭାବରେ ବିବେଚିତ ହୋଇପାରେ।
ଟିକ୍ରାପଡା, ବଲାଙ୍ଗିର

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories