ଇଣ୍ଡୋନେସିଆ ଭୂମିକମ୍ପରେ ୧୬୨ ମୃତ
ଜାକର୍ତ୍ତା : ଇଣ୍ଡୋନେସିଆର ଜାଭା ଦ୍ବୀପରେ ସୋମବାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରହିଥିବାବେଳେ ଏହା ପ୍ରାୟ ତିନି ମିନିଟ୍ ଧରି ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ୧୬୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ଭୂମିକମ୍ପ
ପ୍ରଭାବରେ ଅନେକ ଘରଦ୍ବାର ଭାଙ୍ଗିଥିବାବେଳେ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିଛି। ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ଆମେରିକା ଭୂତତ୍ତ୍ବ ସର୍ଭେକ୍ଷଣ ସଂସ୍ଥା କହିବା ଅନୁଯାୟୀ ପଶ୍ଚିମ ଜାଭାର ସିଆନଜୁର ଅଞ୍ଚଳ ହେଉଛି ଭୂମିକମ୍ପର ଉତ୍ପତ୍ତି ସ୍ଥଳ। ମାତ୍ର ଏହାର ପ୍ରଭାବ ରାଜଧାନୀ ଜାକର୍ତ୍ତା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂପୃଷ୍ଠ ଠାରୁ ୧୦କିମି ଗଭୀରରେ ଭୂମିକମ୍ପ ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ହସ୍ପିଟାଲରେ ଶଯ୍ୟାର ଅଭାବ ଯୋଗୁଁ ଲୋକଙ୍କୁ ରାସ୍ତାରେ ଚିକିତ୍ସା କରାଯାଉଛି। ଟେଲିଭିଜନରେ ପ୍ରସାରିତ ଦୃଶ୍ୟରୁ ଜଣାଯାଇଛି ଯେ ସିଆନଜୁର ସହରର ରାସ୍ତାଘାଟରେ ଭଗ୍ନାବଶେଷ ଜମା ହୋଇରହିଛି। ଆହତଙ୍କୁ ଉଦ୍ଧାର ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ହୋଇପାରି ନାହିଁ। ଭୂମିକମ୍ପ ପରବର୍ତ୍ତୀ କମ୍ପନ ହେବାର ଆଶଙ୍କା ଥିବାରୁ ଲୋକଙ୍କୁ ଘର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଅଧିକାଂଶ ଘର ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଏଠାକୁ ନଯିବା ଲାଗି କୁହାଯାଇଛି। ୨୦୨୧ ଜାନୁଆରୀରେ ସୁଲାେୱସୀରେ ୬.୨ ତୀବ୍ରତାର ଭୂମିକମ୍ପ ହୋଇ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତ ଫେବୃଆରୀରେ ସୁମାତ୍ରା ଦ୍ବୀପରେ ଭୂମିକମ୍ପ ହୋଇ ୨୫ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୦୪ରେ ସବୁଠାରୁ ବଡ ଧରଣର ଭୂମିକମ୍ପ ହୋଇଥିଲା। ଏଥିରେ ୨ଲକ୍ଷ ୩୦ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା।
Comments are closed.