ନାଲିଫିତା ତଳେ ସବୁଜ ମହାନଦୀ ମିଶନ

ନଦୀତଟ ସୁରକ୍ଷା କଥା ପାସୋରି ଦେଲେ ସରକାର 

ହରଭଙ୍ଗା: ନଦୀତଟ ସୁରକ୍ଷା ଦିଗରେ ରାଜ୍ୟ ସରକାର ଦୁଇପାଦ ଆଗକୁ ଯାଇ ସବୁଜ ମହାନଦୀ ମିଶନ ଭଳି ମହତାକାଙ୍‌କ୍ଷୀ ଯୋଜନା ଗତ ୨୦୧୮ ମସିହାରେ ଶୁଭାରମ୍ଭ କଲେ । ଏହି ମିଶନ ଜରିଆରେ ମହାନଦୀ କୂଳରେ ଖାଲିଥିବା ସ୍ଥାନରେ ବନୀକରଣ କରାଯାଇ ତଟ ସୁରକ୍ଷା କରାଯିବା ଏହାର ମୂଳ ଲକ୍ଷ୍ୟ ଥିଲା। ଏହି ମିଶନ କାର୍ଯ୍ୟକାରୀ ପାଇଁ ସରକାର ବ୍ୟାପକ ପ୍ରଚାର, ପ୍ରସାର କରିବା ସହିତ ମହାନଦୀ କୂଳରେ କିଛି ସ୍ଥାନରେ ବନବିଭାଗ ପକ୍ଷରୁ ବନୀକରଣ କରାଯାଇଥିଲା। ମାତ୍ର ଏହାର ରକ୍ଷଣାବେକ୍ଷଣା ହୋଇ ନପାରିବାରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅର୍ନ୍ତଗତ ବୁଲୁରା ବିଟ୍ ଅଧିନସ୍ଥ ତେନ୍ତୁଳିପଦରଠାରେ ସବୁଜ ମହାନଦୀ ମିଶନରେ କାର୍ଯ୍ୟକାରୀ ହୋଇଥିବା ଏ.ଆର ବନୀକରଣ ଫେଲ ମାରିଥିବା ଦେଖିବାକୁ ମିଳିଛି । ଲାଗିଥିବା ସୂଚନାଫଳକ ଅନୁଯାୟୀ, ଏହି ମିଶନ ଜରିଆରେ ଗତ-୨୦୧୯-୨୦ ଆର୍ଥିକ ବର୍ଷରେ ବନବିଭାଗ ପକ୍ଷରୁ ତେନ୍ତୁଲିପଦର ସ୍ଥିିତ ମହାନଦୀ କୂଳରେ ଥିବା ୫ହେକ୍ଟର ସ୍ଥାନରେ ଶିଶୁ, ଖଈରା, ଜାମ୍ମୁ, ଫାଶି ଭଳି ୮ହଜାର ବୃକ୍ଷରୋପଣ କରାଯାଇ ତାରବାଡ ମଧ୍ୟ ଦିଆଯାଇଥିଲା । ବର୍ତମାନ ପ୍ରାୟ ଗୋଟିଏ ଏକରରୁ ଅଧିକ ସ୍ଥାନରେ ଗଛ ନଥିବା ଦେଖିବାକୁ ମିଳିଛି। ମିଶନ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ବନୀକରଣ କରାଯାଇଥିବା ବେଳେ ସେଠାରେ ଏତେ ପରିମାଣର ଗଛ ନଥିବା ଘଟଣା ବିଭାଗୀୟ ଅଧିକାରୀଙ୍କ ଦୋଷ ଦୁର୍ବଳତାକୁ ଇଙ୍ଗିତ କରୁଛି । ଯାହାଫଳରେ ସବୁଜ ମହାନଦୀ ମିଶନ ଲକ୍ଷ୍ୟଚ୍ୟୁତ ହେବା ଏଥିରୁ ସ୍ଫଷ୍ଟ ପ୍ରମାଣିତ କରୁଛି । ଅନ୍ୟପଟେ ମିଶନ କାର୍ଯ୍ୟକାରୀର ୪ବର୍ଷ ପରେ ବି ଲକ୍ଷ୍ୟଧାର୍ଯ୍ୟ ଅନୁସାରେ ବନୀକରଣ କରାନଯିବା ଏହା କେବଳ ପ୍ରଚାର ସର୍ବସ୍ୱ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏ ଦିଗରେ ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ମିଶନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ପରିବେଶବିତମାନଙ୍କ ପକ୍ଷରୁ ମତପ୍ରକାଶ ପାଉଛି ।

ସୂଚନା ଥାଉ କି, ଗତ ୨୦୧୮-୧୯ ମସିହାରେ ମହାନଦୀ ତଟ ସୁରକ୍ଷା ପାଇଁ ସବୁଜ ମହାନଦୀ ମିଶନ ଭଳି ଏକ ମହତ୍ ଯୋଜନା କାର୍ଯ୍ୟକାରୀ କରାଗଲା । ମହାନଦୀ ମିଶନ କାର୍ଯ୍ୟକ୍ରମ ଜରୀଆରେ ବେସରକାରୀ ଜମିରେ ୧୬.୨ହେକ୍ଟର, ମହାନଦୀ କୂଳିଆ ରାସ୍ତାରେ ୧୪କି.ମି, ଜଙ୍ଗଲ ମଧ୍ୟରେ ଖାଲିଥିବା ସ୍ଥାନରେ ୬୫ହେକ୍ଟର ଏବଂ ବ୍ଲକସ୍ତରୀୟ ୧୦ହେକ୍ଟର ଜାଗାରେ ଚାରାରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସବୁଜ ମହାନଦୀ ମିଶନ ସରକାରୀ ନାଲିଫିତା ତଳେ ଚାପିହୋଇ ରହିଯାଇଥିବା ଜଣାପଡିଛି ।

 

Comments are closed.