ସେମି ଲକ୍ଷ୍ୟରେ ଆଜି ଜିମ୍ବାୱେ ସହ ଭାରତର ମୁକାବିଲା
ମେଲ୍ବୋର୍ଣ୍ଣ,: ଚଳିତ େଟ୍ବଣ୍ଟି୨୦ ବିଶ୍ବକପ୍ରେ ରବିବାର ହେଉଛି ଗ୍ରୁପ୍ ଲିଗ୍ ପର୍ଯ୍ୟାୟର ଅନ୍ତିମ ଦିନ। ଏହିଦିନ ଗ୍ରୁପ୍-୨ର ବାକିଥିବା ୩ଟିଯାକ ମ୍ୟାଚ୍ ଖେଳାଯିବ। ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ରବିବାର ଜିମ୍ବାୱେ ବିପକ୍ଷରେ ଖେଳିବ ଭାରତ। ୪ଟିରୁ ୩ଟି ମ୍ୟାଚ୍ ଜିତି ୬ ପଏଣ୍ଟ ସହ ଭାରତ ଗ୍ରୁପ୍ ଶୀର୍ଷରେ ଥିଲେ ହେଁ ଏହାର ସେମିଫାଇନାଲ ଖେଳିବା ନିଶ୍ଚିତ ହୋଇନାହିଁ। କାରଣ ରବିବାର ନେଦରଲାଣ୍ଡ୍ସ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବିପକ୍ଷରେ ପାକିସ୍ତାନ ପ୍ରଥମ ୨ଟି ଲିଗ୍ ମ୍ୟାଚ୍ ଖେଳିବ। ଯଦି ଏହି ୨ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିଜୟୀ ହୁଅନ୍ତି; ସେମିଫାଇନାଲ ଖେଳିବା ଲାଗି ଜିମ୍ବାୱେ ବିପକ୍ଷରେ ଭାରତକୁ ନିଶ୍ଚୟ ଜିତିବାକୁ ପଡ଼ିବ। ଯଦି ପ୍ରଥମ ୨ଟି ମ୍ୟାଚ୍ରେ ନେଦରଲାଣ୍ଡ୍ସ ଓ ବାଂଲାଦେଶ ଜିତନ୍ତି; ତେବେ ନେଟ୍ ରନ୍ରେଟ୍ର ଗଣନା କରାଯିବ। ହେଲେ ଏହାର ସମ୍ଭାବନା କମ୍ ଥିବାରୁ ଜିମ୍ବାୱେ ବିପକ୍ଷରେ ଜିତି ଟେବୁଲର ଶୀର୍ଷରେ ରହିବା ସହ ଗୁରୁବାର ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବା ଲାଗି ରୋହିତ ଶର୍ମାଙ୍କ ଦଳକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଗତବର୍ଷର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତକୁ ଖ୍ୟାତି ବଜାୟ ରଖିବା ଲାଗି ସେମିଫାଇନାଲ ଖେଳିବାକୁ ପଡ଼ିବ।
ଭାରତ ୩ଟି ମ୍ୟାଚ୍ ଜିତିଥିଲେ ମଧ୍ୟ ସେପରି ପ୍ରଭାବଶାଳୀ କ୍ରିକେଟ୍ ଖେଳିନାହିଁ। ବିରାଟ କୋହଲିଙ୍କ ଚମତ୍କାର ଇନିଂସ ଓ ଭାଗ୍ୟ ସାଥ୍ ଦେବାରୁ ପାକିସ୍ତାନଠାରୁ ବିଜୟ ଛଡ଼ାଇ ଆଣିଥିଲା ଭାରତ। ୩ୟ ମ୍ୟାଚ୍ରେ ବର୍ଷା ପୂର୍ବରୁ ଭାରତ ବିପକ୍ଷରେ ବାଂଲାଦେଶ ଭଲ ସ୍ଥିତିରେ ଥିଲା। ଡକ୍ୱର୍ଥ-ଲୁଇସ୍ ନିୟମ ବାଂଲାଦେଶ ବିପକ୍ଷରେ ଯାଇଥିଲା। ଦକ୍ଷିଣ ଆଫ୍ରିକା ଜିତିଲେ ୭ ପଏଣ୍ଟ ସହ ଏହା ସେମିଫାଇନାଲରେ ପହଞ୍ଚିବ। ପାକିସ୍ତାନ ଜିତିଲେ ଭାରତ ସହ ସମାନ ୬ ପଏଣ୍ଟ ପାଇବ। ହେଲେ ଭାରତ ଅପେକ୍ଷା ପାକିସ୍ତାନର ନେଟ୍ ରନ୍ରେଟ୍ ଅଧିକ ଥିବାରୁ ଭାରତକୁ ନିଶ୍ଚିତ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ପାକିସ୍ତାନ ପରି ଦଳକୁ ପରାସ୍ତ କରିଥିବା ଜିମ୍ବାୱେକୁ ଦୁର୍ବଳ ଦଳ ମଣିବା ଠିକ୍ ହେବନାହିଁ। ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବାରୁ ଏହି ଦଳର କିଛି ହରାଇବାର ନାହିଁ। ପୁଣି ଜିମ୍ବାୱେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାର ବିଶ୍ବାସ କରେ। ରବିବାର ମଧ୍ୟ ଏହା ଦେଖିବାକୁ ମିଳିବ ଏବଂ ଏଥି ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ। ଟ୍ବେଣ୍ଟି୨୦ ବିଶ୍ବକପ୍ରେ ପ୍ରଥମଥର ଭାରତ-ଜିମ୍ବାୱେ ମୁକାବିଲା ହେବାକୁ ଯାଉଛି। ପ୍ରଥମ ରାଉଣ୍ଡରେ ଟେବୁଲ ଶୀର୍ଷରେ ରହି ଜିମ୍ବାୱେ ସୁପର-୧୨ରେ ପାକିସ୍ତାନକୁ ହରାଇ ସେମିଫାଇନାଲ ଦୌଡ଼ରେ ଥିଲା। ହେଲେ ପରବର୍ତ୍ତୀ ୨ଟି ମ୍ୟାଚ୍ରେ ବ୍ୟାଟିଂ ଜିମ୍ବାୱେକୁ ନିରାଶ କରିଥିଲା।
ଭାରତୀୟ ବ୍ୟାଟିଂରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଛାଡ଼ି ଅନ୍ୟ କେହି ନିୟମିତ ସ୍କୋର୍ କରିନାହାନ୍ତି। ଅଧିନାୟକ ରୋହିତ ଶର୍ମା ନେଦରଲାଣ୍ଡ୍ସ ବିପକ୍ଷରେ ଅର୍ଦ୍ଧଶତକ ମାରିଥିଲେ ହେଁ ଏହା ଆକର୍ଷଣୀୟ ନଥିଲା। ବାଂଲାଦେଶ ବିପକ୍ଷରେ କେ.ଏଲ୍. ରାହୁଲ ୩୨ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଗୋଟିଏ ମ୍ୟାଚ୍ରେ ଉଭୟ ଓପ୍ନର ସଫଳ ହୋଇନାହାନ୍ତି। ୪ଟି ମ୍ୟାଚ୍ରେ ଭାରତର ଓପ୍ନିଂ ଭାଗିଦାରୀ ହେଉଛି ୧୩ ରନ୍। ଯଦି ଭାରତ ପ୍ରଥମେ ବ୍ୟାଟିଂକରେ; ତେବେ ଜିମ୍ବାୱେର ପେସ୍ ବୋଲର ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରନ୍ତି। ଜିମ୍ବାୱେ ପାଇଁ ଚିନ୍ତାର କାରଣ ପାଲଟିଛି ରେଜିସ୍ ଚାକାଭାଙ୍କ ଖରାପ ଫର୍ମ। ତେବେ ୱେସ୍ଲି ମାଧ୍ଭିରେ, ଅଧିକାୟକ କ୍ରେଗ୍ ଅର୍ଭାଇନ୍, ସନ୍ ୱିଲିୟମ୍ସ ଓ ସିକନ୍ଦର ରାଜା ଭଲ ପ୍ରଦର୍ଶନ କରିଛନ୍ତି। ଚଳିତବର୍ଷ ସିକନ୍ଦର ରାଜା ୨୩ଟି ଟ୍ବେଣ୍ଟି୨୦ରୁ ୭୦୧ ରନ୍ କରିଛନ୍ତି। ପୁଣି ଚଳିତବର୍ଷ ସେ ୫ଟି ଅର୍ଦ୍ଧଶତକ ମାରିଛନ୍ତି। ବିରାଟ କୋହଲି ଆଉ ୬୮ ରନ୍ କଲେ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ସେ ୪ ହଜାର ରନ୍ ଅତିକ୍ରମ କରିବେ। ଆଉ ମାତ୍ର ୩୫ ରନ୍ କଲେ ସୂର୍ଯ୍ୟକୁମାର ଯାଦବ ଚଳିତବର୍ଷ ୧୦୦୦ ରନ୍ ପୂରଣ କରିବେ। ଉଭୟ ଭାରତ ଓ ଜିମ୍ବାୱେ ତାଙ୍କ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କମ୍। ମେଲ୍ବୋର୍ଣ୍ଣ ପିଚ୍ରେ ପେସ୍ ବୋଲରଙ୍କୁ ଆରମ୍ଭରୁ ସହାୟତା ମିଳିପାରେ। ପାଗ ଶୁଖିଲା ରହିବାର ପୂର୍ବାନୁମାନ କରାଯାଇଛି।
Comments are closed.